The New Indian Express
କଟକ : ପାତ୍ରପଡ଼ାରେ ୨୦୧୦ରେ ହୋଇଥିବା ହତ୍ୟା ଓ ଲୁଟ୍ ମାମଲାରେ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ବ୍ୟକ୍ତିଙ୍କ ଦଣ୍ଡାଦେଶ ହାଇକୋର୍ଟ ରଦ୍ଦ କରିଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ନିରଂଜନ ବେହେରା ଓରଫ ନିଲୁଙ୍କୁ ହାଇକୋର୍ଟ ହତ୍ୟା ମାମଲାରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଖଣ୍ଡଗିରି ଥାନାରେ ରୁଜୁ ହତ୍ୟା ମାମଲାରେ ୨୦୧୭, ସେପ୍ଟେମ୍ବର ୨୫ରେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅଦାଲତ ଅଭିଯୁକ୍ତ ନିରଂଜନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ରାୟକୁ ଚାଲେଞ୍ଜ କରି ନିରଂଜନ ୨୦୧୭ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ୍. ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ନିମ୍ନ ଅଦାଲତ ଦଣ୍ଡାଦେଶ ରାୟକୁ ରଦ୍ଦ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ଖଣ୍ଡଗିରି ଥାନା ପୁଲିସ ପାଟ୍ରୋଲିଂ ସମୟରେ ପାତ୍ରପଡ଼ାଠାରେ ଏକ ଶବ ଉଦ୍ଧାର କରିଥିଲା। ମୃତ ବ୍ୟକ୍ତିଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିଲା। ଏନେଇ ୨୦୧୦, ଅଗଷ୍ଟ ୩୧ରେ ଖଣ୍ଡଗିରି ଥାନାରେ ଜଣେ ପୁଲିସ ଏଏସ୍ଆଇଙ୍କ ଏତଲା ଆଧାରରେ ମାମଲା ରୁଜୁ କରାଯାଇଥିଲା। ତଦନ୍ତ ବେଳେ ଏହି ଶବ ରମେଶ ନାୟକଙ୍କ ବୋଲି ଜଣାପଡ଼ିଥିଲା। ରମେଶଙ୍କୁ ହତ୍ୟା କରାଯିବା ସହ ତାଙ୍କ ଅଟୋ, ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ କରାଯାଇଥିବା ଜଣାପଡ଼ିଥିଲା। ତଦନ୍ତ ବେଳେ ନିରଂଜନ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ନେଇ ସ୍ବୀକାର କରିଥିଲେ ବୋଲି ଦର୍ଶାଇ ପୁଲିସ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲା। ମାମଲାର ଶୁଣାଣି କରି ଭୁବନେଶକ୍ବର ଅତିରିକ୍ତ ଦୌରାଜଜ୍ ଅଦାଲତ ନିରଂଜନଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦୧୭, ସେପ୍ଟେମ୍ବର ୨୫ରେ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଥିଲେ। ମାମଲାର କୌଣସି ପ୍ରତ୍ୟକ୍ଷଦର୍ଶୀ ନଥିବା ବେଳେ ପାରିପାର୍ଶ୍ବିକ ତଥ୍ୟ ପ୍ରମାଣକୁ ଆଧରରେ ନିମ୍ନ ଅଦାଲତ ଏହି ଦଣ୍ଡାଦେଶ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା ବେଳେ ଦଣ୍ଡାଦେଶ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ନିରଂଜନ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
Follow Us