ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ: ଜୁଲାଇ ୩୧ରେ ପାସ୍‌, ମାସେ ପରେ ଫେଲ୍‌

Advertisment

ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ, ଦାନା ବନ୍ଧିଲାଣି ଛାତ୍ର ଆନ୍ଦୋଳନ

ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ, ଦାନା ବନ୍ଧିଲାଣି ଛାତ୍ର ଆନ୍ଦୋଳନ

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ: ଜୁଲାଇ ୩୧ରେ ପାସ୍‌, ମାସେ ପରେ ଫେଲ୍‌

Image Courtesy of India Today

ଭୁବନେଶ୍ବର: କରୋନା କାଳରେ ବିନା ପରୀକ୍ଷାରେ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଯୁକ୍ତ୨ ଛାତ୍ରଛାତ୍ରୀଙ୍କୁ ନମ୍ବର ଦିଆଗଲା। ମାଟ୍ରିକ୍‌ ମାର୍କ ଆଧାରରେ ଜୁଲାଇ ୩୧ରେ ପ୍ରକାଶିତ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳରେ ପିଲାମାନେ କୃତକାର୍ଯ୍ୟ ହେଲେ। ମାତ୍ର ଗୋଟିଏ ମାସ ବିତିଛି କି ନାହିଁ ନିଷ୍ପତ୍ତି ବଦଳିଗଲା। ଭଲ ମାର୍କରେ ପାସ୍‌ କରିଥିବା‌ ଛାତ୍ରଛାତ୍ରୀ ଏବେ ଫେଲ୍‌ ହୋଇଯାଇଛନ୍ତି। ଜଣେ କି ଦୁଇ ଜଣ ନୁହେଁ। ରାଜ୍ୟର ଶତାଧିକ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ପାସ୍‌ ମାର୍କସିଟ୍‌ ପାଇ ଭବିଷ୍ୟତର ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କୁ ଫେଲ୍‌ ମାର୍କସିଟ୍‌ ମିଳିବାରୁ ନିରାଶ ହୋଇଛନ୍ତି। ବିଶେଷକରି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ମାର୍କସିଟ୍‌ରେ ଏଭଳି ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଯୁକ୍ତ୨ ପରୀକ୍ଷା ଫଳକୁ ନେଇ ବିଭିନ୍ନ ଛାତ୍ର ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଅନ୍ୟପଟେ ଫେଲ୍‌ ହୋଇଥିବାରୁ ଛାତ୍ରଛାତ୍ରୀ କଲେଜକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। କେହି ବି ଏମାନଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ଯେଉଁଥିପାଇଁ ଆତ୍ମହତ୍ୟା ପନ୍ଥା ଆପଣାଇବାକୁ ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି।

କେନ୍ଦ୍ରାପଡ଼ା ରାଜକନିକାସ୍ଥିତ ଶୈଳେନ୍ଦ୍ର ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ନିହାର ରଞ୍ଜନ ବିଶ୍ବାଳ ଜୁଲାଇ ୩୧ରେ ପ୍ରକାଶ ପାଇଥିବା ରେଜଲ୍ଟ ଅନୁଯାୟୀ ମୋଟ ୨୭୨ ନମ୍ବର ରଖି ୩ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏମ୍‌ଆଇଏଲ୍‌(ଓଡ଼ିଆ)ରେ ୬୧ ନମ୍ବର ରଖିଥିବା ବେଳେ ଇଂରାଜୀରେ ୩୦, ଫିଜିକ୍ସ ଥିଓରିରେ ୨୩ ଓ ପ୍ରାକ୍ଟିକାଲରେ ୨୫, କେମେଷ୍ଟ୍ରି ଥିଓରିରେ ୨୩ ଓ ପ୍ରାକ୍ଟିକାଲରେ ୨୮, ବାୟୋଲୋଜି ଥିଓରି ୧ରେ ୧୨, ଥିଓରି-୨ରେ ୧୧, ପ୍ରାକ୍ଟିକାଲ-୧ ଓ ୨ରେ ୧୩ ଲେଖାଏଁ ଏବଂ ଗଣିତରେ ୩୩ ମାର୍କ ରଖିଥିଲେ। ତେବେ ପରବର୍ତୀ ସମୟରେ ଆସିଥିବା ପରୀକ୍ଷା ଫଳରେ ମୋଟ ମାର୍କ ୨୪୪କୁ ହ୍ରାସ ପାଇଛି। ଫିଜିକ୍ସ ଓ କେମିଷ୍ଟ୍ରି ବିଷୟରେ ଥିଓରି ମାର୍କ ୨୩ରୁ ୧୫କୁ ହ୍ରାସ ପାଇଥିବା ବେଳେ ଗଣିତ ବିଷୟରେ ମାର୍କ ୨୧କୁ କମିଯାଇଛି। ଯେଉଁଥିପାଇଁ ଏବେ ମାର୍କସିଟ୍‌ରେ ଫେଲ୍‌ ବୋଲି ଉଲ୍ଲେଖ ହୋଇଛି।

କେବଳ ନିହାର ନୁହନ୍ତି। ତାଙ୍କ ପରି ଆହୁରି ଅନେକ ଛାତ୍ରଛାତ୍ରୀ ବି ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିକାରୀମାନଙ୍କ ଦାୟିତ୍ବହୀନତାକୁ ନେଇ ପ୍ରଶ୍ନ ଉଠିଛି। ରାଉରକେଲାର ପ୍ରାୟ ଦେଢ଼ ଶହ ଛାତ୍ରଛାତ୍ରୀ ଏଭଳି ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି। ସମାଧାନ ପାଇଁ ସମ୍ପୃକ୍ତ ଛାତ୍ରଛାତ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ କିଛି କରିପାରିବେ ନାହିଁ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଯୋଗାଯୋଗ କରିବାକୁ କହିଛନ୍ତି। ସମାଧାନର ବାଟ ନ ବାହାରିଲେ ସହରର ସମସ୍ତ କଲେଜର ଛାତ୍ରଛାତ୍ରୀ ଏକାଠି ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ଗତକାଲି ଚେତାବନୀ ଦେଇଛନ୍ତି।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ ଯଦି ଏଭଳି କୌଣସି ତ୍ରୁଟି ଆସିଛି ତହାର ତର୍ଜମା କରାଯିବ। ସିଏଚ୍‌ଏସ୍‌ଇ ପକ୍ଷରୁ ନୋଟିସ ବାହାରିଛି। ଛାତ୍ରଛାତ୍ରୀ କଲେଜ ଅଧ୍ୟକ୍ଷମାନଙ୍କ ଜରିଆରେ ଅଭିଯୋଗ କରିପାରିବେ। ଯାନ୍ତ୍ରିକ ତ୍ରୁଟି କିମ୍ବା ସ୍ପେଲିଂ ମିସ୍‌ଟେକ ଥିଲେ ଠିକ୍‌ କରାଯିବ। ସିଏଚ୍‌ଏସ୍‌ଇ ପକ୍ଷରୁ ଭୁଲ ହେଇଥିଲେ ତାକୁ ସୁଧାର କରାଯିବ। ନାମଲେଖା ପୂର୍ବରୁ ତ୍ରୁଟି ସୁଧାରିବା ବ୍ୟବସ୍ଥା ହେବ। ଯେତିକି ଠିକ୍‌ ମାମଲା ଆସିବ କମିଟି ମାଧ୍ୟମରେ ତାହାର ସମାଧାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe