ଖଣ୍ଡଗିରି: ଶନିବାର ସକାଳ ପ୍ରାୟ ୭ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଗୋହିରା ଛକରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ ଯାଁଳା ଫାଣ୍ଡି ଅନ୍ତର୍ଗତ ମଦନପୁର ଗ୍ରାମରେ ରହୁଥିବା ପ୍ରତାପ କୁମାର ଜେନା(୫୨)। ତାଙ୍କ ନିଜ ଘର ରାଉରକେଲା ଛେଣ୍ଡ କଲୋନି। ସେ ମଦନପୁରରେ ତାଙ୍କ ଶ୍ୱଶୁର ଘରେ ରହି ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ।
ସୂଚନାନୁସାରେ ସବୁଦିନ ଭଳି ଆଜି ପ୍ରତାପ ରାତି ଡିଉଟି ସାରି ସକାଳୁ ସକାଳୁ ଘରକୁ ସାଇକେଲରେ ଫେରୁଥିଲେ। ସେ ଗୋହିରା ଛକଠାରୁ କିଛି ଦୂର ପଛରେ ପହଞ୍ଚିଥିବାବେଳେ ପଛରୁ ଆସୁଥିବା ଏକ ପିକ୍ ଅପ୍ ଭ୍ୟାନ୍(ଓଡି୦୫ଏସି-୮୫୫୯) ତାଙ୍କୁ ଧକ୍କା ଦେଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ପ୍ରତାପ ରାଜପଥ କଡ଼ରେ ଥିଲେ ବି ପିକ୍ ଭ୍ୟାନ୍ ଡ୍ରାଇଭର ଅନ୍ୟ ଏକ ଗାଡ଼ିକୁ ବାମ ପଟେ ଅତିକ୍ରମ କରିବାକୁ ଯାଇ ପ୍ରତାପଙ୍କୁ ପିଟି ଦେଇଥିଲା। ଧକ୍କା କରିବା ପରେ ପିକ୍ ଅପ୍ ଭ୍ୟାନ୍ ଡ୍ରାଇଭର ଘଟଣାସ୍ଥଳରୁ ଗାଡ଼ି ନେଇ ଫେରାର୍ ହେବାକୁ ଉଦ୍ୟମ କରିଥିଲା। କିନ୍ତୁ ସ୍ଥାନୀୟ ଲୋକେ ତାକୁ ଗୋଡ଼ାଇ ଗୋଡ଼ାଇ ଯାଁଳା ବଜାରଠାରେ ଧରିଥିଲେ। ଏଣେ ପ୍ରତାପଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ହସ୍ପିଟାଲରେ ଭର୍ତି କରାଯାଇଥିଲା। ମାତ୍ର ସେତେବେଳକୁ ତାଙ୍କ ମୃତ୍ୟୁ ଘଟି ସାରିଥିଲା। ତମାଣ୍ଡୋ ଥାନା ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି। ଯାଁଳା ଫାଣ୍ଡି ଜବତ କରିଥିବା ପିକ୍ ଅପ୍ ଭ୍ୟାନ୍ ଓ ଚାଳକକୁ ତମାଣ୍ଡୋ ଥାନା ପୁଲିସକୁ ହସ୍ତାନ୍ତର କରିଛି।
Follow Us