ଢଳେଇ ଉପରେ ପେଭର ବ୍ଲକ: ଭୂତଳକୁ କେମିତି ଯିବ ବର୍ଷା ଜଳ?

Advertisment

ଇଞ୍ଜିନିୟରଙ୍କ ଇଙ୍ଗିତରେ ନିର୍ଦ୍ଦିଷ୍ଟ ସ୍ଥାନରୁ ଆସୁଛି, ଅଧା-ଅଧାରେ ଚାଲିଛି ବେପାର

ଇଞ୍ଜିନିୟରଙ୍କ ଇଙ୍ଗିତରେ ନିର୍ଦ୍ଦିଷ୍ଟ ସ୍ଥାନରୁ ଆସୁଛି, ଅଧା-ଅଧାରେ ଚାଲିଛି ବେପାର

ଢଳେଇ ଉପରେ ପେଭର ବ୍ଲକ: ଭୂତଳକୁ କେମିତି ଯିବ ବର୍ଷା ଜଳ?

ଖଣ୍ଡଗିରି: ଚାରିଆଡ଼ କଂକ୍ରିଟ୍‌ ହୋଇଯାଉଥିବାରୁ ଭୂତଳକୁ ବର୍ଷା ଜଳ ଯାଇ ପାରୁନି। ଲକ୍ଷ ଲକ୍ଷ ଲିଟର ଜଳ ଅକାରଣରେ ‌ବୋହି ଯାଉଛି। ଫଳରେ ଭୂତଳ ଜଳସ୍ତର ଉଦ୍‌ବେଗଜନକ ଭାବରେ କମିବାରେ ଲାଗିଛି। ଏଭଳି ସ୍ଥିତିକୁ ମୁକାବିଲା କରିବା ପାଇଁ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ଭୁବନେଶ୍ୱରର ମୁଖ୍ୟ ରାସ୍ତା ଓ ଗଳି ରାସ୍ତାର ଉଭୟ ପାର୍ଶ୍ୱରେ ପେଭର ବ୍ଲକ୍‌ ବିଛାଉଛି ଓ କେତେକ ଜାଗାରେ ବିଏମ୍‌ସି ପେଭର ବ୍ଲକ୍‌ରେ ରାସ୍ତା ତିଆରି କରୁଛି। ଏଥି‌ରେ କୋଟି କୋଟି ଟଙ୍କା‌ରେ ବ୍ୟୟ କରାଯାଉଛି। କିନ୍ତୁ ଖର୍ଚ୍ଚର ଅଧାରୁ ଅଧିକ ବାଟମାରଣା ହୋଇଯାଉଥିବାରୁ ମୂଳ ଉଦ୍ଦେଶ୍ୟ ପୂରଣ ହୋଇ ପାରୁ ନାହିଁ। ଅଧିକାଂଶ କ୍ଷେତ୍ରରେ କଂକ୍ରିଟ୍‌ ରାସ୍ତା ଉପରେ ଏହି ପେଭର ବ୍ଲକ୍‌ ପଡ଼ୁଛି। ଫଳରେ ପାଣି ମାଟି ତଳକୁ ଯିବା ରାସ୍ତା ତ ବନ୍ଦ, ତା ସହିତ ଏହା କଂକ୍ରିଟ୍‌ ଉପରେ ପଡ଼ୁଥିବାରୁ କିଛି ଦିନ ପରେ ଏହା ଉଠି ଯାଉଛି। ଫଳରେ ପୁଣି ଥରେ ଏଥିରେ ଅର୍ଥ ଖର୍ଚ୍ଚ ହେଉଛି। ଏଭଳି ବର୍ଷ ସାରା ଲୁଟ୍‌ତରାଜ ଚାଲିଛି।

ଭୁବନେଶ୍ବର କଂକ୍ରିଟ୍‌ ଜଙ୍ଗଲ ହୋଇଯାଇଥିବାରୁ ଜଳସ୍ତର କମିବାରେ ଲାଗିଛି। ଯାହାକୁ ଲକ୍ଷ୍ୟ କରି ଏଭଳି ପେଭର ବ୍ଲକ୍‌ ବିଛାଇବା ଯୋଜନା ହୋଇଥିଲେ ମଧ୍ୟ ଉଦ୍ଦେଶ୍ୟ ପୂରଣ ହେଲାନି। କେଉଁଠି କଂକ୍ରିଟ୍‌ ଉପରେ ତ କେଉଁଠି ପିଚୁ ଉପରେ ପଡ଼ିଲା। ରାତିଅଧିଆ କାମ ହେଲା। ଥରେ ପଡ଼ିଗଲେ ତଳେ କଂକ୍ରିଟ୍‌ ଅଛି କି ପିଚୁ, କେହି ଦେଖିଲେନି। ସହର ସାରା ପେଭର ବ୍ଲକ ବିଛାଇଲେ କିନ୍ତୁ ବର୍ଷା ଜଳ ଭୂତଳକୁ ଗଲାନି। ଉଭୟ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ଏଭଳି କାମରେ ମାତି ଯାଇଛନ୍ତି। ଏବେ ଜାତୀୟ ରାଜପଥର ଡିଏନ୍‌ ରେଗାଲିଆ ଛକରୁ ଆନନ୍ଦବନ ପର୍ଯ୍ୟନ୍ତ ପ୍ରାୟ ୪ କିମି ରାସ୍ତା ପାର୍ଶ୍ବରେ ଡ୍ରେନ୍‌ କାମ ଚାଲିଛି। ଡ୍ରେନ୍‌ ଉପରେ କଂକ୍ରିଟ ଢଳେଇ ପକାଯାଇଛି। ଏହି ଢଳେଇ ଉପରେ ଏବେ ଫେଭର ବ୍ଲକ ବିଛାଯାଇ ଫୁଟପାଥ୍‌ ପ୍ରସ୍ତୁତ କରାଯାଉଛି। କିନ୍ତୁ ମୁଖ୍ୟ ଉଦ୍ଦେଶ୍ୟ ପୂରଣ ହୋଇପାରୁ ନାହିଁ।

କଳିଙ୍ଗ ବିହାର ଅଞ୍ଚଳର ସୁନାକର ପୁହାଣଙ୍କ କହିବା କଥା, ପ୍ରଥମେ ପେଭର ବ୍ଲକ୍‌ ପଡ଼ିଥିଲା। ‌ଡ୍ରେନ୍ ପାଇଁ ଉଠାଇ ଏବେ ଡ୍ରେନ୍‌ ଉପରେ ବିଛାଉଛନ୍ତି। ଏଠାରେ କେବଳ ଅର୍ଥ ବରବାଦ ହେଉଛି। ବର୍ଷାରେ ଏଥିରେ ସିଉଳି ଲାଗିଯାଉଥିବାରୁ ବରିଷ୍ଠ ନାଗରିକମାନେ ଅସୁବିଧାର ସମ୍ମୁଖୀନ ହେବେ।
ଓଡିଶା ପରିବେଶ ସମିତି ସମ୍ପାଦକ ଜୟକୃଷ୍ଣ ପାଣିଗ୍ରାହୀଙ୍କ ମତରେ ପେଭର ବ୍ଲକ କାର୍ଯ୍ୟକାରୀ କରିବା ପୂର୍ବରୁ ପରିବେଶ ଦିଗ ପ୍ରତି ଧ୍ୟାନ ଦେବା ଏକାନ୍ତ ଅପରିହାର୍ଯ୍ୟ ଥିଲା। ଏବେ ଭୁବନେଶ୍ବର ଲୋକେ ବହୁ ଗମ୍ଭୀର ପରିବେଶ ସମସ୍ୟାରେ ଯୁଝି ହେଉଛନ୍ତି। ଖରା ଦିନେ ଜଟିଳ ପରିସ୍ଥିତି ଉପୁଜୁଛି। ଯେତିକି ପରିମାଣର ଭୂତଳ ଜଳ ଉତ୍ତୋଳନ ହେଉଛି, ତାହାର ଭରଣା ହେବା ଆବଶ୍ୟକ। ଅନ୍ୟଥା ଆଗାମୀ ଦିନରେ ଜଳ ସଙ୍କଟ ଦେଖାଦେବ। ପେଭର ବ୍ଲକ୍ ମଧ୍ୟରେ ଥିବା ସୂକ୍ଷ୍ମ ଫାଙ୍କ ଦେଇ ଜଳ ଭୂତଳକୁ ଯିବା ଏକ ଉଦ୍ଭଟ ଚିନ୍ତାଧାରା। ପ୍ରଶାସନକୁ ଏଥିପ୍ରତି ଦୃଷ୍ଟି ଦେବାର ସମୟ ଆସିଛି। ବାସ୍ତବରେ ପେଭର ବ୍ଲକ୍‌ ପଛରେ ଏକ ବଡ଼ ରୢାକେଟ୍‌କାମ କରୁଛି। ନିର୍ଦ୍ଦିଷ୍ଟ ଇଞ୍ଜିନିୟରମାନଙ୍କ ଇଙ୍ଗିତରେ କେତେକ ନିର୍ଦ୍ଦିଷ୍ଟ ଜାଗାରୁ ଏହି ପେଭର ବ୍ଲକ୍‌ ଆସୁଛି। ଦାମ୍‌ର ଦୁଇଗୁଣା ବିଲ୍‌ ହେଉଛି ଓ ଅଧାଅଧା ଭାଗବଣ୍ଟା ହୋଇଯାଉଛି। ଅନ୍ୟ ଜାଗାରୁ ଆଣିଲେ ଠିକାଦାରଙ୍କ ବିଲ୍‌ ପାଇବାରେ ବିଳମ୍ବ ହେଉଛି। ସହରରେ ଥିବା ସମସ୍ତ କନ୍‌ଜର୍‌ଭାନ୍‌ସି ଲେନ୍‌କୁ ପେଭରବ୍ଲକ୍‌ କରାଯାଇଛି। ଏଥିରେ ମୋଟାଅଙ୍କର କିକ୍‌ବ୍ୟାକ୍‌ କାରବାର ହୋଇଥିବା‌ ଦୁଇଜଣ ଠିକାଦାର ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe