ସଟ୍‌ଡାଉନ୍‌ ପୂର୍ବରୁ ହାଟରେ ଭିଡ଼, ମାନିଲେନି କଟକଣା

Advertisment
ସଟ୍‌ଡାଉନ୍‌ ପୂର୍ବରୁ ହାଟରେ ଭିଡ଼, ମାନିଲେନି କଟକଣା

ଭୁବନେଶ୍ବର : ରାତି ପାହିଲେ ରାଜ୍ୟର ୧୧ଟି ଜିଲ୍ଲା ସଟ୍‌ଡାଉନ୍‌ ହେବ। ଯେଉଁଥିରେ ରାଜଧାନୀ ଭୁବନେଶ୍ବର ରହିଛି। ୪୮ ଘଣ୍ଟିଆ ଏହି ସଟ୍‌ଡାଉନ୍ ନେଇ ଆଗରୁ ଘୋଷଣା ହୋଇଥିଲେ ମଧ୍ୟ ଏହାକୁ ନେଇ ଆଜି ରାଜଧାନୀରେ ଆଲୋଡ଼ନ ସୃଷ୍ଟି ହୋଇଛି। ବନ୍ଦ ପାଇଁ ପ୍ରସ୍ତୁତ ହେବା ପାଇଁ ଅପରାହ୍‌ଣ ୩ଟା ପରଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସହରରେ ଥିବା ସମସ୍ତ ହାଟ, ବଜାର, ରାସ୍ତାଘାଟରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଛାନିଆରେ ସହରବାସୀ ଜିନିଷପତ୍ର କିଣିବାରେ ଲାଗି ପଡ଼ିଥିଲେ। ଲକ୍‌ଡାଉନ୍‌ କଟକଣାକୁ ବେଖାତିର କରି ବହୁ ଲୋକ ଘରୁ ବାହାରି ଆସିବାରୁ ସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ହାଟରେ ସାମାଜିକ ଦୂରତ୍ବ ନ ଥିଲା କି ଅଧିକାଂଶଙ୍କ ମୁହଁରେ ମାସ୍କ ନ ଥିଲା। ଯିଏ ଯେମିତି ପାରିଲେ ବୁଲିଲେ ଏବଂ ସାମଗ୍ରୀ କିଣିଲେ। ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସର ଦେଖା ନ ଥିଲା।

publive-image

ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ରାଜଧାନୀ ସମେତ ଉପକଣ୍ଠ ଅଞ୍ଚଳରେ ବଜାରକୁ ଲୋକଙ୍କ ସୁଅ ଛୁଟିଥିଲା। ରସୁଲଗଡ଼, ଭିଏସ୍‌ଏସ୍‌ ନଗର, ଚନ୍ଦ୍ରଶେଖରପୁର ଫଳ ମାର୍କେଟ, ଡମଣା ହାଟ, ଆଇଆରସି ଭିଲେଜ୍‌, ୟୁନିଟ୍‌-୧ ମାର୍କେଟ୍‌, ନୟାପଲ୍ଲୀ, ଖଣ୍ଡଗିରି, ୟୁନିଟ୍-୪ ହାଟରେ ପନିପରିବା, ସଉଦା, ମେଡିସିନ୍ ଭଳି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଗହଳି ଲାଗିଥିଲା। ଗୋଟିଏ ଗୋଟିଏ ସ୍ଥାନରେ ଶତାଧିକ ଲୋକ ରୁଣ୍ଡ ହୋଇ ସାମଗ୍ରୀ କିଣି ଚାଲିଥିଲେ। ଭିଡ଼ ଏତେ ହୋଇଥିଲା ଯେ ବେପାରୀଙ୍କୁ ବି ନାକେଦମ୍‌ ହେବାକୁ ପଡ଼ିଥିଲା। ସଉଦା କିଣିବା ପାଇଁ ଚଢ଼ାମଢ଼ା ହେଉଥିଲେ। ଲାଗୁଥିଲା ସତେଯେମିତି ପନିପରିବା ବଜାରରୁ ସରିଯିବ। ବିଏମ୍‌ସିର ନିୟମ ଅନୁଯାୟୀ, ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ସବୁ ବେପାରୀ ଦୋକାନ ବନ୍ଦ କରିବେ। ତେବେ ଆଜି କେହି ବ୍ୟବସାୟୀ କଟକଣା ମାନି ନଥିଲେ। ରାତି ୮ଟା ପର୍ଯ୍ୟନ୍ତ କେତେକ ସ୍ଥାନରେ ବେପାରୀ ଦୋକାନ ଖୋଲି ବେପାର କରୁଥିବା ନଜରକୁ ଆସିଥିଲା।

publive-image

ଲୋକଙ୍କ ଭିଡ଼କୁ ଦେଖି ବ୍ୟବସାୟୀ ମଧ୍ୟ ଫାଇଦା ଉଠାଇଥିଲେ। ସବୁ ପରିବା ଉପରେ ୫ରୁ ୧୦ଟଙ୍କା ବଢ଼ାଇ ଦେଇଥିଲେ। ସକାଳେ ଯେଉଁ ପରିବାର ମୂଲ୍ୟ ୪୦ ଟଙ୍କା ଥିଲା, ସନ୍ଧ୍ୟାରେ ତାହା ୫୦ ଟଙ୍କାରେ ବିକ୍ରି ହେଉଥିଲା। ଆମ୍ବ କିଲୋ ପିଛା ମୂଲ୍ୟ ହଠାତ୍‌ ୧୨୦ ଟପି ଯାଇଥିଲା। ଆଳୁ ଦର ବି କେତେକ ସ୍ଥାନରେ ୩୦ ଡେଇଁଯାଇଥିଲା। ହଠାତ୍‌ ଏଭଳି ଦର ବୃଦ୍ଧିକୁ ନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ ସାମଗ୍ରୀ ନେବାକୁ ଟିକିଏ ବି କୁଣ୍ଠାବୋଧ କରି ନ ଥିଲେ। ଭିଡ଼ ଭିତ‌ରେ ଘଣ୍ଟା ଘଣ୍ଟା ଛିଡ଼ାହୋଇ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe