ଭୁବନେଶ୍ୱର : ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ମାସେ ପୂରି ଗଲାଣି। ଏଭଳି ଛାତିଥରା ବିସ୍ଫୋରଣ ଯେ କେବଳ ରାଜଧାନୀ ପାଇଁ ନୂଆ ଥିଲା, ତାହା ନୁହେଁ, ସାରା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୨୫ରୁ ଅଧିକ ଆହତ ହୋଇଥିଲେ। ୧୦ରୁ ଅଧିକ ଗାଡ଼ି ମୋଟର ସହ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଲୋକଙ୍କ କାଚ ଝରକା ଭାଙ୍ଗି ଯାଇଥିଲା। କିଛି ଲୋକ ସବୁଦିନ ପାଇଁ ଶ୍ରବଣ ଶକ୍ତି ମଧ୍ୟ ହରାଇ ବସିଛନ୍ତି। ଏହି ଘଟଣାରେ କମିସନରେଟ୍ ପୁଲିସ୍ ତତ୍କ୍ଷଣାତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ ସହ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିଥିଲା। ପୂରା ମାମଲା ଉପରୁ ପରଦା ଉଠାଇବା ପାଇଁ ରାଜ୍ୟ ଫରେନସିକ୍ ଟିମର ସହାୟତା ନିଆଯାଇଥିଲା। ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା କରି ୫ଦିନ ପର୍ଯ୍ୟନ୍ତ ପୁଲିସ ସୁରକ୍ଷା ବଳୟରେ ରହିଥିଲା ପେଟ୍ରୋଲ ପମ୍ପ। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ଘଟଣାସ୍ଥଳକୁ ଛଡ଼ା ଯାଇ ନଥିଲା। କିନ୍ତୁ ଏହି ସମ୍ବେଦନଶୀଳ ମାମଲାକୁ ମାସେ ବିତି ଯାଇଥିଲେ ମଧ୍ୟ ଘଟଣାର ପର୍ଦ୍ଦାଫାସ୍ କରି ପାରିନାହିଁ ପୁଲିସ୍। ଏନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ପର୍ଯ୍ୟନ୍ତ କାହିଁକି ପୁଲିସ ଘଟଣା ଉପରୁ ପରଦା ଉଠାଇ ପାରିନାହିଁ, ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିଲେ ମଧ୍ୟ ପୁଲିସ ଉପରେ ଚାପ ରହୁଛି କି? ନା ଫରେନସିକ୍ ତଦନ୍ତରେ ବିଳମ୍ବ ହେଉଛି? ନା ପୁଲିସକୁ ଯେଉଁ ବୈଷୟିକ ରିପୋର୍ଟ ମିଳିଛି, ସେଥିରେ ସନ୍ତୁଷ୍ଟ ହୋଇପାରୁନାହିଁ? କେବେ ରହସ୍ୟ ଖୋଲିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।
/sambad/media/post_attachments/wp-content/uploads/2020/10/petrol-pump-balst-bbsr-8-300x166.jpg)
ତଦନ୍ତ କରୁଛନ୍ତି ୪ ସଂସ୍ଥା
ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ୪ ସଂସ୍ଥା ତଦନ୍ତ କରୁଛନ୍ତି। ଘଟଣା ପରେ ତତ୍କ୍ଷଣାତ୍ କମିସନରେଟ୍ ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ମାମଲାର ପର୍ଦ୍ଦାଫାସ୍ ହୋଇପାରି ନାହିଁ। ପେଟ୍ରୋଲ ପମ୍ପର ସ୍ବତନ୍ତ୍ର ଭାବେ ସୁରକ୍ଷା ଯାଞ୍ଚ ଦାୟିତ୍ବରେ ଥିବା ପେଟ୍ରୋଲିୟମ୍ ଆଣ୍ଡ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନ୍(ପେସୋ) ଘଟଣାର ତଦନ୍ତ ଜାରି ରଖଛି। ବିଭିନ୍ନ ଦିଗକୁ ଆଧାର କରି ପେସୋ ତଦନ୍ତ ଚଳାଇଥିଲେ ମଧ୍ୟ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହିଁ। ସେହିପରି ଆଇଓସିଏଲ୍ ମଧ୍ୟ ତଦନ୍ତ କରିଥିଲା। କିନ୍ତୁ ସେମାନେ ମଧ୍ୟ କିଛି ସୁରାକ୍ ପାଇନାହାନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ ଟିମ୍ ଭୁବନେଶ୍ବର ଆସି ଦୁଇ ଦିନ ଧରି ତଦନ୍ତ କରି ଫେରିଥିଲେ। ୪ଟି ସଂସ୍ଥା ତଦନ୍ତ କରିଥିଲେ ବି କୌଣସି ନିର୍ଯ୍ୟାସ ବାହାରି ପାରି ନାହିଁ।
ଭାମ୍ବରା ପମ୍ପରେ ସିସିଟିଭି ଯାଞ୍ଚ କଲା ପେସୋ
ସାଇଟ୍ ଇଞ୍ଜିନିୟର ଭୂତଳ ଏଲ୍ପିଜି ଟାଙ୍କିର ଭାଲ୍ଭ ଖୋଲିବା ସମୟରେ ରାଜଭବନ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟିଥିଲା ବୋଲି ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଛି। କିନ୍ତୁ ଏହାର କାରଣ ଅସ୍ପଷ୍ଟ ରହିଛି। ଏକାଧିକ ତଦନ୍ତକାରୀ ଟିମ୍ଙ୍କ ପାଇଁ ଏହାର କାରଣ ଖୋଜିବା ଚ୍ୟାଲେଞ୍ଜ ହୋଇପଡ଼ିଛି। ରାଜଭବନ ପେଟ୍ରୋଲ ପମ୍ପ ଯାଞ୍ଚ କରୁଥିବା ସଂସ୍ଥା ପୂର୍ବରୁ ସିଆର୍ପି ଛକରେ ଥିବା ଭାମ୍ବରା ପେଟ୍ରୋଲ ପମ୍ପରେ କାମ କରୁଥିଲେ। ସେଠାରେ ଥିବା ଏଲପିଜି ଟାଙ୍କିରେ ମଧ୍ୟ ଯାଞ୍ଚ ପ୍ରକ୍ରିୟା ଚାଲିଥିଲା। ସେହି ଯାଞ୍ଚ ପ୍ରକ୍ରିୟାର କାର୍ଯ୍ୟଶୈଳୀ କ’ଣ ଥିଲା, ସୀମାଞ୍ଚଳ ଭାଲ୍ଭ ଖୋଲିବା ସମୟରେ କ’ଣ କରୁଥିଲେ, ତାହା ଜାଣିବା ଲାଗି ଗତକାଲି ଦିନତମାମ ଭାମରା ପେଟ୍ରୋଲ ପମ୍ପରେ ସିସିଟିଭି ଯାଞ୍ଚ କରିଛି ପେସୋ (ପେଟ୍ରୋଲିୟମ୍ ଆଣ୍ଡ୍ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନ୍)।
ପୂରା କାମ ସମୟର ସିସିଟିଭି ଫୁଟେଜ୍କୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି। ଏଲପିଜି ଗ୍ୟାସ୍ ଫିଲିଂ ହେବା ପୂର୍ବରୁ ନାଇଟ୍ରୋଜେନ୍ ଗ୍ୟାସ୍ କଢ଼ା ଯାଉଥିବା ଫୁଟେଜ୍ରୁ ଜଣାପଡ଼ିଛି। ପ୍ରାୟ ମାସେ ପରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ଟେକ୍ନିସିଆନ୍ ଭରଦ୍ବାଜ୍ ଶ୍ରୀବାସ୍ତବଙ୍କ ବୟାନ ରେକର୍ଡ କରାଯିବା ପରେ ପୂରା ଘଟଣାର ରହସ୍ୟ ଉନ୍ମୋଚନ ହେବ ବୋଲି ପେସୋର ଜଣେ ଅଧିକାରୀ କହିଛନ୍ତି।
/sambad/media/post_attachments/wp-content/uploads/2020/11/petrol-pump-m6-300x198.jpg)
ମୁଣ୍ଡ ଉପରେ ଲଟକିଛି ବିପଦ
ପେଟ୍ରୋଲ ପମ୍ପ ବିସ୍ଫୋରଣର ଭୟାବହତା ଏଯାଏ ରାଜଧାନୀବାସୀଙ୍କ ମନରୁ ଲିଭିନି। ତଦନ୍ତ ଶେଷ ହେବା ପରେ ପେଟ୍ରୋଲ ପମ୍ପକୁ ସିଲ୍ କରି ଦିଆଯାଇଛି। କିନ୍ତୁ ଏହାର ପଛ ପାଖ ରାସ୍ତାରେ ବିପଦ ଛିଡ଼ା ହୋଇଛି। ବିସ୍ଫୋରଣରେ ଉପୁଡ଼ି ପଡ଼ିଥିବା ଏକ ଲାଇଟ୍ ଖୁଣ୍ଟ ଅଧା ନଇଁ ପଡ଼ିଛି। ଏକ ତାରରେ ଏହା ଝୁଲିକି ରହିଛି। ସେହି ବାଟ ଦେଇ ଶହ ଶହ ଗାଡ଼ି ଯାଉଥିବା ବେଳେ କେତେବେଳେ କାହା ଉପରେ ଯେ ପଡ଼ିଯିବ, ତାହା କେହି କହିପାରିବେ ନାହିଁ।
ସେହିପରି ରାସ୍ତାର ଗୋଟିଏ ପାର୍ଶ୍ବରେ ବିସ୍ଫୋରଣସ୍ଥଳରୁ ଖୋଳା ଯାଇଥିବା ମାଟି ଗଦା ହୋଇ ରହିଛି। ରାତିରେ ଅନ୍ଧାର ରହୁଥିବାରୁ ସେହି ମାଟି ଗଦାରେ ଗାଡ଼ି ଦୁର୍ଘଟଣା ମଧ୍ୟ ହେଉଛି। ଲାଇଟ୍ ଖୁଣ୍ଟ ଓ ମାଟି ଗଦାକୁ ସେଠାରୁ ଉଠାଇବା ପାଇଁ ଦାବି ହୋଇଛି। ପେଟ୍ରୋଲ ପମ୍ପ ବିସ୍ଫୋରଣସ୍ଥଳ ଏବେ ବି ଛିନ୍ଛତ୍ର ହୋଇ ପଡ଼ିଥିବା ବେଳେ ନିକଟରେ ଥିବା ଆମ୍ବେଦକର ଆପାର୍ଟମେଣ୍ଟର କେତେକ ଝରକା ଏବେ ବି ଭଙ୍ଗା ଅବସ୍ଥାରେ ରହିଛି।
ମୃତକଙ୍କୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲା ସମାଜବାଦୀ ପାର୍ଟି
ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ମାସେ ପୂରି ଯାଇଥିଲେ ମଧ୍ୟ ମାମଲାର ପର୍ଦ୍ଦାଫାସ୍ କରିପାରିନାହିଁ କମିସନରେଟ୍ ପୁଲିସ୍। ଏହାକୁ ନେଇ ବିଭିନ୍ନ ମହଲରୁ ଉଦ୍ବେଗ ପ୍ରକାଶ ପାଇଛି। ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ସମାଜବାଦୀ ପାର୍ଟିର ରାଜ୍ୟ ଶାଖା। ସେହିପରି ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ସହାୟତା ରାଶି ଦେବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସଭାପତି ରବି ବେହେରା। ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପକୁ ନର୍ଜନ ସ୍ଥାନକୁ ନେବା ପାଇଁ ମଧ୍ୟ ସେ ଦାବି ଜଣାଇଛନ୍ତି।ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠୁଛି
ଦୋକାନରେ ଲୋକ ଚା’ ପିଉଥିଲେ। ସେତେବେଳକୁ ପାଖାପାଖି ଗୋଟାଏ ବାଜିଥାଏ। ହଠାତ୍ ଭୂମିକମ୍ପ ଭଳି ଭୂଇଁ ଥରିବାକୁ ଲାଗିଲା। ଦୋକାନ କାନ୍ଥ ବି ଥରିଲା। କିଛି ବୁଝିବା ପୂର୍ବରୁ ଭୟଙ୍କର ଶବ୍ଦରେ କାନ ତାବ୍ଦା ହୋଇଗଲା। ଦୋକାନ ଉପରେ ଓ ଆଖପାଖ ଅଞ୍ଚଳରେ ପଥର, ଲୁହାଖଣ୍ଡ ପଡ଼ିଲା। କେହି କିଛି ବୁଝିବା ପୂର୍ବରୁ ଯେମିତି ଚାରିଆଡ଼ ଅନ୍ଧକାର ଘୋଟିଗଲା। ଲୋକଙ୍କ ଚିତ୍କାରରେ ଫାଟି ପଡ଼ୁଥିଲା ପୂରା ଅଞ୍ଚଳ। ବାହାରକୁ ଆସି ଦେଖିବା ପରେ ପେଟ୍ରୋଲ ପମ୍ପ ଫାଟି ଯାଇଛି। ହୁତୁହୁତୁ ହୋଇ ଜଳୁଛି। ଲୋକ ଯିଏ ଯିଆଡ଼େ ପାଇଲେ ଦୌଡ଼ିବାରେ ଲାଗିଛନ୍ତି। ଗାଡ଼ି ଛିନ୍ଛତ୍ର ହୋଇପଡ଼ିଛି। ମୁଁ ବି ଜୀବନ ବଞ୍ଚାଇବାକୁ ଦୌଡ଼ିଲି ବୋଲି କହିଛନ୍ତି ନିକଟରେ ଥିବା ଓମଫେଡ୍ ଦୋକାନ କରିଥିବା ମନୋରଞ୍ଜନ ସାହୁ। ମୁଁ ଓ ଭାଇ ଅଳ୍ପକେ ବର୍ତ୍ତି ଯାଇଥିଲୁ। ଏବେ ବି ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି।ଜୀବନ ଥିବା ଯାଏ ଭୁଲି ହେବନି
ଏହି ଛାତିଥରା ଘଟଣା ଜୀବନ ଥିବା ଯାଏ ମୁଁ ଭୁଲି ପାରିବିନି। ମୁଁ କ’ଣ, ଯିଏ ବି ଏହାକୁ ଆଖିରେ ଦେଖିଛି, ସେ କେବେ ବି ଭୁଲି ପାରିବନି। ପାଖରେ ଥିବା ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣା ଉପରୁ ପୁଲିସ ତୁରନ୍ତ ପରଦା ଉଠାଇବା ଦରକାର ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଜ୍ୟୋତିରଞ୍ଜନ।
Follow Us