ଭୁବନେଶ୍ବର: କୋଭିଡ୍-୧୯ ମୁକାବିଲାରେ ସାରା ବିଶ୍ବ ଲାଗି ପଡ଼ିଛି। କରୋନା ମହାମାରୀରୁ ବର୍ତ୍ତିବା ପାଇଁ କେବଳ ସରକାରୀ ନିର୍ଦ୍ଦେଶନାମା ନୁହେଁ, ବରଂ ସାମାଜିକ ଦୂରତ୍ବ ରକ୍ଷା ପାଇଁ ବ୍ୟକ୍ତିଗତସ୍ତରରେ ସମସ୍ତେ ଚେଷ୍ଟିତ। ଜାରି ହୋଇଥିବା ତାଲାବନ୍ଦ ନିର୍ଦ୍ଦେଶନାମାକୁ ସଫଳ କରିବା ପାଇଁ ନିଜକୁ ଗୃହବନ୍ଦୀ କରିବାରେ ସମସ୍ତେ ନିଜସ୍ତରରେ ଉଦ୍ୟମରତ। ଏଭଳି ଏକ ସ୍ଥିତିରେ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବା ପାଇଁ ଏକ ନିଆରା ଉଦ୍ୟମ କରିଛନ୍ତି ସତ୍ୟବାଦୀ ସୁଆଣ୍ଡୋ ଗ୍ରାମର ଝିଅ ତପସ୍ବିନୀ। ମୋହାଲିରେ ରହି ସେ ଗବେଷଣା କରୁଥିଲେ ମଧ୍ୟ ଏଭଳି ଏକ ସ୍ଥିତିରେ ରାଜ୍ୟର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସେ କରିଛନ୍ତି ଏକ ନିଆରା ପ୍ରୟାସ। ତପୋହମ୍ ଡଟ୍ କମ୍ (tapoham.com) ନାମରେ ଏକ ୱେବ୍ସାଇଟ୍ ଖୋଲିଛନ୍ତି। ଏହି ୱେବ୍ସାଇଟ୍ ଜରିଆରେ ସେ ଘର ଦୁଆରମୁହଁରେ ବଜାର ଦରରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଛନ୍ତି। ଓଡ଼ିଶାଠାରୁ ଯୋଜନ ଦୂରରେ ରହି ମଧ୍ୟ ଲୋକଙ୍କ ଏହି ଜଟିଳ ପରିସ୍ଥିତିରେ ଛିଡ଼ା ହେବାରେ ସଫଳ ହୋଇଛନ୍ତି। ପିଏଚ୍ଡି ଛାତ୍ରୀ ତପସ୍ବିନୀଙ୍କୁ ଆଉ ଜଣେ ଗବେଷଣାରତ ଛାତ୍ର ଆକାଶ ମହାରଣା ସହାୟତା କରୁଛନ୍ତି। ଉଭୟ ରାତି ଦିନ ଏକ୍କରି ୱେବ୍ସାଇଟ୍ ଡିଜାଇନ୍ କରିବା ସହ ପ୍ରତ୍ୟେକ ଲୋକ ପାଖରେ ପହଞ୍ଚିବାକୁ ଉଦ୍ୟମ ଚଳାଇଛନ୍ତି। ପ୍ରତି ଅର୍ଡର୍ ପିଛା ଆସୁଥିବା ଲାଭାଂଶରୁ କିଛି ଭାଗ ‘ସେବା’ ନାମକ ଏକ ଅନୁଷ୍ଠାନକୁ ଯାଉଛି। ଯାହା ଭବିଷ୍ୟତରେ ଜଣେ ଗରିବ ମେଧାବୀ ପାଠପଢ଼ାରେ ଖର୍ଚ୍ଚ ହେବ ବୋଲି କହିଛନ୍ତି ତପସ୍ବିନୀ। ପିଏଚ୍ଡି କରିବା ପାଇଁ ସରକାର ଯେଉଁ ବୃତ୍ତି ଦେଉଛନ୍ତି, ସେହି ଅର୍ଥ ଏଥିରେ ବିନିଯୋଗ ହୋଇଛି।
ତାଲାବନ୍ଦ ଜାରି ରହିଥିବାରୁ ଲୋକମାନେ ଘରୁ ବାହାରି ପାରୁ ନାହାନ୍ତି। ଅନେକ ବରିଷ୍ଠନାଗରିକ ଓ ଏକାକୀ ମହିଳା ଅଛନ୍ତି, ଯେଉଁମାନଙ୍କ ପାଇଁ ବଜାରକୁ ଯାଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମ୍ଭବ ହେଉନାହିଁ। କେତେକ ଲୋକ ଅଛନ୍ତି ଭୁବନେଶ୍ବର ବନ୍ଧୁଘରକୁ ଆସି ଅଟକି ରହିଛନ୍ତି। ଏ ସମସ୍ତଙ୍କୁ ଅଗ୍ରାଧିକାର ଦିଆଯାଉଛି। ଅନ୍ଲାଇନ୍ ଜରିଆରେ ସେମାନେ କରୁଥିବା ଅର୍ଡର କିଭଳି ଜଲ୍ଦି ଘରେ ପହଞ୍ଚିବ, ସେଥିପାଇଁ ବ୍ୟବସ୍ଥା କରାଯାଉଛି। ଆଗ୍ରହ ଥିଲେ ବାଟ ଦେଖାଯାଏ; ଯୋଜନଯୋଜନ ଦୂରରେ ଥାଇ ମଧ୍ୟ କାମ କରିବା ସମ୍ଭବ ବୋଲି କହିଛନ୍ତି ତପସ୍ବିନୀ।
Follow Us