ମାଟିରେ ପୋତି ପ୍ରସ୍ତୁତ ହୁଏ ଫୁଲୁରି ତେଲ

ମାଟିରେ ପୋତି ପ୍ରସ୍ତୁତ ହୁଏ ଫୁଲୁରି ତେଲ

?

ଭୁବନେଶ୍ୱର: ପ୍ରଭୁଙ୍କୁ ପ୍ରବଳ ଜ୍ୱର। ଶରୀରରେ ଅସହ୍ୟ ପୀଡ଼ା। ପାଟିକୁ କିଛି ରୁଚୁନି। ବାଳ ଭୋଗ ଓ ଫଳମୂଳରେ ମେଣ୍ଟୁଛିି ଛପନ ଭୋଗୀଙ୍କ ଭୋକ। ଅବଶ୍ୟ ଜ୍ୱର ହେବା ପରେ ପ୍ରଭୁଙ୍କ ପାଇଁ ବଇଦ ଖଞ୍ଜା ହୋଇଛନ୍ତି। ରାଜଧାନୀ ବି ଏହି ପରମ୍ପରାରୁ ବାଦ ପଡ଼ିନି। ଜାଗମରା ଧର୍ମବିହାରସ୍ଥିତ ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କ ପାଇଁ ଯେ ଶ୍ରୀକ୍ଷେତ୍ର ଭଳି ସମାନ ଢଙ୍ଗରେ ଫୁଲୁରି ତେଲ ପ୍ରସ୍ତୁତ ହୁଏ ତାହା ହୁଏତ ଅନେକଙ୍କୁ ମାଲୁମ ନଥିବ। ରାଶି ତେଲ, କିଆ, କେତକୀ, ଜଟାମାଂସୀ, ଚନ୍ଦନ, ଅଗୁରୁ ଭଳି ବିଭିନ୍ନ ଆୟୁର୍ବେଦିକ ଦ୍ରବ୍ୟକୁ ନେଇ ଏହି ତେଲକୁ ପ୍ରସ୍ତୁତ କରନ୍ତି ଜାଗମରା ଗ୍ରାମର ଜଗନ୍ନାଥ ପଟ୍ଟନାୟକ। ସବୁଠୁ ବଡ଼ ବିଶେଷତ୍ୱ ଏହି ଯେ ପୁରୀର ବଡ଼ ଓଡ଼ିଆ ମଠ ଭଳି ସେ ବି ଏକ ମାଠିଆରେ ଏହି ତେଲକୁ ମାଟି ତଳେ ବର୍ଷେ ଯାଏଁ ପୋତି ରଖନ୍ତି। ମାଟିରେ ରହିଲେ ଦ୍ରବ୍ୟ ଗୁଣ ବଢ଼ୁଥିବାରୁ ଏହି ତେଲରେ ପ୍ରଭୁ ଶୀଘ୍ର ଉପଶମ ହୁଅନ୍ତି ବୋଲି ତାଙ୍କର ବିଶ୍ୱାସ। ଡ. ପଟ୍ଟନାୟକଙ୍କ ପାଞ୍ଚ ପିଢ଼ି କବିରାଜି କରି ଆସୁଥିବା ବେଳେ ସେ ଏଠାରେ ପ୍ରଭୁଙ୍କୁ ୨୦୧୧ରୁ ଏହି ସେବା ଯୋଗାଇ ଆସୁଛନ୍ତି। ଖାଲି ସେତିକି ନୁହେଁ ପାଚନ ପାଇଁ ବେଲ, ଗମ୍ଭାରୀ, ଫଣଫଣା, ଅଗିବଥୁ, ଗିଲ, ଘର ପୋଡ଼ିଆ ସହ ୧୦ଟି ଚେରମୂଳିକୁ ନେଇ ଦଶମୂଳ ପ୍ରସ୍ତୁତ କରନ୍ତି। ୯ବର୍ଷ ଧରି ସେ ବିନା ମୂଲ୍ୟରେ ଏହି ସେବା ଦେଉଛନ୍ତି। ନିଜ ଫାର୍ମରେ ଅନେକ ଚେରମୂଳି ଚାଷ କରୁଥିବା ବେଳେ କିଛି ଚେରମୂଳି ସେ ବାହାରୁ ସଂଗ୍ରହ କରନ୍ତି। ଜଗନ୍ନାଥ ପଟ୍ଟନାୟକ ପ୍ରଭୁ ଜଗନ୍ନାଥଙ୍କର ଜଣେ ବଡ଼ ଭକ୍ତ। ଏମିତି ଯେ, ସପ୍ତାହକୁ ଥରେ ପ୍ରଭୁଙ୍କୁ ନ ଦେଖିଲେ ସପ୍ତାହ ସାରା ଘାରି ହୁଅନ୍ତି। ତେଣୁ ଶନିବାର ହେଲେ ତାଙ୍କ ଗାଡ଼ି ଛୁଟେ ପୁରୀ ଅଭିମୁଖେ। ସେ କୁହନ୍ତି, ପ୍ରଭୁ ଆମ ଭଳି ଦାନ୍ତ ଘଷନ୍ତି, ଦର୍ପଣ ଦେଖନ୍ତି। ସେ ସିନା ଠାକୁର, କିନ୍ତୁ ଲୀଳା ତାଙ୍କର ମଣିଷଙ୍କ ପରି। ସେଇଥିପାଇଁ ସେ ସମସ୍ତଙ୍କର ଅତିପ୍ରିୟ। ଜୀବନରେ ଜଗନ୍ନାଥଙ୍କୁ ନେଇ ତାଙ୍କର ଅସଂଖ୍ୟ ଅନୁଭୂତି। ତେବେ ସେସବୁ ସେ ପ୍ରକାଶ କରନ୍ତିନି। କୁହନ୍ତି ଅନୁଭୂତି ନିଜ ଭିତରେ ଥାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe