Advertisment

କରୋନା ମାଡ଼ରେ ଫଟୋଗ୍ରାଫର୍ ବେହାଲ

Advertisment
କରୋନା ମାଡ଼ରେ ଫଟୋଗ୍ରାଫର୍ ବେହାଲ

Nature TTL

ଭୁବନେଶ୍ବର: ଫଟୋଗ୍ରାଫର୍‌ମାନଙ୍କ ରୋଜଗାର ଛଡ଼ାଇ ନେଇଛି ମହାମାରୀ କରୋନା। କୋଭିଡ୍‌-୧୯ କଟକଣା ଲାଗୁ ହେବା ପରଠାରୁ ଫଟୋଗ୍ରାଫର୍‌ଙ୍କ ସ୍ଥିତି ଶୋଚନୀୟ ହୋଇ ପଡ଼ିଛି। ହାତରେ କାମ ନଥିବାରୁ ରୋଜଗାର ପୂରା ଠପ୍‌ ହୋଇଯାଇଛି। ବିବାହ, ବ୍ରତ, ପର୍ବପର୍ବାଣୀ, ପର୍ଯ୍ୟଟନ ସବୁ ବନ୍ଦ। ତେଣୁ ରୋଜଗାରର ଉତ୍ସ ମରିଯିବା ପରେ ଫଟୋଗ୍ରାଫର୍‌ମାନେ ହତାଶ ହୋଇ ପଡ଼ିଛନ୍ତି। ସେଥିରେ ପୁଣି ନିକଟ ଭବିଷ୍ୟତରେ ଏହି ମହାମାରୀର ଅନ୍ତ ହେବାର ଆଶା ଦେଖାଯାଉନାହିଁ। ତେଣୁ ପୁଣି କିଛି ମାସ ସେମାନେ ବିନା ରୋଜଗାରରେ ବସି ରହିବେ ବୋଲି ଜଳଜଳ ହୋଇ ଦିଶିଲାଣି। ତେଣୁ ଏହି ଜୀବିକାକୁ ଆଉ ଅଧିକ ଦିନ ଧରି ରଖି ଉପାସ ରହିବାକୁ କିଏ ପସନ୍ଦ କରିବ ବୋଲି ଅନେକ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଫଟୋଗ୍ର‌ାଫି ବ୍ୟବସାୟର ମୁଖ୍ୟ ରୋଜଗାର ବିବାହ କାର୍ଯ୍ୟକ୍ରମରୁ ଆସିଥାଏ। ମାତ୍ର ଚଳିତ ବର୍ଷ କରୋନା ମହାମାରୀ ପାଇଁ ବିବାହ କାର୍ଯ୍ୟକ୍ରମରେ ଚଡ଼କ ମାଡ଼ ହୋଇଛି। ସେହିଭଳି ପର୍ଯ୍ୟଟନ ଶିଳ୍ପ ଅଚଳ ହୋଇପଡ଼ିଥିବାରୁ ବହୁ ଫଟୋଗ୍ରାଫର୍‌ କାମ ପାଉନାହାନ୍ତି। ବଜାର ବନ୍ଦ ଯୋଗୁଁ ଷ୍ଟୁଡିଓ ବନ୍ଦ। ତେଣୁ ସବୁ ଦିଗରୁ ରୋଜଗାରର ବାଟ ବନ୍ଦ ହୋଇଯାଇଛି। ଫଳରେ ନିଶାକୁ ପେସାରେ ପରିଣତ କରିଥିବା ଫଟୋଗ୍ରାଫର୍‌ମାନେ ଏବେ ପେଟ ପାଇଁ ବିକଳ୍ପ ମାର୍ଗ ଦେଖିଲେଣି। କିଏ ପରିବା ବିକୁଛି ତ କିଏ ଛତୁ, ପାଉଁରୁଟି ବିକି ନିଜ ଗୁଜୁରାଣ ମେଣ୍ଟାଉଛି। ରାଜଧାନୀର ଜଣେ ଫଟୋଗ୍ରାଫର୍ ନିଜ ନାଁ ଗୋପନ ରଖି କହିଛନ୍ତି ଯେ ସେ ଏକ ଷ୍ଟୁଡିଓ କରି ଚଳୁଥିଲେ। ବିବାହ, ଉତ୍ସବ, ମହୋତ୍ସବଗୁଡ଼ିକରୁ ସେ ନିଜ ଆୟର ପ୍ରମୁଖ ଭାଗ ସଂଗ୍ରହ କରନ୍ତି। କିନ୍ତୁ ପାଖାପାଖି ଦୁଇ ମାସ ହେଲାଣି ‌ଫଟୋଗ୍ରାଫିରୁ ପଇସାଟିଏ ମିଳିନାହିଁ। ନିକଟ ଭବିଷ୍ୟତରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନ ଥିବାରୁ ସେ ତାଙ୍କ ବନ୍ଧୁଙ୍କ ସହିତ ମିଶି ଏକ ପରିବା ଦୋକାନ ଖୋଲିଛନ୍ତି। ସେହିଭଳି କିଛି ଫଟୋଗ୍ରାଫର୍‌ କରଜ ଶୁଝି ନପାରି ସମସ୍ୟାରେ ପଡ଼ିଛନ୍ତି। ସୁରେଶ ସ୍ବାଇଁଙ୍କ କହିବା କଥା, ସେ ନୂଆ ଭର୍ସନ୍‌ର କ୍ୟାମେରା କିଣିଥିଲେ। ଏବେ ବ୍ୟବସାୟ ନଥିବାରୁ ଆଗକୁ କିସ୍ତି(ଇଏମ୍ଆଇ) ଦେବାକୁ ଟଙ୍କା ନାହିଁ। ଷ୍ଟୁଡିଓ ମାଲିକ ଶାରଦାକୃଷ୍ଣ ସାହୁଙ୍କ କହିବା କଥା, ୪ ଜଣ ପିଲାଙ୍କୁ ସେ କାମରେ ନିୟୋଜିତ କରିଛନ୍ତି। ଏବେ ପିଲାଙ୍କୁ ଦରମା ଦେବା ପାଇଁ ମଧ୍ୟ ତାଙ୍କ ପାଖରେ ପଇସା ନାହିଁ।

ଓଡ଼ିଶା ଫଟୋଗ୍ରାଫର୍ ସଂଘ(ପାଓ)ର ସଭାପତି ବୀରେନ୍ ପଟ୍ଟନାୟକଙ୍କ କହିବା କଥା, ରାଜ୍ୟରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ଲୋକ ଫଟୋଗ୍ରାଫି ମାଧ୍ୟମରେ ନିଜ ଜୀବିକା ନିର୍ବାହ କରନ୍ତି। କିନ୍ତୁ ବର୍ତ୍ତମାନ ସମସ୍ତେ ହାତ ବାନ୍ଧି ବସିଛନ୍ତି। ଏନେଇ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଓ ଏମ୍‌ଏସ୍‌ଏମ୍ଇର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଚିଠି ଲେଖି ସାରିଲୁଣି। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସହାୟତା ମିଳି ପାରିଲା ନାହିଁ। ବାଧ୍ୟ ହୋଇ ଅନେକ ନିଜ ଜୀବିକା ଛାଡ଼ି ଅନ୍ୟାନ୍ୟ ବ୍ୟବସାୟ ଆରମ୍ଭ କଲେଣି। ଯଦି ଏପରି ପରିସ୍ଥିତି ଆଉ କିଛି ମାସ ଲାଗି ରୁହେ, ତେବେ ରାଜ୍ୟର ଫଟୋଗ୍ରାଫର୍‌ ଶିଳ୍ପ ଏକପ୍ରକାର ଅଚଳ ହୋଇପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe