ନର୍ସିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ: ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା

Advertisment
ନର୍ସିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ: ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା

ଭୁବନେଶ୍ବର: ବିଏସ୍‌ସି ନର୍ସିଂ ପାଠ୍ୟକ୍ରମ ପାଇଁ ବର୍ଷକୁ ୭୫ ହଜାର ଟଙ୍କା ନିଆଯାଉଛି। ମାତ୍ର ପଢ଼ାଇବାକୁ ଶିକ୍ଷକ ନାହାନ୍ତି। ନିୟମିତ ଭାବେ ଥିଓରି ଓ ପ୍ରାକ୍ଟିକାଲ କ୍ଲାସ ହେଉନି। କ୍ଲିନିକାଲ୍‌ କ୍ଲାସ କରାଯାଉ ନାହିଁ। ହଷ୍ଟେଲରେ ରହିବା ଓ ଖାଇବା ପାଇଁ ବ୍ୟବସ୍ଥା ନାହିଁ। ଏତେ ଚାପରେ ଆଉ ପଢ଼ିବା ସମ୍ଭବପର ନୁହେଁ। ଟ୍ରଷ୍ଟ ବ୍ୟବସ୍ଥାକୁ ଉଚ୍ଛେଦ କରିବା ସହ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ନିଜ ହାତକୁ ପରିଚାଳନା ଦାୟିତ୍ବ ନିଅନ୍ତୁ। ଉତ୍କଳ ବିଶ୍ବବିଦ୍ୟାଳୟ ରୁରାଲ୍‌ କ୍ୟାମ୍ପସରେ ଚାଲିଥିବା ସ୍କୁଲ ଅଫ୍‌ ନର୍ସିଂ ଆଣ୍ଡି ଆଲାଏଡ୍‌ ହେଲଥ୍‌ ସାଇନ୍ସ(ଏସ୍‌ଏନ୍‌ଏଏଚ୍‌ଏସ୍‌) ପାଠ୍ୟକ୍ରମର ଛାତ୍ରଛାତ୍ରୀ ଆଜି ଏଭଳି ନିବେଦନ କରିଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି ଯେ ୪ ବର୍ଷିଆ ନର୍ସିଂ କୋର୍ସ ଲାଗି ବର୍ଷକୁ ୭୫ ହଜାର ଟଙ୍କା ହିସାବରେ ୩ଲକ୍ଷ ଟଙ୍କା ନିଆଯାଉଛି। ମାତ୍ର ପାଠପଢ଼ା ହେଉନି। ଆଜି ପର୍ଯ୍ୟନ୍ତ ସ୍ଥାୟୀ ଅଧ୍ୟାନ ନିଯୁକ୍ତ ହୋଇନାହାନ୍ତି। ଅତିଥି ଅଧ୍ୟାପକରେ ପାଠପଢ଼ା ଚାଲିଛି। ପ୍ରାକ୍ଟିକାଲ କଥା ନକହିବା ଭଲ। ୨୦୧୯ରୁ ଆଜି ପର୍ଯ୍ୟନ୍ତ କାଁ ଭାଁ ପ୍ରାକ୍ଟିକାଲ କ୍ଲାସ ହୋଇଛି। ପରୀକ୍ଷା ବି ଠିକ୍‌ ସମୟରେ ହେଉନାହିଁ। ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି।

ଅତିଥି ଅଧ୍ୟାପକରେ ପାଠପଢ଼ା, କ୍ଲାସ ହେଉନି
ଟ୍ରଷ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ: କୁଳପତି

ଉକ୍ତ ବିଭାଗର ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ପୂର୍ବାହ୍ନରେ ବିଶ୍ବବିଦ୍ୟାଳୟ ଭୁବନେଶ୍ବର କ୍ୟାମ୍ପସକୁ ଆସି ହୋହାଲ୍ଲା କରିଥିଲେ। କୁଳପତିଙ୍କ ସହ ଦେଖା କରି ସମସ୍ୟା ସମ୍ପର୍କରେ ଜଣାଇବାକୁ ଚାହିଥିଲେ। ମାତ୍ର ସୁରକ୍ଷା କର୍ମୀମାନେ ଗେଟ୍‌ରେ ତାଲା ପକାଇ ଦେଇଥିଲେ।

ଭେଟିବାକୁ ଛାଡ଼ି ନଥିଲେ। ଯାହାକୁ ନେଇ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ଗେଟ ତାଲା ଭାଙ୍ଗି ଦେଇଥିଲେ। ସ୍ଥିତି ଅଣାୟତ ହେବାରୁ ଦ୍ବିତୀୟ କ୍ୟାମ୍ପସର ଓଏସ୍‌ଡି କବୀର ମୋହନ ସେଠୀ ଘଟଣାସ୍ଥଳରେ ପହଞ୍ଚି ପିଲାଙ୍କୁ ବୁଝାସୁଝା କରିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ ଦ୍ବିତୀୟ କ୍ୟାମ୍ପସରେ ଥିବା ନର୍ସିଂ କୋର୍ସ ଦାୟିତ୍ବ ଟ୍ରଷ୍ଟ ହାତରେ ରହିଛି। ପୂର୍ବରୁ ଉକ୍ତ ସଂସ୍ଥା ନାଁରେ ବାରମ୍ବାର ଅଭିଯୋଗ ଆସିଥିଲା। ତାହା ଉପରେ ବିଚାରବିମର୍ଶ ଚାଲିଛି। ମଙ୍ଗଳବାର ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ଟ୍ରଷ୍ଟ ବିରୋଧ‌‌ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe