ପରିବେଶ ପର୍ଯ୍ୟଟନ କାହା ପାଇଁ? ଭରତପୁର ଜଙ୍ଗଲ ପ୍ରବେଶ ପଥରେ ଫଟୋ ମନା

Advertisment

ପର୍ଯ୍ୟଟକଙ୍କୁ ବନ କର୍ମଚାରୀଙ୍କ ଦୁର୍ବ୍ୟବହାର, ମଦ୍ୟପାନ କରି ଡ୍ୟୁଟି କରୁଛନ୍ତି ବନ କର୍ମଚାରୀ!

ପର୍ଯ୍ୟଟକଙ୍କୁ ବନ କର୍ମଚାରୀଙ୍କ ଦୁର୍ବ୍ୟବହାର, ମଦ୍ୟପାନ କରି ଡ୍ୟୁଟି କରୁଛନ୍ତି ବନ କର୍ମଚାରୀ!

ପରିବେଶ ପର୍ଯ୍ୟଟନ କାହା ପାଇଁ? ଭରତପୁର ଜଙ୍ଗଲ ପ୍ରବେଶ ପଥରେ ଫଟୋ ମନା

ଚନ୍ଦ୍ରଶେଖରପୁର: ପରିବେଶ ପର୍ଯ୍ୟଟନ ମାଧ୍ୟମରେ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଏକାଧିକ ପଦକ୍ଷେପ ନିଆଯାଇଛି ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଓ ସଚିବ ଡେଙ୍ଗୁରା ପିଟୁଛନ୍ତି। ବାଃ ବାଃ ନେବା ଲାଗି ସଭା, ସମିତିରେ ଭାଷଣ ଦେଇ ପର୍ଯ୍ୟଟନସ୍ଥଳୀ ସହ ଲୋକଙ୍କୁ ଯୋଡ଼ାଯାଉଛି ବୋଲି କହୁଛନ୍ତି। ତେବେ ପରିବେଶ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କୁ କିଭଳି ସୁବିଧା ମିଳୁଛି, ପର୍ଯ୍ୟଟକଙ୍କୁ କେମିତି ବ୍ୟବହାର କରାଯାଉଛି, ତାହାର ନଗ୍ନ ନମୁନା ଦେଖିବାକୁ ମିଳିଛି ଖୋଦ୍‌ ରାଜଧାନୀରେ। କିଛି ଦିନ ତଳେ ନୀଳାଦ୍ରିବିହାର ନିକଟରେ ଭରତପୁର ଜଙ୍ଗଲକୁ ନୂଆ ବାଟ ଖୋଲିଥିଲା। ‘ଜଙ୍ଗଲ ସଫାରି’ରେ ପର୍ଯ୍ୟଟକମାନେ କିଭଳି ଜଙ୍ଗଲ ଭିତରେ ବୁଲିପାରିବେ ସେନେଇ ବ୍ୟବସ୍ଥା ହୋଇଛି। ତେବେ ଯେଉଁମାନେ ଗାଡ଼ିରେ ନ ଯିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ପ୍ରବେଶ ପଥ ନିକଟକୁ ଯିବା ମନା। ଏହା ସମ୍ମୁଖରେ ଫଟୋ ଉଠାଇବା ଉପରେ ବି ଅଘୋଷିତ କଟକଣା ଜାରି କରିଛନ୍ତି କର୍ମଚାରୀ। ଯଦି କେହି ଫଟୋ ଉଠାଇବାକୁ ଚାହୁଁଛନ୍ତି ତେବେ କଥା ସରିଲା। ଉପସ୍ଥିତ କର୍ମଚାରୀଙ୍କ ରୋଷର ଶିକାର ହେବାକୁ ପଡ଼ୁଛି। ବେଳେ ବେଳେ କର୍ମଚାରୀମାନେ ଧକ୍କା ମାରିବାକୁ ବି ପଛାଉ ନାହାନ୍ତି। ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଆସୁଥିବା ଏହି ସ୍ଥାନରେ ଗତ ସପ୍ତାହକ ମଧ୍ୟରେ ଦୁଇଟି ଘଟଣା ଘଟିଲାଣି। ଯେଉଁଥିପାଇଁ ପର୍ଯ୍ୟଟକମାନେ ଏଠାରୁ ମୁହଁ ଫେରାଇବା ସହ ‘ଜଙ୍ଗଲ ସଫାରି’ ନାଁରେ ପର୍ଯ୍ୟଟକଙ୍କୁ ଶୋଷଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି।

ଗତ ଜୁନ୍‌ ୩୦ରେ ୬ଜଣ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥିବା ବେଳେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ମୁଖ୍ୟ ପ୍ରବେଶ ପଥ ନିକଟକୁ ଯିବା ପୂର୍ବରୁ ଆଉ ଏକ ପ୍ରବେଶ ପଥ କରାଯାଇଛି। ଯେଉଁଠାରେ ସବୁଜ ଘାସ ଗାଲିଚା ବିଛାଯିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବିଭିନ୍ନ ସ୍ଥାନରେ ପଥର ରଖାଯାଇଛି। ସେଦିନ ଅପରାହ୍‌ଣରେ ପର୍ଯ୍ୟଟକମାନେ ପହଞ୍ଚିଲା ବେଳକୁ ପ୍ରଥମ ପ୍ରବେଶପଥ ଖୋଲା ରହିଥିଲା। ତେ‌ଣୁ ସେମାନେ ମୁଖ୍ୟ ପ୍ରବେଶ ପଥ ନିକଟକୁ ଯାଇଥିଲେ। ସେଠାରେ ଥିବା ଦୁଇ ଜଣ କର୍ମଚାରୀ କାହିଁକି ଓ କାହା ଅନୁମତିରେ ପ୍ରବେଶ କଲ କହି ପର୍ଯ୍ୟଟକମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ପର୍ଯ୍ୟଟକମାନେ କହିଥିଲେ ଯେ ଗେଟ୍‌ ଖୋଲାଥିଲା। ତେଣୁ ବୁଲିବା ପାଇଁ ଆସିଲୁ। ଏତିକି କହିବା କ୍ଷଣି କର୍ମଚାରୀମାନେ ଉତ୍‌କ୍ଷିପ୍ତ ହୋଇ ଧକ୍କା ମାରିବାକୁ ପ୍ରୟାସ କରିଥିଲେ। ଦୁଇଜଣ ଯାକ କର୍ମଚାରୀ ମଦ୍ୟପାନ କରିଥିଲେ ବୋଲି ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି। ଗତ ଶୁକ୍ରବାର ବି ଅନୁରୂପ ଭାବେ ଏକ ଘଟଣା ଘଟିଛି। ପୂର୍ବାହ୍ନରେ କିଛି ପର୍ଯ୍ୟଟକ ପ୍ରବେଶ ପଥ ନିକଟକୁ ଯିବା ପାଇଁ ଉଦ୍ୟମ କରିବା ସମୟରେ କର୍ମଚାରୀମାନେ ଗାଳି ଦେଇଥିଲେ। ଯିଏ ଗାଡ଼ିରେ ବୁଲିବା ପାଇଁ ଟିକେଟ୍‌ କାଟିବ, ତାକୁ ପାର୍କ ଭିତରକୁ ଛଡ଼ାଯିବ ବୋଲି କହିଥିଲେ। ସୌନ୍ଦର୍ଯ୍ୟପୂର୍ଣ୍ଣ ମୁଖ୍ୟ ଫାଟକରେ ଫଟୋ ଉଠାଇବୁ ବୋଲି ପର୍ଯ୍ୟଟକ କହିବାରୁ କର୍ମଚାରୀମାନେ ବାରଣ କରିଥିଲେ। ପାର୍କ ଭିତରକୁ ଛାଡ଼ିବାକୁ ଡିଏଫ୍‌ଓ ମନା କରିଛନ୍ତି ବୋଲି କର୍ମଚାରୀମାନେ କହିଥିଲେ। ଏହାପରେ ପର୍ଯ୍ୟଟକମାନେ ନିରାଶ ହୋଇ ଫେରିଥିଲେ। ଯଦି ଖୋ‌ଦ୍‌ ରାଜଧାନୀରେ ବନ କର୍ମଚାରୀମାନେ ଏଭଳି ବ୍ୟବହାର କରୁଛନ୍ତି, ତେବେ ରାଜ୍ୟର ଅନ୍ୟ ସ୍ଥାନରେ କିଭଳି ସ୍ଥିତି ଥିବ, ଏଥିରୁ ସ୍ପଷ୍ଟ ଅନୁମେୟ। ଏନେଇ ଚନ୍ଦକା-ଡମପଡ଼ା ଡିଏଫ୍‌ଓ କେଦାର ସ୍ବାଇଁଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ‌ସେ ଉତ୍ତର ଦେଇନଥିଲେ।

ଏଠାରେ ପ୍ରଶ୍ନ ଉଠୁଛି ପରିବେଶ ପର୍ଯ୍ୟଟନ କାହା ପାଇଁ? କାହା ନିର୍ଦେଶରେ ବନ କର୍ମଚାରୀମାନେ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କରୁଛନ୍ତି? ଭରତପୁର ଜଙ୍ଗଲ ବାହାରେ କ’ଣ ଫଟୋ ଉଠାଇବା ମନା? ଯଦି ପର୍ଯ୍ୟଟକ ଫଟୋ ଉଠାଇପାରିବେ ନାହିଁ, ତେବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ କାହା ପାଇଁ ଏ ବ୍ୟବସ୍ଥା? ଏନେଇ ଚନ୍ଦ୍ରଶେଖରପୁର ଥାନାକୁ ଯୋଗାଯୋଗ କରିବାରୁ ସୂଚନା ମିଳିଛି ଯେ ଥାନାରେ ସେପରି କୌଣସି ଅଭିଯୋଗ ହୋଇନାହିଁ। ମାତ୍ର ଉକ୍ତ ସ୍ଥାନରେ ଅସାମାଜିକ ବ୍ୟକ୍ତିଙ୍କ ଭିଡ଼ ଜମୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe