‌ପ୍ଲେ’ ସ୍କୁଲରେ ପଡ଼ିଲା ତାଲା, ନିକଟ ଭବିଷ୍ୟତରେ ଖୋଲିବାର ଆଶା କମ୍

‌ପ୍ଲେ’ ସ୍କୁଲରେ ପଡ଼ିଲା ତାଲା, ନିକଟ ଭବିଷ୍ୟତରେ ଖୋଲିବାର ଆଶା କମ୍

ଚନ୍ଦ୍ରଶେଖରପୁର: ମହାମାରୀ କରୋନା ଚଳିତ ବର୍ଷ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛି। ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ଗତ ୬ ମାସ ହେଲା ବନ୍ଦ ରହିଛି। ପିଲାଙ୍କୁ ଅନ୍‌ଲାଇନ୍‌ରେ ପଢ଼ା ଯାଉଥିଲେ ମଧ୍ୟ ବହୁ ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ଏଭଳି ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି। ତେବେ ସବୁଠାରୁ ବେଶି ପ୍ରଭାବିତ ହୋଇଛି ଫ୍ଲେ ସ୍କୁଲ। କୁନି ପିଲାଙ୍କୁ ଖେଳକୁଦ ମାଧ୍ୟମରେ ଶିକ୍ଷାଦାନ କରୁଥିବା ପ୍ଲେ ସ୍କୁଲଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। ବହୁ ପ୍ଲେ ସ୍କୁଲରେ ସବୁଦିନ ପାଇଁ ତାଲା ପଡ଼ିଗଲାଣି। ରକ୍ଷଣାବେକ୍ଷଣ ଅଭାବରୁ ବହୁ ସ୍କୁଲରେ ଘାସ ଉଠିଗଲାଣି। କିଛି ମାଲିକ ଶାଗମାଛ ଦରରେ ବିଦ୍ୟାଳୟର ଆସବାବପତ୍ର ଓ ଶିକ୍ଷା ଉପକରଣ ବିକିବା ଲକ୍ଷ୍ୟ କରାଯାଉଛି।

ଏପରି ସ୍ଥିତିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ରାଜଧାନୀ ଉପକଣ୍ଠରେ ଗଢ଼ି ଉଠିଥିବା ପ୍ଲେ ସ୍କୁଲ୍। ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଓ କେୟାରଟେକର୍ ତଥା ଧାଇ ମା’ମାନେ ରୋଜଗାର ହରାଇଛନ୍ତି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଶିକ୍ଷାନୁଷ୍ଠାନ ତିଆରି କରିଥିବା ସଂସ୍ଥାର ମାଲିକମାନେ ଏବେ ଘର ଭଡ଼ା ଦେଇପାରୁନାହାନ୍ତି। ତେଣୁ ସେମାନେ ସ୍କୁଲ୍ ବନ୍ଦ କରିବା ପାଇଁ ସ୍ଥିର କରି ସାରିଛନ୍ତି। ଏମିତିକି କିଛି ସ୍କୁଲର ମାଲିକମାନେ ସ୍କୁଲର ଆସବାବପତ୍ର, ଖେଳଣା ଓ ଅନ୍ୟାନ୍ୟ ଶିକ୍ଷା ଉପକରଣ ସବୁକୁ ଶାଗମାଛ ଦରରେ ବିକିବା ଆରମ୍ଭ କଲେଣି। ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର ମଞ୍ଚେଶ୍ବର, ରସୁଲଗଡ଼, ଚକେଇସିଆଣି, ପଟିଆ, ଚନ୍ଦ୍ରଶେଖରପୁର ସହିତ ପାଖ ପାଞ୍ଚ ପଞ୍ଚାୟତରେ ଗଢ଼ି ଉଠିଥିବା ଛୋଟବଡ଼ ପ୍ଲେ’ସ୍କୁଲ୍ ଗୁଡ଼ିକ କ୍ଷତି ସହି ନପାରି ବନ୍ଦ ହୋଇଗଲାଣି।

ନିକଟ ଭବିଷ୍ୟତରେ ଏଭଳି ବିଦ୍ୟାଳୟ ପାଇଁ କରୋନା କଟକଣା ହଟିବାର ଆଶା ନାହିଁ। ଅନ୍ୟ ବିଦ୍ୟାଳୟ ସବୁ ଦଶହରା ଛୁଟି ପରେ ଖୋଲିବା ଆଶା ଥିଲେ ମଧ୍ୟ ପ୍ଲେ ସ୍କୁଲ କ୍ଷେତ୍ରରେ କଟକଣା ବଳବତ୍ତର ରହିବା ସମ୍ଭାବନା ରହିଛି। ଏହାଛଡ଼ା ଅଭିଭାବକମାନେ ମହାମାରୀ କରୋନା ନ ହଟିବା ପର୍ଯ୍ୟନ୍ତ ପ୍ଲେ ସ୍କୁଲ୍‌କୁ ପିଲା ଛାଡ଼ିବେ ନାହିଁ ବୋଲି ସ୍ଥାନୀୟ କୁଇନ୍ ପ୍ଲେ ସ୍କୁଲ୍ ପ୍ରତିଷ୍ଠାତା ସ୍ନେହଲତା ପ୍ରଧାନ କହିଛନ୍ତି। ଅନ୍ୟପକ୍ଷରେ ଶିକ୍ଷାବିତ୍‌ ସୁଶାନ୍ତ ଦାସଙ୍କ କହିବା କଥା ପ୍ଲେ ସ୍କୁଲ୍‌ ପିଲାଙ୍କୁ ଇ-ଶିକ୍ଷା ଯୋଗାଇବା ସମ୍ଭବ ନୁହେଁ। ‌ତେଣୁ ଏହି ଅନୁଷ୍ଠାନଗୁଡ଼ିକୁ ବନ୍ଦ କରିବା ପାଇଁ ସ୍କୁଲ୍ ମାଲିକମାନେ ଚିନ୍ତା କରିବା ସ୍ବାଭାବିକ। ସେହିଭଳି କୋମଳମତି ଶିଶୁମାନେ ସ୍କୁଲରେ କରୋନା କଟକଣାରେ ରହିବା ସମ୍ଭବ ନୁହେଁ ବୋଲି ସ୍ଥାନୀୟ ଚନ୍ଦ୍ରଶେଖରପୁରର ଜଣେ ଅଭିଭାବକ ରାମେଶ୍ବର ଦାସ କହିଛନ୍ତି। ତେଣୁ ବହୁ ଅଭିଭାବକ କୌଣସି ପରିସ୍ଥିତିରେ ବି ପିଲାଙ୍କୁ ପ୍ଲେ ସ୍କୁଲକୁ ଛାଡ଼ିବେ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe