ଏକାମ୍ର କ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼, ଆଜିଠୁ ମହାପ୍ରଭୁଙ୍କ ରାଇ ଦାମୋଦର ବେଶ

Advertisment
ଏକାମ୍ର କ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼, ଆଜିଠୁ ମହାପ୍ରଭୁଙ୍କ ରାଇ ଦାମୋଦର ବେଶ

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ହବିଷ୍ୟାଳିଙ୍କ ବ୍ରତ ଗୁରୁବାରଠାରୁ ଆରମ୍ଭ ହେବ। ଏନେଇ ପ୍ରସ୍ତୁତି ଚାଲିଛି। କୁମାର ପୂର୍ଣ୍ଣିମା ପରଦିନ ଏହି ବ୍ରତ ଆରମ୍ଭ ହେବା ନିୟମ ଥିବାରୁ ପରମ୍ପରା ଅନୁଯାୟୀ ହବିଷ୍ୟାଳିମାନେ ଏକାମ୍ର କ୍ଷେତ୍ରରେ ଆସି ପହଞ୍ଚିଛନ୍ତି। ହବିଷ୍ୟାଳିମାନେ ଦୁଦୱାଲା ଧର୍ମଶାଳାରେ ଆସି ରହିଛନ୍ତି। ଆସନ୍ତାକାଲି ସକାଳୁ ଚଉରା ମୂଳେ ମୁରୁଜରେ ଠାକୁରଙ୍କ ଚିତ୍ର କରି ପୂଜା ଆରମ୍ଭ କରିବେ। ସେପଟେ ସୁଆର ସେବାୟତମାନେ ହବିଷ୍ୟାଳିମାନଙ୍କ ପାଇଁ ସ୍ବତନ୍ତ୍ର ଅବଢ଼ା ଓ ହବିଷ ଡାଲମା କରାଯିବା ପାଇଁ ପ୍ରସ୍ତୁତି କରାଯାଉଛି ବୋଲି କହିଛନ୍ତି। ଆସନ୍ତାକାଲିଠାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ଦାମୋଦର ବେଶ ମଧ୍ୟ ଆରମ୍ଭ ହେବ। କାର୍ତ୍ତିକ ମାସ ତମାମ ମନ୍ଦିରରେ ସକାଳ ଓ ସନ୍ଧ୍ୟା ଧୂପରେ ଏହି ବେଶ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ହବିଷ୍ୟାଳିମାନେ ଭୋର୍‌ ୪ଟାରୁ ଉଠି ସ୍ନାନ କରି ପ୍ରଥମେ ତୁଳସୀ ଗଛ ଓ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏହା ପରେ ସ୍ନାନ ସାରି ସୂର୍ଯ୍ୟଙ୍କୁ ପାଣି ଦେଇ ତୁଳସୀ ପାଣି ପଣି ପିଇବେ। ଦେହରେ ଓ ମୁଣ୍ଡରେ ଚିତା ତିଳକ ଲଗାଇ ଭାଗବତ ପାଠ କରିବେ। ଏହା ପରେ ଅନନ୍ତ ବାସୁଦେବଙ୍କ ଦର୍ଶନ ସାରି ତୁଳସୀ ଚଉରାମୂଳେ ମୁରୁଜ ପକାଇବେ। ସେମାନେ ମୁରୁଜରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣ, ଗରୁଡ଼ ଆଦି ତିଆରି କରିବେ। ସେମାନେ ରାଧାକୃଷ୍ଣ ଓ ଶିବ ପାର୍ବତୀଙ୍କ ଫଟୋକୁ ପୂଜା କରିବା ସହ ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାଇ ଦେବଦେବୀଙ୍କୁ ଦର୍ଶନ କରି ସଞ୍ଜ ବଳିତା ଦେଇ ଆଳତି କରିବେ। ଏହାପରେ ମହାପ୍ରଭୁଙ୍କ ଦର୍ଶନ ସାରି ଅବଢ଼ା ପ୍ରସାଦ ସେବନ କରିବେ ବୋଲି ହବିଷ୍ୟାଳିମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe