କରୋନା ପକାଇଛି ମନରେ ବେଡ଼ି: ଜମିଲାନି ଆଖଡ଼ା, ପେଣ୍ଡାଲ୍‌ ଲକ୍‌ଡାଉନ୍‌

Advertisment
କରୋନା ପକାଇଛି ମନରେ ବେଡ଼ି: ଜମିଲାନି ଆଖଡ଼ା, ପେଣ୍ଡାଲ୍‌ ଲକ୍‌ଡାଉନ୍‌

ଭୁବନେଶ୍ବର: ଆଉ ଜମୁନି ଆଖଡ଼ା ଘର। ଶୁଭୁନି ଟିକିଙ୍କ ଆବେଗଭରା ସଂଳାପ। ନିରବ ରହିଛି ଦୈତ୍ୟାରି ପଣ୍ଡାଙ୍କ ଭୟଙ୍କର ଅଭିନୟର କର୍କଶ ସ୍ବର। କାନ୍ଦିବା ଓ କନ୍ଦାଇବା ଅଭ୍ୟାସ କରୁନାହାନ୍ତି କୈଳାସ। ହାତ, ଗୋଡ଼ ଓ ମନରେ ବେଡ଼ି ପକେଇ ଦେଇଛି କରୋନା। କରୋନା ପାଇଁ ପେଣ୍ଡାଲ୍‌ ଏବେ ଲକ୍‌ଡାଉନ୍‌। ଏଣେ ମଞ୍ଚ ବିନା ଛଟପଟ ହେଲାଣି କଳାକାରର ମନ। ଚିକିମିକି ଆଲୁଅ ମେଳରେ ରଙ୍ଗମଞ୍ଚରେ କଥା କହୁକହୁ ରାତି ପାହି ଯାଉଥିବା କଳାକାରଟିଏ ରାତି ହେଲେ ମଞ୍ଚକୁ ଝୁରୁଛି। ଘର କୋଣରେ ବସି ରହିଛି ସିନା, ମନ କିନ୍ତୁ ପେଣ୍ଡାଲ୍‌କୁ ଚାହିଁ ରହିଛି।

ସଂପ୍ରତି ଏ-ଶ୍ରେଣୀର ଯାତ୍ରାଦଳ ୧୭ଟି ରହିଥିବା ବେଳେ ଚଳିତବର୍ଷ ପାଇଁ ପାଖାପାଖି ୫୦ଟି ନୂଆ ନାଟକ ପାଇଁ ଆଖଡ଼ାରେ ପ୍ରସ୍ତୁତି ହୋଇଥାଆନ୍ତା। ଏହାବ୍ୟତୀତ ୫୦ରୁ ଅଧିକ ଅନ୍ୟ ଯାତ୍ରା ଦଳଗୁଡ଼ିକ ମଧ୍ୟ ନୂଆ ନାଟକ ପାଇଁ ଆଖଡ଼ା କରିବାକୁ ପ୍ରସ୍ତୁତି ଚଳାଇଥିଲେ। ଗୋଟେ ବର୍ଷ ଆଗରୁ ନୂଆ ନାଟକ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ତେବେ ଦୋଳପୂର୍ଣ୍ଣମୀ ବେଳେ ଯାତ୍ରା ଜମାଣ ସମୟରେ କରୋନା ପେଣ୍ଡାଲ୍‌ରେ ତାଲା ପକାଇଦେଲା। ଓଡ଼ିଶା ଯାତ୍ରା ମାଲିକ ସଂଘର ସମ୍ପାଦକ ତଥା ରଙ୍ଗମହଲର ସ୍ବତ୍ତ୍ବାଧିକାରୀ ସତ୍ୟ ଜେନା କହିଛନ୍ତି, ବର୍ଷକର ଯୋଜନା କେବଳ ପରିକଳ୍ପନାରେ ରହିଗଲା। ମୁଁ ବ୍ୟକ୍ତିଗତ ଭାବେ ଖଣ୍ଡଗିରି ଯାତ୍ରାର ବିଭିନ୍ନ ଯାତ୍ରା କମିଟିଠାରୁ ୫୦ରୁ ୫୫ଲକ୍ଷ ଟଙ୍କା ବଇନା ଆଣିଥିଲି। ହେଲେ ବଡ଼ କଳାକାରମାନଙ୍କୁ ୧ କୋଟି ୬ଲକ୍ଷ ଟଙ୍କା ବଇନା ଆକାରରେ ଦେଇ ଦେଇଥିଲି। ୩ଟି ନୂଆ ନାଟକ ଚଳିତ ବର୍ଷ ଭେଟି ଦେବା ପାଇଁ ଆଖଡ଼ା କରିବାକୁ ପ୍ରସ୍ତୁତ ଥିଲୁ। ମାତ୍ର କରୋନା ସବୁ ବିଗାଡ଼ି ଦେଲା। ଆମେ ଏବେ ବି ଆଖଡ଼ା କରିବାକୁ ପ୍ରସ୍ତୁତ ଅଛୁ। ଯଦି ସରକାର ଆଜି ଅନୁମତି ଦିଅନ୍ତି, ତେବେ ଆସନ୍ତାକାଲିଠୁ ଆଖଡ଼ା ଆରମ୍ଭ କରିଦେବୁ। ମାତ୍ର ନିକଟ ଭବିଷ୍ୟତରେ ଏମିତି କିଛି ଘଟିବାର ନାହିଁ। ଏଣେ ହାତ ଖାଲି ହୋଇଯାଇଥିବା ବେଳେ ଆଗକୁ କେମିତି ଯାତ୍ରା ଚାଲୁ ରଖିବୁ, ସେନେଇ ଚିନ୍ତାରେ ପଡ଼ିଛୁ ବୋଲି ଶ୍ରୀ ଜେନା କହିଛନ୍ତି।

publive-image

ଆଉ ଦର୍ଶକଙ୍କ ପ୍ରଶଂସା ପାଇପାରୁନି
ବେ‌ଳେବେଳେ କିଛି ଦର୍ଶକ ଦେଖାହେଲେ ପଚାରନ୍ତି, ତୁମେ ଏତେ ସଂଳାପ କେମିତି ମନେ ରଖୁଛ। ମୁଁ ଉତ୍ତର ‌ଦିଏ, ଭଗବାନ ତ ମତେ ସେଇଥିପାଇଁ କଳାକାର କରି ଦୁନିଆକୁ ପଠେଇଛନ୍ତି। ଏବେ କିନ୍ତୁ ଆଉ କେହି ବି ସେପରି ପ୍ରଶଂସା କରୁନାହିଁ। ଜଣେ ଶ୍ରମିକଟିଏ ହେଲେ ମଧ୍ୟ ସେ ତା’ର କାମ କରିପାରୁଛି। ଆମେ ଇଚ୍ଛା ହେଲେ ବି ଅଭିନୟ କରିବାକୁ ସୁଯୋଗ ନାହିଁ। ତାହା ହିଁ କଳାକାରର ସବୁଠୁ ବଡ଼ ଦୁଃଖ। ମୁଁ ଏବେ ଧଉଳି ଗଣନାଟ୍ୟର ଆଖଡ଼ାରେ ତୃତୀୟ ନାଟକ ସାରିବା ପର୍ଯ୍ୟାୟରେ ପହଞ୍ଚିଥାଆନ୍ତି। ମାତ୍ର କିଛି ହୋଇପାରିଲା ନାହିଁ।

-ଟିକି, ଅଭିନେତ୍ରୀ, ଧଉଳି ଗଣନାଟ୍ୟ

ସୋସିଆଲ ମିଡିଆର ସାହାରା ନେଇଛି
ଏ ବର୍ଷ ଯାତ୍ରା ‘ବିଶ୍ବ ଦରବାର’ରେ ୩ଟି ନୂଆ ନାଟକରେ ଅଭିନୟ ପାଇଁ ଚୁକ୍ତିବଦ୍ଧ ହୋଇଥିଲି। ଆଖଡ଼ା ଶେଷ ପର୍ଯ୍ୟାୟରେ ପହଞ୍ଚିଥାଆନ୍ତା। ମାତ୍ର ପେଣ୍ଡାଲ୍‌ରେ ତାଲା ପଡ଼ିଗଲା। ଗୋଡ଼, ହାତ ଓ ମନରେ ବେଡ଼ି ପଡ଼ିଗଲା। ଭିତରର କଳାକାର ମନଟା ଛଟପଟ ହେଉଥିଲା। ଯେବେ ସୋସିଆଲ ମିଡିଆରେ ପ୍ରଶଂସକମାନେ ସଂଳାପ ଶୁଣିବାକୁ ଚାହିଲେ, ସେଇଥିରେ ନିଜ କଳାକାର ମନର ଭୋକ ମେଣ୍ଟାଇବାକୁ ଉଦ୍ୟମ କରୁଛି। ଏସବୁ ସିନା ଚାଲିଛି। ମାତ୍ର ପାଣି ବିନା ମାଛର ଅବସ୍ଥା ଯାହା, ମଞ୍ଚ ବିନା କଳାକାରର ଅବସ୍ଥା ବି ସେୟା।

-ବାପି ପଣ୍ଡା, ଅଭିନେତା, ଯାତ୍ରା ବିଶ୍ବ ଦରବାର

ନିରୁପାୟ ହୋଇଯାଇଛୁ
ଏତେ ବେଳକୁ ମୋ’ର ଦୁଇଟା ଯାତ୍ରା ଶେଷ ହୋଇ ସାରନ୍ତାଣି। ମୁଁ ମାୟାନଗରୀ, ସଚ୍ଚିଦାନନ୍ଦ, ସୂର୍ଯ୍ୟମନ୍ଦିର ଓ ପାର୍ବତୀ ଗଣନାଟ୍ୟରେ ୪ଟି ନାଟକ ନିର୍ଦେଶନା ପାଇଁ ସୁଯୋଗ ପାଇଥିଲି। ମାତ୍ର ଲକ୍‌ଡାଉନ୍‌ ହୋଇଯିବା ପରେ ସବୁ ଯେମିତି ଅନ୍ଧକାରମୟ ଦେଖାଯାଉଛି। ଏଇ ସମୟ ଆସିଲେ, ଫୋନ୍‌ ଉଠାଇବାକୁ ବି ଫୁର୍‌ସତ ନଥାଏ। କେବଳ ପୂର୍ବ ଆଖଡ଼ା କଥା ମନେ ପଡ଼ୁଛି। ଆଉ କିଛି ଉପାୟ ନାହିଁ।

-ଲାଲା ବୀରେନ୍‌ ରାୟ, ଯାତ୍ରା ନିର୍ଦେଶକ

ମଞ୍ଚ ପଛରେ ଥିଲେ ବି ଦୁର୍ବାର ଆକର୍ଷଣ ଥାଏ
ଖଣ୍ଡଗିରି ଯାତ୍ରା ପରେ ୨୦ରୁ ଅଧିକ ନୂଆ ନାଟକ ପାଇଁ ଗୀତ ଲେଖିବାକୁ ସୁଯୋଗ ମିଳିଥିଲା। ପେଣ୍ଡାଲ୍‌ ପଛରେ ରହିଲେ ବି ମଞ୍ଚ ପ୍ରତି ଦୁର୍ବାର ଆକର୍ଷଣ ଥାଏ। ଜୁନ୍ ୨୦ରୁ ଆଖଡ଼ା ଆରମ୍ଭ ହେବା ପରେ ମୋ ଜୀବନଟା ଯାତ୍ରାରେ ବୁଡ଼ି ରୁହେ। କିଛି ଯାତ୍ରାର କାହାଣୀ ଶୁଣି ଗୀତ ପ୍ରସ୍ତୁତ କରିଦିଏ। ମାତ୍ର ଆଉ କିଛି ଗୀତ ଆଖଡ଼ା ଚାଲିଥିବା ବେଳେ ସେଇଠି ଥାଇ ପ୍ରସ୍ତୁତ କରିବାକୁ ପଡ଼େ। ପେଟ ପୋଷିବା ସହ ଏଇଥିରେ ହିଁ ସବୁ ଖୁସି ଓ ଆନନ୍ଦ ନିହିତ ଥାଏ। ଏବେ କିନ୍ତୁ ଘରେ ରହି କିଛି ଗୀତ ପ୍ରସ୍ତୁତ କରିବାକୁ ପଡ଼ୁଛି।

-ନିଗମ ମିଶ୍ର, ଗୀତିକାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe