ପ୍ଲଟ୍‌ ବ୍ୟବସାୟୀଙ୍କୁ ଅପହରଣ ଘଟଣା: ଜଣକୁ ଉଠାଇଲା କମିସନରେଟ୍‌ ପୁଲିସ

ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

ଭୁବନେଶ୍ବର/ବ୍ରହ୍ମପୁର : ସିଆର୍‌ପି ଛକରୁ ପ୍ଲଟ୍‌ ବ୍ୟବସାୟୀ ରାହୁଲ୍‌ ଅପହରଣ ମାମଲାରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଉଠାଇଛି। ଗଞ୍ଜାମ ଚମାଖଣ୍ଡି ଥାନା ପୁଲିସ ସହାୟତାରେ ନୂଆପଲ୍ଲୀ ଥାନା ପୁଲିସ ଜଣକୁ ଧରି ଭୁବନେଶ୍ବରକୁ ଆଣିଛି। ତାକୁ ଅଧିକ ଜେରା କରାଯାଉଛି ଓ ଖୁବ୍‌ ଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି। ପ୍ରାଥମିକ ତଦନ୍ତରୁ ଜମି ବେପାରକୁ ନେଇ ରାହୁଲଙ୍କୁ ଅପହରଣ କରି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ରାହୁଲ ଦୀର୍ଘବର୍ଷ ହେଲା ଭୁବନେଶ୍ବରେ ରହୁଛନ୍ତି। ସେ ଏକ କମ୍ପାନିରେ କାମ କରୁଥିବା ବେଳେ ପ୍ଲଟ ବ୍ୟବସାୟ ମଧ୍ୟ କରନ୍ତି। କମ୍ପାନି କାମରେ ସେ କୋଲକାତା ଯାଇଥିଲେ। ଗତ ୨୯ତାରିଖ ରବିବାର ସେଠାରୁ ଟ୍ରେନ୍‌ରେ ଫେରି ତାଙ୍କ ବାଇକ୍‌ରେ ଘରକୁ ଯାଉଥିଲେ। ସିଆର୍‌ପି ଛକ ନିକଟରୁ ଏକ କାର୍‌ରେ ତାଙ୍କୁ କିଛି ଯୁବକ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ଦୁର୍ବୃତ୍ତମାନେ ନାନା ଧମକଚମକ ଦେଇ ତାଙ୍କ ଗୋଡ଼ରେ ଖଣ୍ଡା ଚୋଟ ପକାଇଥିଲେ। ପରେ ତାଙ୍କୁ ବ୍ରହ୍ମପୁର ଆଣି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରି ଚମ୍ପଟ ମାରିଥିଲେ। ଛାତରୁ ପଡ଼ି ଗୁରୁତର ହୋଇଥିବା କହି ଦୁର୍ବୃତ୍ତମାନେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ଘଟଣା ଜଣାପଡ଼ିବା ପରେ ମେଡିକାଲ୍‌ ଫାଣ୍ଡି ପୁଲିସ ଏମ୍‌କେସିଜି ମେଡିକାଲର ଅସ୍ଥିଶଲ୍ୟ ବିଭାଗରେ ପହଞ୍ଚି ରାହୁଲଙ୍କ ବୟାନ‌ ରେକର୍ଡ଼ କରିଥି‌ଲା। ଘଟଣାଟି ଭୁବନେଶ୍ବର ନୟାପଲ୍ଲୀ ଥାନା ଇଲାକାରେ ଘଟିଥିବାରୁ ବ୍ରହ୍ମପୁର ପୁଲିସ କମିସନରେଟ୍‌ ପୁଲିସକୁ ଖବର କରିଥିଲା। ୨୦୧୩ରେ ଏକ ଜମିକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ରାହୁଲଙ୍କୁ ଅପହରଣ କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି। ଗଞ୍ଜାମର କିଛି ଯୁବକ ତାଙ୍କୁ ଅପହରଣ କରିଥିବା ପୁଲିସ ଜାଣିବାକୁ ପାଇଛି। ଭୁବନେଶ୍ବର ପୁଲିସ ବ୍ରହ୍ମପୁର ଓ ଗଞ୍ଜାମ ପୁଲିସ ସହାୟତାରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe