ପ୍ରଶାସନ ବେଫିକର, ଲୋକେ ସଫା କଲେ ଜୟଦେବ ପୀଠ

Advertisment
ପ୍ରଶାସନ ବେଫିକର, ଲୋକେ ସଫା କଲେ ଜୟଦେବ ପୀଠ

ବାଲିଅନ୍ତା: ବାତ୍ୟା ‘ଫନି’କୁ ୯ ମାସ ବିତିଯିବା ପରେ ମଧ୍ୟ କେନ୍ଦୁବିଲ୍ବସ୍ଥିତ ଜୟଦେବ ପୀଠର ଅବସ୍ଥା ସୁଧୁରି ପାରିନାହିଁ। ପୀଠ ପରିସରରେ ଏବେ ବି ସବୁଜ ଆବର୍ଜନା ପଡ଼ି ରହିଛି। ୨୭ ଏକର ପରିମିତ ଉକ୍ତ ପୀଠର ଉଜୁଡ଼ା ପ୍ରାକୃତିକ ସୌନ୍ଦର୍ଯ୍ୟର ରକ୍ଷଣାବେକ୍ଷଣ ନେଇ ପୀଠ ପରିଚାଳନା ଦାୟିତ୍ବରେ ଥିବା ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ପର୍ଯ୍ୟଟନ ବିଭାଗ, ପ୍ରତ୍ନତତ୍ତ୍ବ ବିଭାଗ, ଦେବୋତ୍ତର ବିଭାଗ ଓ ସଂସ୍କୃତି ବିଭାଗ ପୂରା ବେଫିକର। ଏହାକୁ ସଫା‌ କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଫଳରେ ପର୍ଯ୍ୟଟନ ଋତୁ ଅବସରରେ ଏବେ ଜୟଦେବ ପୀଠ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ହିନସ୍ତା ହେଉଛନ୍ତି।

ଏହାକୁ ଉପଲବ୍ଧି କରି ଆଜି ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ‘ଆମ ସଂଗଠନ’ ପକ୍ଷରୁ ସଫେଇ କରାଯାଇଥିଲା। ସଂଗଠନର ଅଧ୍ୟକ୍ଷ କମଳ କୁମାର ପାତ୍ରଙ୍କ ନେତୃତ୍ବରେ ଜୟଦେବ ନିର୍ବାଚନମଣ୍ଡଳୀର ୨୦୦୦ରୁ ଅଧିକ ଲୋକ ଆଜି ପୂର୍ବାହ୍ନରେ ପୀଠ ପରିସର ସଫେଇ କରିଛନ୍ତି। ପୂରା ପୀଠ ପରିସର ପରିଷ୍କାର ହେବା ପର୍ଯ୍ୟନ୍ତ ପ୍ରତିଦିନ ସଫେଇ କରାଯିବ ବୋଲି କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି, ଉପାଧ୍ୟକ୍ଷ ଦୀପସ କୁମାର ସ୍ବାଇଁ, ସରପଞ୍ଚ ଉମାକାନ୍ତ ଆଚାର୍ଯ୍ୟ, ନମିତା ବେହେରା ଓ ସୁକାନ୍ତ ସାହୁ ଏବଂ ଆଇନଜୀବୀ କୈଳାସ ଚନ୍ଦ୍ର ପାତ୍ର, କିଶୋର ଜେନା, ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ସେନାପତି ଓ ବିନେଶ କୁମାର ନାୟକଙ୍କ ସହ ବାଲିଅନ୍ତା ଓ ବାଲିପାଟଣା ବ୍ଲକର ୩୩ଟି ଯାକ ପଞ୍ଚାୟତର ଲୋକେ ସାମିଲ ହୋଇଥିଲେ। ଜୟଦେବ ପୀଠର ପୂର୍ବଶିରି ଫେରାଇ ଆଣିବା ଦିଗରେ ସରକାର ଓ ଉପରୋକ୍ତ ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe