ଭୁବନେଶ୍ବର: ବିଷଧର ସାପଙ୍କୁ ଖେଳାଇବା ଅନେକ ଥର ପ୍ରାଣଘାତକ ସାଜିଲାଣି। ନିକଟରେ ବଲାଙ୍ଗୀର ଅଞ୍ଚଳରେ ଜଣେ ସାପ ଧରାଳି ଲୋକଙ୍କ ଆଗରେ ସାପକୁ ଖେଳାଉଥିବାବେଳେ ସାପ ଚୋଟରେ ପ୍ରାଣ ହରାଇବା ଘଟଣା ଏବେ ବି ଲୋକଙ୍କ ମନରେ ଜୀବନ୍ତ ଅଛି। ତଥାପି ରିଲ୍‌ସ ନିଶାରେ କିଛି ଲୋକ ଏଭଳି ବିପଦପୂର୍ଣ୍ଣ ସାପ ଖେଳ ସର୍ବସାଧାରଣ ସ୍ଥାନରେ ଦେଖାଉଛନ୍ତି ଓ ଏହାକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରୁଛନ୍ତି। ଏହା ବନ୍ୟପ୍ରାଣୀ ନିରାପତ୍ତା ଆଇନ-୧୯୭୨ର ଖୋଲା ଉଲ୍ଲଂଘନ। ଏହି ଆଇନ ଉଲ୍ଲଂଘନକାରୀଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ବି ନିୟମ ରହିଛି। କିନ୍ତୁ ଆଇନର କଡ଼ା ଅନୁପାଳନ ହେଉ ନଥିବାରୁ ଏଭଳି ପ୍ରାଣଘାତୀ ରିଲ୍‌ସ ଉପରେ ରୋକ୍‌ ଲାଗୁ ନାହିଁ।
ପୁରୀ, ଖୋର୍ଦ୍ଧା, ଭଦ୍ରକ, ସମ୍ବଲପୁର ଭଳି ଜିଲ୍ଲାରୁ ବିଷଧରସାପଙ୍କୁ ଧରି ସର୍ବସାଧାରଣ ସ୍ଥାନରେ ଖେଳାଉଥିବାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି। ନିକଟରେ ପୁରୀ ଜିଲ୍ଲାର ଜଣେ ବ୍ୟକ୍ତି ବିଷଧର ରଣା ସାପକୁ ଖେଳାଉଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ପରେ ସ୍ନେକ୍ ହେଲ୍ପଲାଇନ୍‌ର ଶୁଭେନ୍ଦୁ ମଲ୍ଲିକ ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହା ବନ୍ୟପ୍ରାଣୀ ଆଇନର ଖୋଲା ଉଲ୍ଲଂଘନ ଓ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ସାପ କାମୁଡ଼ାରେ ମଲେ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାର ନିୟମ ରହିଥିବାବେଳେ ଏଭଳି ଖେଳ ଦେଖାଇ ମରୁଥିବା ଲୋକଙ୍କୁ କାହିଁକି ଏହି କ୍ଷତିପୂରଣ ମିଳିବ ବୋଲି ଯୁକ୍ତି ବାଢ଼ିଛନ୍ତି। 

Advertisment

Putin's visit to India: ପୁଟିନଙ୍କ ଭାରତ ଗସ୍ତ ଆଜି: ଅଭେଦ୍ୟ ସୁରକ୍ଷା ବଳୟ, କମାଣ୍ଡୋ-ସ୍ନାଇପର୍-ଡ୍ରୋନ୍-ଏଆଇ

ପୂର୍ବରୁ ସାପୁଆ କେଳାମାନେ ସାପ, ପଶୁପକ୍ଷୀ ଓ ଅନ୍ୟ ବନ୍ୟଜନ୍ତୁଙ୍କୁ ରଖି ଗାଁ ଗାଁରେ ଖେଳ ଦେଖାଇ ଏହାକୁ ରୋଜଗାରର ମାଧ୍ୟମ କରି ଦେଇଥିଲେ। ପଶୁପ୍ରେମୀଙ୍କ ପକ୍ଷରୁ ବିରୋଧର ସ୍ବର ଉଠିବା ପରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ୨୦୧୪ ମସିହାରୁ ସାରା ଦେଶରେ ବନ୍ୟଜନ୍ତୁଙ୍କୁ ନେଇ ଏଭଳି ଖେଳ ତଥା ସାମାଜିକ ଗଣମାଧ୍ୟମରେ ଫଟୋ, ଭିଡିଓ ଛାଡ଼ିବା ଉପରେ କଟକଣା ଲଗାଇଛନ୍ତି। ସାପ ଖେଳ ହେଉ କି ମାଙ୍କଡ଼, ହରିଣ ଆଦିଙ୍କୁ ଧରି ଫଟୋ, ଭିଡିଓ ଛାଡ଼ିବା ଘଟଣା ନଜରକୁ ଆସିବା ପରେ ଓଡ଼ିଶା ସରକାର ବି ଗତବର୍ଷ ମାର୍ଚ୍ଚ ୧୫ରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ ସବୁ ଜିଲ୍ଲାର ବନଖଣ୍ଡ ଅଧିକାରୀଙ୍କୁ ଚିଠି କରିଥିଲେ। ଶିମିଳିପାଳ ବନ୍ୟପ୍ରାଣୀ ବିଭାଜନ ଉପନିର୍ଦ୍ଦେଶକ, ନନ୍ଦନକାନନ ଉପନିର୍ଦ୍ଦେଶକଙ୍କୁ ଏ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ବ୍ୟକ୍ତିମାନେ ନିୟମ ଉଲ୍ଲଂଘନ କରି ସାମାଜିକ ଗଣମାଧ୍ୟମରେ ବନ୍ୟଜନ୍ତୁଙ୍କ ସହ ଫଟୋ ଓ ଭିଡିଓ ଛାଡ଼ି ଚର୍ଚ୍ଚାକୁ ଆସିବାକୁ ଚାହୁଁଛନ୍ତି, ସେମାନଙ୍କୁ ଗିରଫ କର ଓ ଜେଲ୍ ପଠାଇ ଅଧିକ ଚର୍ଚ୍ଚିତ କର ବୋଲି ଚିଠିରେ ଲେଖିଥିଲେ। ଶ୍ରୀ ମଲ୍ଲିକ କହିଛନ୍ତି, କେନ୍ଦ୍ର ସରକାରଙ୍କ ପରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯିଏ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଏଭଳି ଚିଠି କରିଛନ୍ତି। ସାପ ଖେଳାଇବା ବେଳେ ପୁରୀ ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ି ଦେଇଥିଲା। ଏହ‌ାପରେ ବି ସେ ସାପକୁ ହଳଦୀ, ଚନ୍ଦନ, ଫୁଲ ଦେଇ ଗାଧୋଇଥିବାର ଭିଡିଓ ଭାଇରାଲ୍ କଲେ ଓ ଏଥିପାଇଁ ଜେଲ୍ ଗଲେ। ତଥାପି ସେ ଏକ ବିଷାକ୍ତ ରଣା ସାପକୁ ହାତରେ ଧରି ଖେଳାଇବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି। ଏଭଳି ଫଟୋ ଓ ଭିଡିଓ ଛାଡ଼ୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ।

Odissi: ଓଡ଼ିଶୀରେ ନିଶ ଦାଢ଼ି ରଖିହୁଏ କି ନାହିଁ!