ଟ୍ରେନ୍‌ରେ ବିକ୍ରି ହେଉଛି ନକଲି ବହି

Advertisment
ଟ୍ରେନ୍‌ରେ ବିକ୍ରି ହେଉଛି ନକଲି ବହି

ଭୁବନେଶ୍ୱର: ‘ଜିଏସ୍‌ଟି’ ଓ ‘ଜିଓ’ ନିକଟ ଅତୀତରେ ବହି ବ୍ୟବସାୟକୁ ପ୍ରଭାବିତ କରିଛି। ଅଥଚ ତା’ଠୁ ବଳି ଯାଇଛି ବହି ବଜାରରେ ପାଇରେଟେଡ୍‌ ବୁକ୍‌ସ ତଥା ନକଲି ବହିର କିଣାବିକା। ଖୋଦ ଭୁବନେଶ୍ୱରରେ ଟ୍ରେନ୍‌ ଭିତରେ ବି ଜାତୀୟସ୍ତରର ଲେଖକଙ୍କ ପ୍ରେମ କାହାଣୀର ନକଲି ବହି ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ମୂଳ ବହିର ଦର ୧୦୦ ଟଙ୍କା ଥିବା ନକଲି ବହି ୩୦ ଟଙ୍କାରେ ମିଳୁଛି। ଖାଲି ଟ୍ରେନ୍‌ ନୁହେଁ କିଛି ବହି ଦୋକାନରେ ମଧ୍ୟ ଏହିଭଳି ପାଇରେଟେଡ୍‌ ବହି ଉପଲବ୍ଧ ହେଉଥିବା ପାଠକ ମହଲରୁ ଅଭିଯୋଗ ହେଉଛି। ଜାତୀୟସ୍ତରର ପ୍ରତିଷ୍ଠିତ ଲେଖକଙ୍କ ଇଂରାଜୀ ବହି କଟିଂ, ପ୍ରିଣ୍ଟିଂ, ବାଇଣ୍ଡିଙ୍ଗ୍‌ ସବୁକିଛି ଦିଲ୍ଲୀର କିଛି ନକଲି ପ୍ରକାଶନ ସଂସ୍ଥାରୁ କରାଯାଉଛି। ଟ୍ରକ୍‌ଟ୍ରକ୍‌ ନକଲି ବହି ସମଗ୍ର ଦେଶକୁ ପଠାଯାଉଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ବାସ୍ତବରେ ଯେତିିକି ବହି ବିକ୍ରି ହୁଏ ସେଇ ଅନୁସାରେ ଲେଖକଙ୍କୁ ରୟାଲ୍‌ଟି ମିଳୁଥିବା ବେଳେ ନକଲି ପ୍ରକାଶନରେ ସେଇ ରୟାଲ୍‌ଟି ଦେବାକୁ ପଡ଼େନି। ତେଣୁ ନକଲି ବହିରେ ସେଇ ରୟାଲ୍‌ଟିର ବୋଝ ନଥିବାରୁ ବହୁ ପରିମାଣରେ ନକଲି ବହି ଶସ୍ତାରେ ଉପଲବ୍ଧ ହେଉଛି ବୋଲି ଏଏଚ୍‌ ହ୍ଵିଲର ଆଣ୍ଡ୍‌ କମ୍ପାନି ପ୍ରାଇଭେଟ୍‌ ଲିମିଟେଡ୍‌, ଭୁବନେଶ୍ୱରର ବଳଭଦ୍ର ନାୟକ କହିଛନ୍ତି। ଫରକ କେବଳ ଏତିକି ନକଲି ବହିର ଉପର ଅଂଶ ଟିକେ ଫିକା ଏବଂ ଛାପା ଅକ୍ଷରଗୁଡ଼ିକ ମୂଳ ବହିଠାରୁ ବେଳେବେଳେ ଭିନ୍ନ ଦେଖାଯାଏ। ପ୍ରିଣ୍ଟିଂ, ବାଇଣ୍ଡିଂ ଏବଂ ବହିର ଲେଖକଙ୍କ ରୟାଲଟି ଉପରେ ଜିଏସ୍‌ଟି ଯୋଗୁଁ ବହିର ମୂଲ୍ୟ ଉଚ୍ଚା ହୋଇଛି। ସେହିପରି ଜିଓ ଆସିବା ପରଠୁ ଅର୍ଧାଧିକ ବ୍ୟକ୍ତିବିଶେଷ ଇଣ୍ଟରନେଟ୍‌ରେ ବ୍ୟସ୍ତ ରହୁଥିବାରୁ ବହି, ପତ୍ରିକା ଓ ସମ୍ବାଦପତ୍ର ବିକ୍ରିବଟାରେ କିଛି ମାତ୍ରାରେ ରୋକ୍‌ ଲଗାଇଛି। ତଥାପି ବହିର ଆଦର ସମ୍ପୂର୍ଣ୍ଣ କମିଯାଇନି। ଆଞ୍ଚଳିକ ଭାଷାର ବହିକୁ ଛାଡ଼ି ଦେଲେ ଜାତୀୟସ୍ତରର ଲେଖକ ଚେତନ ଭଗତ, ରବିନ୍ଦର ସିଂହ ଓ ରବିନ ଶର୍ମାଙ୍କ ବହିର ସାରା ଦେଶରେ ଆଦର ରହିଛି। ବହି ବ୍ୟବସାୟୀଙ୍କ କହିବା ମୁତାବକ ଏବେ ମାସକୁ ବହି ଦୋକାନମାନଙ୍କରେ ୧୦୦ଟି ‘ପ୍ରେମ କାହାଣୀ’ ବହି ବିକ୍ରି ହେଉଥିବା ବେଳେ ଅନ୍ୟ ବହି ମାତ୍ର ୪ଟି ବିକ୍ରି ହେଉଛି। ତେଣୁ ପ୍ରସିଦ୍ଧି ଅର୍ଜନ କରିଥିବା କିଛି ଜାତୀୟସ୍ତରୀୟ ଲେଖକଙ୍କ ଚର୍ଚିତ ପ୍ରେମ କାହାଣୀ ବହିଗୁଡ଼ିକ ନକଲ କରାଯାଉଛି। ବହିର ବିକ୍ରିବଟା ଏତେ ନାହିଁ ସତ, କିନ୍ତୁ ଯେତିକି ବି ବହି ବିକ୍ରି ହେଉଛି ସେଥି ମଧ୍ୟରୁ କିଛି ଭଲ ବହି ଓ ପ୍ରସିଦ୍ଧ ଲେଖକଙ୍କ ବହିର ନକଲି କପି କମ୍‌ ଦାମରେ ମିଳିଯାଉଛି। କିନ୍ତୁ ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ କେହି ଏନେଇ ମୁହଁ ଖୋଲୁ ନାହାନ୍ତି। ତେଣୁ ଉପଭୋକ୍ତା ବିଭାଗ ଦୃଷ୍ଟିକୁ ମଧ୍ୟ ଏନେଇ କେବେ କୌଣସି ଅଭିଯୋଗ ଏଇ ନିକଟ ଅତୀତରେ ଆସିନାହିଁ ବୋଲି ଜଣେ ଅଧିକାରୀଙ୍କ ସୂତ୍ରରୁ ଯାହା ସୂଚନା ମିଳିଛି। ସବୁଠୁ ବଡ଼ କଥା ହେଉଛି ଏଇ ମାତ୍ର ୩ ବର୍ଷ ତଳେ ଚେତନ ଭଗତ ଓ ରବିନ୍ଦର ସିଂହଙ୍କ ପ୍ରେମ କାହାଣୀ ପୁସ୍ତକର ବିଜ୍ଞାପନ ଆସୁଆସୁ ବହି ଷ୍ଟଲ୍‌ଗୁଡ଼ିକରେ ପାଠକ ଭିଡ଼ ଜମାଉଥିବା ବେଳେ ଏବେ ସେଇ ଲେଖକମାନଙ୍କ ବହିର ବିକ୍ରିବଟା ହ୍ରାସ ପାଇଛି। ବିଶ୍ୱପ୍ରସିଦ୍ଧ ଲେଖକ ପଲ୍‌ କୋଏଲୋ କହିଥିଲେ ଯେ, ପାଇରେଟେଡ୍‌ ବହି ସେଇ ଲେଖକଙ୍କ ପାଇଁ ଏକ ମେଡାଲ୍‌ ସଦୃଶ। ମାତ୍ର ଏହିଭଳି ବିକ୍ରିବଟା ଯେ ଆର୍ଥିକ ଦୃଷ୍ଟିରୁ ସଂପୃକ୍ତ ପ୍ରକାଶକ ଓ ଲେଖକଙ୍କ ମାନସିକତାକୁ ପ୍ରଭାବିତ କରେ ତାହାକୁ ମଧ୍ୟ ଏଡ଼ାଇ ଦେବା ଠିକ୍‌ ହେବ ନାହିଁ ବୋଲି ଅନେକ ଦାବି କରନ୍ତି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତରେ ପାଠକ ଏବଂ ସରକାରୀ ବିଭାଗ ଯତ୍ନବାନ ଓ ସଚେତନ ହେବାକୁ ବହି ବିକ୍ରେତାମାନେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe