ଫୋନ୍‌-ଇନ୍‌-ପ୍ଲିଜ୍‌ : ଆତ୍ମସଚେତନ ଲୋଡ଼ା

ଫୋନ୍‌-ଇନ୍‌-ପ୍ଲିଜ୍‌ : ଆତ୍ମସଚେତନ ଲୋଡ଼ା

ଭାରତରେ ସଡ଼କ ଦୁର୍ଘଟଣାର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ନିୟମ ଯେତେ‌ କଡ଼ାକଡ଼ି କଲେ ମଧ୍ୟ ଫଳପ୍ରଦ ହେଉନାହିଁ। ବେଫିକର ଗାଡ଼ି ଚାଳନା, ରାସ୍ତାର ଦୁରବସ୍ଥା ଓ ନିଶା ସେବନ କରି ଗାଡ଼ି ଚଳାଇବା ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ଜଣାଯାଇଛି। କିନ୍ତୁ ଏସବୁ ରୋକିବା ଦିଗରେ ସରକାର ସଫଳ ହୋଇପାରିନଥିବା ଭଳି ମନେ ହେଉଛି। ଚଳିତ ଥର ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌ ଜରିଆରେ ଏ ସଂପର୍କରେ ସାଧାରଣ ପାଠକଙ୍କ ମତାମତ ଲୋଡ଼ା ଯାଇଥିଲା।

ଗାଡ଼ି ଚଲାଇବା ସମୟରେ ହେଲମେଟ୍‌ ପିନ୍ଧିବା ନିହାତି ଦରକାର। କିନ୍ତୁ ଏହି ନିୟମ ଯେତେ କଡ଼ାକଡ଼ି ହେଲେ ମଧ୍ୟ ଆଜିର ଯୁବପିଢ଼ି ମାନୁ ନାହାନ୍ତି। ରେସିଂ ବାଇକ୍‌କୁ ରାଜପଥରେ ଅତି ଦ୍ରୁତ ଗତିରେ ଚଲାଇବା ସେମାନଙ୍କର ଅଭ୍ୟାସ ହୋଇଗଲାଣି। ଫଳରେ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି। ତେଣୁ ପ୍ରଥମେ ଆମେମାନେ ସଚେତନ ହେବା ଦରକାର।
ରାଜୀବ ରୋଶନ ବରାଳ, ଓଡ଼ଗାଁ

ପ୍ରଶାସନ ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ନିୟମ କାନୁନ ତିଆରି କରିଛି। ଏହାକୁ ମାନିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ହେବା ଉଚିତ।
ଲଲାଟ କିଶୋର ସ୍ବାଇଁ, ଇଚ୍ଛାପୁର, ଜଗତସିଂହପୁର

ଗାଡ଼ି ଚଲାଇବା ବେଳେ ମୋବାଇଲରେ ଗପିବା, ହେଲମେଟ୍‌ ନ ପିନ୍ଧିବା, ଅନ୍ୟମନସ୍କ ରହିବା, ମଦ୍ୟପାନ କରିବା, ସିଟ୍‌ ବେଲ୍ଟ ନ ବାନ୍ଧିବା ଆଦି ନିୟମବିରୁଦ୍ଧ କାମ ଯୋଗୁଁ ସଡ଼କ ଦୁର୍ଘଟଣା ହେଉଛି। ସେଥିପାଇଁ ସରକାରଙ୍କୁ ଦୋଷ ନ ଦେଇ ଲୋକମାନେ ନିଜେ ସଚେତନ ହେବା ଦରକାର। ଏହା ସହ ଅନ୍ୟକୁ ମଧ୍ୟ ସଚେତନ କରାଇବା ଉଚିତ।
ଦେବାଶି‌ଷ ସାହୁ, ନୟାଗଡ଼

ସଡ଼କ ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ମଦ୍ୟପାନ। ଅତ୍ୟଧିକ ମଦ୍ୟପାନ କରି ଓ ଫୋନ୍‌ରେ କଥା ହୋଇ ଗାଡ଼ି ଚଳାଇବା ଦ୍ବାରା ସର୍ବାଧିକ ସଡ଼କ ଦୁର୍ଘଟଣା ହୋଇଥା‌ଏ। ତେଣୁ ସରକାର ମଦମୁକ୍ତ ଓଡ଼ିଶା ଗଠନ କଲେ ସଡ଼କ ଦୁର୍ଘଟଣାର ମାତ୍ରା କମି ପାରନ୍ତା।
ଛାୟାକାନ୍ତ ନାୟକ, ପୁରୀ

ଆଜିକାଲି ୧୮ବର୍ଷ ବୟସରୁ କମ୍‌ ବୟସର ପିଲାମାନଙ୍କୁ ସେମାନଙ୍କ ଅଭିଭାବକ ଗାଡ଼ି ଦେଉଛନ୍ତିି। ବିନା ଡ୍ରାଇଭିଂ ଲାଇସେନ୍ସ‌‌‌ରେ ରାଜପଥ ଉପରକୁ ଗାଡ଼ି ଧରି ଓହ୍ଲେଇ ପଡ଼ୁଥିବା ଏହିଭଳି କିଛି ପିଲାମାନଙ୍କ ଯୋଗୁଁ ଅନେକ ଦୁର୍ଘଟଣା ଘଟୁଛି। ତେଣୁ ଏନେଇ ସରକାରଙ୍କ ତରଫରୁ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯିବା ସହ ସେମାନଙ୍କ ଅଭିଭାବକମାନେ ଏଥିପ୍ରତି ଯତ୍ନବାନ ହେଲେ ହେଁ ସଡ଼କ ଦୁର୍ଘଟଣା କମିବ।
ବଂଶୀଧର ଦଳାଇ, ଖୋର୍ଧା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe