ଭୁବନେଶ୍ବର: କୋଣାର୍କ ଅର୍କକ୍ଷେତ୍ରରେ ଆରମ୍ଭ ହୋଇଛି ଓଡ଼ିଆ ଅସ୍ମିତାରବାର୍ତ୍ତାବହ ‘୩୬ତମ କୋଣାର୍କ ଉତ୍ସବ’। ଏହି ଉତ୍ସବ କେବଳ ଓଡ଼ିଶାର କଳା ନୁହେଁ, ବରଂ ଓଡ଼ିଶାର ସମଗ୍ର ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ। କୋଣାର୍କ ଉତ୍ସବରେ ଏହାର ପରିବେଷଣ ନିଜ ମାଟିରେ ଏହି ନୃତ୍ୟର ଉତ୍କର୍ଷ ଦେଖାଇବାର ଅବସର। ହେଲେ ମଙ୍ଗଳବାର ସଂଧ୍ୟାରେ କୋଣାର୍କ ଉତ୍ସବର ଦ୍ବିତୀୟ ଦିବସରେ କୋଲ୍‌କାତାର ନୃତ୍ୟାନୁଷ୍ଠାନ ଶର୍ମିଳା ବିଶ୍ବାସଙ୍କ ଓଡ଼ିଶୀ ଭିଜନ୍‌ ଆଣ୍ଡ୍‌ ମୁଭ୍‌ମେଣ୍ଟ୍‌ ସେଣ୍ଟର ପକ୍ଷରୁ ପ୍ରଦର୍ଶିତ ଓଡ଼ିଶୀ ନୃତ୍ୟକୁ ନେଇ ବିବାଦ ଦେଖାଦେଇଛି। ଏହି ନୃତ୍ୟର ଗରିମା ଓ ମୌଳିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ନୃତ୍ୟାନୁଷ୍ଠାନର ନୃତ୍ୟଶିଳ୍ପୀମାନେ ମହାଲକ୍ଷ୍ମୀ ସ୍ତୋତ୍ରମ୍‌, ଆବର୍ତ୍ତନ ବିବର୍ତ୍ତନ, ସୃଷ୍ଟିତତ୍ତ୍ବ ଆଦି ତିନିଟି ନୃତ୍ୟାଭିନୟ ପରିବେଷଣ କରିଥିଲେ। ଏହି ସବୁ ନୃତ୍ୟରେ ନୃତ୍ୟଶିଳ୍ପୀମାନେ ଦାଢ଼ି ନିଶ ରଖିଥିବା ବେଳେ ଓଡ଼ିଶୀ ପରିପାଟୀ ମଧ୍ୟ ଠିକ୍‌ ନଥିଲା। ଓଡ଼ିଶୀ ଏକ ଶାସ୍ତ୍ରୀୟ ନୃତ୍ୟ ହୋଇଥିବାରୁ ପୋଷାକ ପରିଧାନଠାରୁ ଆରମ୍ଭ କରି ଆଙ୍ଗରାଗରେ ଶୁଦ୍ଧତା ଓ ଶୃଙ୍ଖଳା ରହିବାର ଆବଶ୍ୟକତା ରହିଛି। ଗତକାଲିର ପରିବେଷଣରେ କିଛି ବ୍ୟତିକ୍ରମ ଥିବା ଅଭି‌ଯୋଗ ହୋଇଛି। ଫଳରେ ଓଡ଼ିଶୀ ନୃତ୍ୟର ପରିପାଟୀ ତଥା ଆହାର୍ଯ୍ୟକୁ ନେଇ ପୁଣି ଥରେ ବିତର୍କର ସୂତ୍ରପାତ ହୋଇଛି। 

Advertisment

The Harley-Davidson: ଆସୁଛି ହାର୍ଲେ-ଡେଭିଡ୍‌ସନ୍‌ ଏକ୍ସ୪୪୦ ଟି

ଓଡ଼ିଶୀ ନୃତ୍ୟର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ବୃତ୍ତି ଭାବେ ଗ୍ରହଣ କରିବାକୁ ଯୁବ ନୃତ୍ୟଶିଳ୍ପୀ ଆଗେଇ ଆସିଲେଣି। ଏହି କଳା ଏବେ ଆଉ ଓଡ଼ିଶା କିମ୍ବା ଭାରତରେ ସୀମିତ ନାହିଁ; ବିଦେଶରେ ଏହି ନୃତ୍ୟ ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ‌କିନ୍ତୁ ସରକାରୀ ସ୍ତରରେ କିମ୍ବା ଗୁରୁମାନଙ୍କ ମଧ୍ୟରେ ଓଡ଼ିଶୀର ପରିପାଟୀ ତଥା ଆହାର୍ଯ୍ୟ କିଭଳି ହେବ ସେଭଳି କୌଣସି ଲିଖିତ ଓ ବିଧିବଦ୍ଧ ବ୍ୟବସ୍ଥା ନ ଥିବା‌ରୁ ତାହା ବିଭିନ୍ନ ସମୟରେ ବିବାଦ ସୃଷ୍ଟି କରୁଛି। କିଛି ନୃତ୍ୟଶିଳ୍ପୀ ଆଧୁନିକତାନାମରେ ଓଡ଼ିଶୀକୁ ଭଲ କରିବାକୁ ଯାଇ ଏହାର ମୌଳିକତା କ୍ଷୁଣ୍ଣ କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଓଡ଼ିଶୀ ନୃତ୍ୟ‌ ପାଇଁ ଏକ ସ୍ବତନ୍ତ୍ର ଆହାର୍ଯ୍ୟ ସ୍ଥିରୀକୃତ ହୋଇଛି। କୁମ୍ଭ ପକା ବାନ୍ଧ ଶାଢ଼ି, ଖଣ୍ଡୁଆ ପାଟ, ବମ୍‌କେଇ ପାଟ, ବ୍ରହ୍ମପୁରୀ ପାଟ ଭଳି ଶାଢ଼ି ସହ ତାରକସି କାମ ଥିବା ରୁପା ଅଳଙ୍କାର ଏବଂ ସୋଲ ଟାହିଆ ହେଉଛି ଓଡ଼ିଶୀ ଆହାର୍ଯ୍ୟର ପରିଚୟ। ଏହା ଜଗନ୍ନାଥ ସଂସ୍କୃତି ଓ ଓଡ଼ିଶାର ପରମ୍ପରାକୁ ଉପସ୍ଥାପନା କରେ। ଓଡ଼ିଶୀ ବସ୍ତ୍ରରେ ବୁଣାକାରମାନଙ୍କର ହସ୍ତକଳା, ହସ୍ତଶିଳ୍ପ, ଗହଣାରେ ଓଡ଼ିଶାର ତାରକସିର ନିଖୁଣ କାମ ଓ ସୋଲ ଟାହିଆରେ ଆମ କାରିଗରୀ ସୃଜନତା ପ୍ରଦର୍ଶିତ ହୁଏ। ଏଥିସହ ଓଡ଼ିଶୀ ନୃତ୍ୟରେ ପୁରୁଷ ନୃତ୍ୟଶିଳ୍ପୀମାନେ ନିଶ କିମ୍ବା ଦାଢ଼ି ରଖିବାର ନିୟମ ନାହିଁ ବୋଲି ଅନେକ ଦାବି କରିଛନ୍ତି।

Horoscope 2025 December 04: ଜାଣନ୍ତୁ ଆଜିର ରାଶିଫଳ

ରକ୍ଷକ ଏଠି ଭକ୍ଷକ ସାଜିଛନ୍ତି

ଓଡ଼ିଶୀ ନୃତ୍ୟର ଏକ ପରମ୍ପରା, ଇତିହାସ, ବିଜ୍ଞାନରହିଛି। ଏହି ନୃତ୍ୟ ପରିବେଷଣ ସମୟରେ କ’ଣ ପିନ୍ଧିବେ, କେମିତି ବେଶଭୂଷା ହେବ ତାହା ଆମ ଗୁରୁମାନଙ୍କ ଦ୍ବାରା ସ୍ଥିରୀକୃତ କରାଯାଇଛି। କିନ୍ତୁ କିଛି ଅଣଓଡ଼ିଆ ଶିଳ୍ପୀ ସେ ସବୁ ନିୟମକୁ ଦଳିଚକଟି ଦେଇଛନ୍ତି। ଆମ ମାଟିକୁ ଆସି ଆମ ନୃତ୍ୟକୁ କଦର୍ଯ୍ୟ କରି ସେମାନେ ପରିବେଷଣ କରୁଛନ୍ତି। ଆମ ଆମେ ଗୁରୁ, ଶିଳ୍ପୀମାନେ ତାହାକୁ ସହି ବି ଯାଉଛନ୍ତି। ଫଳରେ ସେମାନେ ଅଧିକ ପ୍ରୋତ୍ସାହନ ପାଉଛନ୍ତି। କୋଲ୍‌କାତାର ଉକ୍ତ ଅନୁଷ୍ଠାନ ସବୁବେଳେ ଏହି ଭଳି ଭାବେ ଓଡ଼ିଶୀର ଗରିମା ଭଙ୍ଗ କରିଛି। ହେଲେ ଆମର କିଛି ଗୁରୁ ଚୟନ କମିଟିରେ ରହି ସେମାନଙ୍କୁ ବାରମ୍ବାର ମନୋନୀତ କରି ଚାଲିଛନ୍ତି। ରକ୍ଷକ ଏଠି ଭକ୍ଷକ ସାଜିଛି। 

ଗୁରୁ ଶରତ ଦାସ, ଓଡ଼ିଶୀ ନୃତ୍ୟଗୁରୁ

ସଂସ୍କୃତି ବିଭାଗ ଗାଇଡ୍‌ଲାଇନ୍‌ ଆଣୁ

ଓଡ଼ିଶୀ ନୃତ୍ୟ କେଉଁ ଗୀତ,ବାଦ୍ୟଯନ୍ତ୍ରରେ ପରିବେଷଣ ହେବ, ଏହାର ପରିପାଟୀ, ପୋଷାକ ଓ ଅଳଙ୍କାର କ’ଣ ରହିବ ସେ ନେଇ ଓଡ଼ିଶୀ ଗୁରୁମାନଙ୍କ ବସାଇ ରାଜ୍ୟ ସଂସ୍କୃତି ବିଭାଗ ଏକ ଗାଇଡ୍‌ଲାଇନ୍‌ ଜାରି କରୁ। ଏଥିସହ ସେହି ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରିବାକୁ ନିୟମ ବି କଡ଼ା ହେଉ। ଏବେ ବି ସମୟ ଅଛି ଓଡ଼ିଶୀ ସହ ଜଡ଼ିତ ପ୍ରତ୍ୟେକ ଓଡ଼ିଆ ଶିଳ୍ପୀ ଏହାର ମୌଳିକତା ରକ୍ଷା କରିବା ଲାଗି ଏକାଠି ହୁଅନ୍ତୁ। ଯେଉଁମାନେ ମୌଳିକତାକୁ ନଷ୍ଟ କରିବେ ସେମାନଙ୍କୁ ସମସ୍ତ ସରକାରୀ ଉତ୍ସବ ବା ଯୋଜନା/ଉପଦେଷ୍ଟା କମିଟିରୁ କିଛି ବର୍ଷ ଲାଗି ବାଦ ଦିଆଗଲେ ସମସ୍ତେ ସୁଧୁରିଯିବେ। ନ୍ୟୁନତମ ଲକ୍ଷ୍ମଣ ରେଖାକୁ କେହି ଅତିକ୍ରମ କରିବେ ନାହିଁ ବୋଲି ମୋର ବିଶ୍ବାସ। ନଚେତ୍ ଅନାବଶ୍ୟକ ଅରୁଚିକର ପରୀକ୍ଷାନିରୀକ୍ଷା ନିଶାରେ ଆଗାମୀ ଦିନରେରେ ଓଡ଼ିଶୀ ନୃତ୍ୟ ତା’ର ପୂର୍ବ ଗୌରବକୁ ହରେଇ ବସିବ।  

ଗୁରୁପଦ ବଳିୟାରସିଂହ, ସଂସ୍କୃତି ସଂଗଠକ

ରୁଚି ଓ ଚରିତ୍ର ଅନୁସାରେ ବେଶ

ନୃତ୍ୟର ଚରିତ୍ର, ନୃତ୍ୟଶିଳ୍ପୀ ବା ନୃତ୍ୟ ସଂଯୋଜକଙ୍କ ରୁଚି ଅନୁସାରେ ବେଶଭୂଷା ହେବାକୁ ପଡ଼ିଥାଏ। ଏହା ସେମାନଙ୍କର ବ୍ୟକ୍ତିଗତ ପସନ୍ଦ। କିନ୍ତୁ ମଁୁ ମୋର କୌଣସି ‌ନୃତ୍ୟରେ ନିଶ, ଦାଢ଼ି ରଖିବାକୁ ପ୍ରୋତ୍ସାହନ ଦିଏ ନାହିଁ। 

ପଦ୍ମଶ୍ରୀ ଅରୁଣା ମହାନ୍ତି, ଓଡ଼ିଶୀ ନୃତ୍ୟଶିଳ୍ପୀ