ତାଳପତ୍ରରେ ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କ ଚିତ୍ରାବଳି, ଲୋକଙ୍କ ଆଦରରୁ ଆତ୍ମନିର୍ଭରଶୀଳ ହେଉଛି ଶିଳ୍ପୀ

ତାଳପତ୍ରରେ ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କ ଚିତ୍ରାବଳି, ଲୋକଙ୍କ ଆଦରରୁ ଆତ୍ମନିର୍ଭରଶୀଳ ହେଉଛି ଶିଳ୍ପୀ

ଖଣ୍ଡଗିରି : ତାଳପତ୍ରରେ ସେମାନେ ଆଙ୍କୁଛନ୍ତି ସୁନ୍ଦର ସୁନ୍ଦର ଚିତ୍ର। ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, ରାସଲୀଳା, ମହାରାସ ସମେତ ଶ୍ରୀଜଗନ୍ନାଥଙ୍କ ସୁନାବେଶ, ପଦ୍ମବେଶ ଭଳି ପୌରାଣିକ କଥାବସ୍ତୁକୁ ଚିତ୍ରରେ ଆଙ୍କି ଜୀବନ୍ୟାସ ଦେଇ ପାରୁଛନ୍ତି। ଫଳରେ ନିର୍ଜୀବ ତାଳପତ୍ର ପାଲଟି ଯାଉଛି ଜୀବନ୍ତ। ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ହାତର ଏହି କଳାନୈପୁଣ୍ୟ ଏବେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ବରେ ଲୋକାଦୃତ ହୋଇପାରିଛି। କିଣିବା ପାଇଁ ଅନ୍‌ଲାଇନ୍‌ରେ ବରାଦ ଆସୁଛି। ତେଣୁ ହଜି ଯାଉଥିବା ପ୍ରାଚୀନ ଉତ୍କଳର କଳାକୁ ବଞ୍ଚାଇ ରଖିବାକୁ ପ୍ରୟାସ କରୁଥିବା ଛାତ୍ରଛାତ୍ରୀମାନେ ଏବେ ଏହା ଦ୍ବାରା ବେଶ୍ ଭଲ ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।

ପ୍ରାଚୀନ କାଳରେ ଯେ‌ତେବେଳେ କାଗଜ ନଥିଲା, ସେତେବେଳେ ତାଳପତ୍ର ହିଁ ସବୁ ନଥିର ଏକମାତ୍ର ମାଧ୍ୟମ ଥିଲା। ଏଥିରେ କାବ୍ୟ, କବିତା, ବେଦ, ଉପନିଷଦ, ଶାସ୍ତ୍ର, ସଂସ୍କୃତ ଶ୍ଳୋକ, ଔଷଧୀୟ ନଥିପତ୍ର ଓ ଜାତକ ଆଦି ଲିପିବଦ୍ଧ କରି ରଖାଯାଉଥିଲା। କିନ୍ତୁ ଏବେ ସେ ସମୟ ନାହିଁ। ତାଳପତ୍ର ବ୍ୟବହାର ବହୁ ପରିମାଣରେ କମି ଯାଇଛି। ଏମିତିକି ଦୈନିନ୍ଦିନ ଜୀବନରେ ଦରକାର ହେଉଥିବା ବିଞ୍ଝଣା, ପଟି ଆଦିର ବ୍ୟବହାର କମି ଯାଇଛି। ତଥାପି ତାଳପତ୍ର ତିଷ୍ଠିଛି। ନୂଆ ଉପାୟରେ ରୋଜଗାରର ମାଧ୍ୟମ ପାଲଟିଛି। ତାଳପତ୍ରରେ ଚିତ୍ରଶିଳ୍ପୀ ଆଙ୍କୁଛି ମନଲୋଭା ଚିତ୍ର। ଚିତ୍ରଶିଳ୍ପୀ ତାପସ କରଙ୍କ କହିବା କଥା, ଖୁବ୍‌ କମ୍‌ ଟଙ୍କା ଖର୍ଚ୍ଚ କରି ଏଥିରୁ ଭଲ ପଇସା ରୋଜଗାର କରି ହେଉଛି। କେବଳ ଖୋ‌ଦେଇ ପାଇଁ କଠିନ ପରିଶ୍ରମ ଦରକାର। ଏବେ ବ୍ୟବସାୟୀମାନେ ବରାଦ ଦେଇ କାମ କରାଉଛନ୍ତି ଓ ବଜାରରେ ବିକ୍ରି କରୁଛନ୍ତି। ୮/୧୦ଟି ତାଳପତ୍ର ଖୋଦେଇ ଚିତ୍ରର ମୂଲ୍ୟ ଅତି କମ୍‌ରେ ୨ ହଜାର ଟଙ୍କା ରହୁଛି। ସେହିଭଳି କାରୁକାର୍ଯ୍ୟ ଓ ବିଷୟବସ୍ତୁକୁ ନେଇ ମଧ୍ୟ ଦର ସ୍ଥିର କରାଯାଉଛି। ତେଣୁ କିଛି ତାଳପତ୍ର ଖୋଦେଇ ଚିତ୍ରର ମୂଲ୍ୟ ୧୦ରୁ ୧୨ ହଜାର ଟଙ୍କା ମଧ୍ୟ ହୋଇପାରୁଛି।

ତାପସ ଦାବି କରିଛନ୍ତି ଯେ ଏହି କାମରୁ ଗୋଟିଏ ମାସରେ ଜଣେ ୩୦ରୁ ୪୦ହଜାର ଟଙ୍କା ରୋଜଗାର କରିପାରିବ। ସେହିପରି ଶିଳ୍ପୀ ସୁଶ୍ରୀ ଅସୀମା ଦାସଙ୍କ କହିବା କଥା, ଅନ୍‌ଲାଇନ୍‌ ଓ ସୋସିଆଲ୍‌ ମିଡିଆରେ ବର୍ତ୍ତମାନ ତାଳପତ୍ର କାରିଗରିର ଚାହିଦା ବଢୁଛି। ତାଙ୍କ ସାଙ୍ଗସାଥୀ ଓ ପରିଚିତ ଲୋକମାନେ ଏହି ଚିତ୍ରକଳାକୁ ଘର ସଜାଇବା ପାଇଁ କିଣୁଛନ୍ତି। ତେଣୁ ଓଡ଼ିଆ ଝିଅ ହିସାବରେ ଓଡ଼ିଶାର ପରମ୍ପରାକୁ ବଜାୟ ରଖିବାରେ ସେ କିଛି କରି ପାରୁଥିବାରୁ ଗର୍ବ ଅନୁଭବ କରୁଛନ୍ତି ଓ ସେଥିରୁ ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe