ବନ୍ୟା ପରେ କାଣ୍ଡବିନ୍ଧା ପୋକଙ୍କ ପ୍ରାଦୁର୍ଭାବ, ଚଢ଼ା ଦରରେ କିଣି ହେଉନି କୀଟନାଶକ

Advertisment
ଲୋକାୟୁକ୍ତଙ୍କ ଶୁଣାଣି ପରେ ଚକଡ଼ା ପୋକ କ୍ଷତିଗ୍ରସ୍ତ କୃଷକଙ୍କୁ ମିଳିଲା ଆର୍ଥିକ ସହାୟତା

Representational image

ବାଲିଅନ୍ତା: ବନ୍ୟା ଛାଡ଼ିଛି ସିନା କିନ୍ତୁ ଚାଷୀଙ୍କ ଦୁର୍ଦ୍ଦଶାର ଅନ୍ତ ଘଟିନାହିଁ। ବନ୍ୟା ମୁହଁରୁ ବଞ୍ଚି ଯାଇଥିବା ଧାନ ଫସଲ ଏବେ କାଣ୍ଡବିନ୍ଧା ପୋକଙ୍କ ମୁହଁରେ ନଷ୍ଟ ହେବାକୁ ବସିଛି। କୀଟନାଶକ ମିଳୁନଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ତୁରନ୍ତ କୃଷି ବିଭାଗ ସହଯୋଗ ନ କଲେ ଚାଷୀମାନେ ସର୍ବସ୍ବାନ୍ତ ହେବା ନିଶ୍ଚିତ ବୋଲି ଜଳଜଳ ଦେଖାଗଲାଣି।

ଭାର୍ଗବୀ ଓ ଧନୁଆ‌ ନଈ ବନ୍ୟାରେ ବାଲିଅନ୍ତା ଓ ବାଲିପାଟଣା ବ୍ଲକରେ ବିପୁଳ ପରିମାଣର ଧାନ ଫସଲ ନଷ୍ଟ ହୋଇଛି। ତେବେ କିଛି ଢିପ ଜମିରେ ଧାନ ଗଛ ବଞ୍ଚିଛି। ତେଣୁ ଘର ପୋଡ଼ିରୁ କୁଟାଖିଅ ପାଇବା ନ୍ୟାୟରେ ବହୁ ଚାଷୀ ଏହିଭଳି ଜମିରୁ କିଛି କିଛି ପାଇବେ ବୋଲି ଆଶା ବାନ୍ଧିଥିଲେ। ମାତ୍ର ଏବେ ପରିସ୍ଥିତି ପୁଣି ବିଗିଡ଼ିବାରେ ଲାଗିଛି। କାଣ୍ଡବିନ୍ଧା ପୋକମାନେ ଚାଷୀ ମୁଣ୍ଡରେ ଚଡ଼କ ପକାଇଲେଣି। ଏହି ପୋକମାନେ ଧାନ ଗଛରୁ ବାହାରୁଥିବା କଅଁଳ କାଣ୍ଡକୁ କାଟି ପକାଉଛନ୍ତି। ଫଳରେ ଧାନଗଛ ବଢ଼ିବାରେ ସମସ୍ୟା ସୃଷ୍ଟି ହେଉଛି ଓ ସେଥିରେ ଆଉ ନୂଆ ପତ୍ର କଅଁଳୁ ନାହିଁ। ଗଛ ଧୀରେ ଧୀରେ ହଳଦିଆ ପଡ଼ି ମରି ଯାଉଛି। ବାଲିଅନ୍ତା ଅଞ୍ଚଳରେ ଏମିତି ଶହ ଶହ ଏକର ଧାନ ଜମି ନଷ୍ଟ ହୋଇଗଲାଣି।

କିଛି ଚାଷୀ ଠିକ ସମୟରେ କୀଟନାଶକ ପକାଇ କାଣ୍ଡବିନ୍ଧା ପୋକ ଦାଉରୁ ଜମିକୁ ରକ୍ଷା କରିବାରେ ସକ୍ଷମ ହେଉଛନ୍ତି। ହେଲେ ଅଧିକାଂଶ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ହାତରେ ପଇସା ନଥିବାରୁ ସେମାନେ ଜମିରେ କୀଟନାଶକ ପକାଇବାରେ ଅସମର୍ଥ ହେଉଛନ୍ତି। ବ୍ଲକ କୃଷି ବିଭାଗ ପକ୍ଷରୁ ବନ୍ୟାଞ୍ଚଳ ଚାଷୀଙ୍କୁ ରିହାତି ମୂଲ୍ୟରେ କୀଟନାଶକ ଔଷଧ ଯୋଗାଣ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଫଳରେ ଚାଷୀମାନେ ଖୋଲା ବଜାରରୁ ଆବଶ୍ୟକ କୀଟନାଶକ ଅଧିକ ଚଢ଼ା ମୂଲ୍ୟରେ କିଣିବାକୁ ବାଧ୍ୟ ହେଉଛନ୍ତି। ଯାହା ପାଖରେ ପଇସା ଅଛି, ସେମାନେ କିଣୁଛନ୍ତି। ମାତ୍ର ବହୁ ଚାଷୀ ଚଢ଼ା ଦର ଯୋଗୁଁ ଔଷଧ କିଣି ପାରୁନାହାନ୍ତି। ଏ ସଂପର୍କରେ ବାଲିଅନ୍ତା ସହକାରୀ କୃଷି ଅଧିକାରୀ ମନୋରଂଜନ ରାଉଳଙ୍କ କହିବା କଥା ଚାଷୀଙ୍କୁ ରିହାତି ଦରରେ କୀଟନାଶକ ଯୋଗାଇ ଦିଆଯିବ ବୋଲି ଉପରସ୍ତରରେ ଆଲୋଚନା ହୋଇଛି। ଖୁବ୍‌ ଶୀଘ୍ର କ୍ଷତିଗ୍ରସ୍ତ ଚାଷୀମାନେ ଏହି ସୁବିଧା ପାଇବା ନେଇ ଆଶା କରାଯାଉଛି। ନିଜ ଅଞ୍ଚଳର ସ୍ବୀକୃତିପତ୍ର ଦେଖାଇ ସେମାନେ ସଂପୃକ୍ତ ଦୋକାନୀଙ୍କ ଠାରୁ କୀଟନାଶକ ନେଇପାରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe