ନରାଜକୁ ସିପିଡିଓ ସ୍ଥାନାନ୍ତର ପ୍ରସଙ୍ଗ, ବିପଦରେ ‘ପିକକ୍‌ ଭାଲି’

Advertisment

ମହାନଦୀ କୂଳରୁ କଟିବ ୨ ହଜାର ବୃକ୍ଷ, ବାସହରା ହେବେ ୧୨୮ ମୟୂର

ମହାନଦୀ କୂଳରୁ କଟିବ ୨ ହଜାର ବୃକ୍ଷ, ବାସହରା ହେବେ ୧୨୮ ମୟୂର

ନରାଜକୁ ସିପିଡିଓ ସ୍ଥାନାନ୍ତର ପ୍ରସଙ୍ଗ, ବିପଦରେ ‘ପିକକ୍‌ ଭାଲି’

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିବା ମୟୂରଙ୍କ ପ୍ରତି ଦେଖାଦେଇଛି ବିପଦ। ରାଜଧାନୀର କଳେବର ବୃଦ୍ଧି ଓ କୋଠାବାଡ଼ି ନିର୍ମାଣ ଯୋଗୁ ମୟୂରମାନେ ବାସସ୍ଥଳୀ ଛାଡ଼ି ପଳାଉଛନ୍ତି। ଆଉ ଯାହା ବି କିଛି ରହୁଛନ୍ତି ସେମାନେ ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ବଞ୍ଚିପାରୁ ନାହାନ୍ତି। ଘଙ୍ଗାପାଟଣାଠାରେ ଥିବା ଦେଉଳିଆପାଟଣା ପାହାଡ଼ରେ ଆଉ ଆଗଭଳି ମୟୂରଙ୍କୁ ଦେଖିବାକୁ ମିଳୁ ନ ଥିବା ବେଳେ ଏବେ ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଛି ନରାଜ-ତଳଗଡ଼ ନିକଟ ‘ପିକକ୍‌ ଭାଲି’। ମାତ୍ର ନରାଜକୁ କେନ୍ଦ୍ରୀୟ କୁକ୍କୁଟ ବିକାଶ ସଙ୍ଗଠନ (ସିପିଡିଓ) ସ୍ଥାନାନ୍ତରିତ ହେବା ନେଇ ନିଷ୍ପତ୍ତି ହେବା ପରେ ଏପରି ବିପଦର ଆଶଙ୍କା କରିଛନ୍ତି ପକ୍ଷୀପ୍ରେମୀ। ସିପିଡିଓ ସ୍ଥାନାନ୍ତର ହେଲେ ମୟୂରମାନେ ବାସହରା ହେବେ। କେବଳ ମୟୂର ନୁହେଁ, ବିଭିନ୍ନ ପ୍ରଜାତିର ଦେଶୀ, ବିଦେଶୀ ପକ୍ଷୀ, ଝିଙ୍କ, ବାର୍‌ହା, ହେଟାବାଘ, କୋକିଶିଆଳି ପରି ଜୀବଜନ୍ତୁଙ୍କ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ନରାଜଠାରୁ ତଳଗଡ଼ ଆଡ଼କୁ ଦେଇ ରାସ୍ତାପାର୍ଶ୍ୱରେ ପ୍ରାୟ ୬୦ ଏକର ସରକାରୀ ଜମି ରହିଛି। କଟକ ଜିଲ୍ଲା ବାରଙ୍ଗ ତହସିଲ ଅଧୀନରେ ଆସୁଥିବା ଏହି ସରକାରୀ ଜମି ମଧ୍ୟରୁ ପ୍ରାୟ ୪୦ ଏକରରେ ସିପିଡିଓ ପ୍ରତିଷ୍ଠା କରାଯିବ। ଯୋଜନା ଅନୁଯାୟୀ ତଳଗଡ଼ଠାରୁ ଆରମ୍ଭ କରି ପୁଲିସ ଫାୟାରିଂ ରେଞ୍ଜ୍‌ ମଧ୍ୟରେ ଏହି ଜାଗା ଦିଆଯିବ। ଏହାଦ୍ୱାରା ଅନେକ ଜୀବଜନ୍ତୁ ବାସହରା ହେବେ। ୨ ହଜାରରୁ ଅଧିକ ବୃକ୍ଷ କଟିବ। ୮୦୦ କାଜୁ, ୩୦୦ ଆକାଶିଆ, ଦୁଇ ଶହ ଝାଉଁ ଗଛ ସମେତ ବହୁ ମୂଲ୍ୟବାନ ଗଛ କଟାଯିବ। ଫଳରେ ଉଜୁଡ଼ିଯିବ ମହାନଦୀକୁ ଲାଗି ରହିଥିବା ଏହି ସବୁଜବଳୟ। ଗୋଟିଏ ପଟେ ରାଜ୍ୟ ସରକାର ମହାନଦୀ ପଠାରେ ବୃକ୍ଷରୋପଣ କରୁଥିବା ବେଳେ ଅନ୍ୟପଟେ ଏକାଥରେ ଦୁଇ ହଜାର ବୃକ୍ଷ କାଟାଯିବା କେତେଦୂର ଯୁକ୍ତଯୁକ୍ତି ତାହାକୁ ନେଇ ପରିବେଶପ୍ରେମୀମାନେ ପ୍ରଶ୍ନ କରିଛନ୍ତି।

ସବୁଠାରୁ ବଡ଼ ବିପଦର ସମ୍ମୁଖୀନ ହେବେ ମୟୂର। ସାରା ଦେଶରେ ଏବେ ମୟୂର ସଙ୍କଟ ଦେଖାଦେଇଛି। ଜାତୀୟ ପକ୍ଷୀଙ୍କ ସଂଖ୍ୟା ଦିନକୁ ଦିନ କମୁଥିବା ବେଳେ ୯୦ ଦଶକରୁ ଏହି ଅଞ୍ଚଳରେ ବାସ କରୁଥିବା ୧୨୮ଟି ମୟୂରଙ୍କ ଜୀବନ ପ୍ରତିି ବିପଦ ସୃଷ୍ଟି ହୋଇଛି। ଗଛ କଟାଯିବା ଦ୍ୱାରା ସେମାନଙ୍କ ବାସସ୍ଥଳୀ ମଧ୍ୟ ନଷ୍ଟ ହୋଇଯିବ। ସିପିଡିଓରେ ମୁଖ୍ୟତଃ କୁକୁଡ଼ା ଉପରେ ଗବେଷଣା ହେବାକୁ ଥିବାରୁ ବାର୍ଡ ଫ୍ଲୁର ଆଶଙ୍କା ମଧ୍ୟ ରହୁଛି। ଯେଉଁଥିପାଇଁ ମୟୂରଙ୍କ ସମେତ ଅନ୍ୟ ପକ୍ଷୀମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି।  ଏହି ସ୍ଥାନ ଏବେ ‘ପିକକ୍‌ ଭାଲି’ ନାମରେ ସାରା ବିଶ୍ୱରେ ପରିଚିତ ହୋଇଛି। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ  ମୟୂରମାନଙ୍କ ଏକାଠି ଖାଦ୍ୟ ଖାଇବାର ଦୃଶ୍ୟ ଦେଖିବା ପାଇଁ ଦେଶ ଓ ବିଦେଶରୁ ପର୍ଯ୍ୟଟକମାନେ ଏଠାକୁ ଆସୁଛନ୍ତି। ଜଙ୍ଗଲ ଘେରି ରହିଥିବା ଅଞ୍ଚଳର ଗୋଟିଏ ପାର୍ଶ୍ୱରେ ମହାନଦୀ ପ୍ରବାହିତ ହୋଇଥିବା ବେଳେ ନିକଟରେ ସିଦ୍ଧେଶ୍ୱର ମନ୍ଦିର ରହିଛି। ତେଣୁ ଏପରି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ବିଭିନ୍ନ ସମୟରେ ଦାବି କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ସେଥିପ୍ରତି ଗୁରୁତ୍ୱ ଦେଇନାହାନ୍ତି। ବରଂ ଏହି ଅଞ୍ଚଳକୁ ନଷ୍ଟ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ସ୍ଥାନୀୟ ଅଞ୍ଚଳ ଲୋକଙ୍କ କହିବା କଥା ହେଲା ସିପିଡିଓ ପ୍ରତିଷ୍ଠା ପାଇଁ ଜଙ୍ଗଲକୁ ନଷ୍ଟ କରିବାର ଅଧିକାର କାହାର ନାହିଁ। ଏହାଦ୍ୱାରା ବହୁ ଜୀବଜନ୍ତୁ ବାସ ହରାଇବେ। ଦୁଇ ଗାଁର ଲୋକ ମଧ୍ୟ ପ୍ରଭାବିତ ହେବେ। ବାର୍ଡ ଫ୍ଲୁ ହେଲେ ଗୃହପାଳିତ ପକ୍ଷୀ ମଧ୍ୟ ପ୍ରଭାବିତ ହେବେ। ଧନଜୀବନ ନଷ୍ଟ ହେବ। ପରିବେଶବିତ୍‌ଙ୍କ କହିବାନୁଯାୟୀ ଗୋଟିଏ ପଟେ ରାଜ୍ୟ ସରକାର ସବୁଜ ମହାନଦୀର ପରିକଳ୍ପନା କରୁଛନ୍ତି। ଅନ୍ୟପଟେ କେଉଁ ଆଧାରରେ ମହାନଦୀକୁ ଲାଗିରହିଥିବା ସବୁଜ ବଳୟକୁ କାଟିବାକୁ ଯୋଜନା କରୁଛନ୍ତି। ନରାଜ ନିକଟରେ ଥିବା ଏହି ସବୁଜ ପରିବେଶକୁ ନଷ୍ଟ ନ କରି ଏହି ରାସ୍ତାର ଅପର ପାର୍ଶ୍ୱରେ ଥିବା ଜମିକୁ ଯଦି ଦିଆଯାଆନ୍ତା ତେବେ ଅନେକ ଜୀବଜନ୍ତୁ ରକ୍ଷା ପାଇପାରନ୍ତେ। ଏତେ ସଂଖ୍ୟାରେ ଗଛକୁ କାଟିବାକୁ ପଡ଼ନ୍ତା ନାହିଁ।

ଅର୍ବାନ ପ୍ଲାନର୍‌ ପୀୟୂଷ ରାଉତ କହିଛନ୍ତି ଯେ ସିପିଡିଓ ସ୍ଥାନାନ୍ତର ହେଲେ ବହୁ ଜୀବଜନ୍ତୁ ବାସ ହରାଇବେ। ଜାତୀୟ ପକ୍ଷୀ ମୟୂର ପ୍ରତି ବିପଦ ସୃଷ୍ଟି ହେବ। ଏହି ଅଞ୍ଚଳ ବ୍ୟତୀତ ଅଧିକ କୁକୁଡ଼ା ଚାଷ ହେଉଥିବା ଖୋର୍ଧା, ଜଟଣୀ, ଜଗତ୍‌ସିଂହପୁର, ଚୌଦ୍ୱାର ପରି ଅଞ୍ଚଳରେ ସିପିଡିଓକୁ ସ୍ଥାନାନ୍ତର କରାଗଲେ ଭଲ ହୁଅନ୍ତା। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବି। ବାରଙ୍ଗ ତହସିଲଦାର ବିଜୟ କୁମାର ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ତିନି ଦିନ ତଳେ ଏକ ଟିମ୍‌ ଉକ୍ତ ସ୍ଥାନକୁ ଗସ୍ତ କରିଥିଲେ। ହେଲେ ସେ ବିଷୟରେ ମୋ ପାଖରେ କୌଣସି ଖବର ନାହିଁ। ମିଳିବା ପରେ କହିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe