ଭୁବନେଶ୍ବର: ଜମି ଦେବା ନାଁରେ ଠକେଇ ଅଭିଯୋଗରେ ଏସ୍ଏସ୍ବି ବାଟାଲିୟନ ଯବାନ ତଥା କଟକ ଜିଲ୍ଲା ୪୨ ମୌଜା ଅଞ୍ଚଳର ସଚିତ୍ର ସେନାପତି ଓରଫ ମିଟୁ(୪୨) କୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ତା’ଠାରୁ ୧୦ଲକ୍ଷ ଟଙ୍କାର ୨ଟି ଚେକ୍ ଜବତ କରିଛି।
ସୂଚନା ମୁତାବକ, ଗତ ୨୦୨୨ ମସିହାରେ ସଚିତ୍ର ଅବସରପ୍ରାପ୍ତ କନେଷ୍ଟବଳ ସୁରଥ ଚନ୍ଦ୍ର ବାହୁବଳେନ୍ଦ୍ରଙ୍କୁ ତ୍ରିଶୁଳିଆ ଅଞ୍ଚଳରେ ଶସ୍ତାରେ ଜମି ଦେବ ବୋଲି କହିଥିଲା। ଉଭୟ ପୁଲିସ କର୍ମଚାରୀ ହୋଇଥିବାରୁ ସୁରଥ ବିଶ୍ବାସ କରି ୨୦ଲକ୍ଷ ଟଙ୍କା ଦେଇଥିଲେ। ଜମି ଦେବାର ବିଳମ୍ବ ହେବାରୁ ସୁରଥ ଟଙ୍କା ଫେରସ୍ତ ପାଇଁ କହିଥିଲେ। ହେଲେ ସେ ଜମି କିମ୍ବା ଟଙ୍କା ଦେଇ ନଥିଲା। ଠକାମିର ଶିକାର ହୋଇଥିବା ଜାଣିବା ପରେ ସୁରଥ ବେଣ୍ଟକାର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ହସ୍ତକ୍ଷେପ ପରେ ସଚିତ୍ର ଟଙ୍କା ଫେରସ୍ତ ପାଇଁ ଏକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏନେଇ ବେଣ୍ଟକାର ଥାନାରେ ତିନିଟି ଷ୍ଟେସନ ଡାଏରି ଏଣ୍ଟ୍ରି କରାଯାଇଥିଲା। ଟଙ୍କା ଫେରସ୍ତ କରିବା ପାଇଁ ଅଭିଯୁକ୍ତ ପ୍ରତ୍ୟେକ ୧୦ ଲକ୍ଷ ଟଙ୍କାର ଦୁଇଟି ଏସ୍ବିଆଇ ଚେକ୍ ମଧ୍ୟ ହସ୍ତାନ୍ତର କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଅଭିଯୋଗକାରୀ ଜାଣିପାରିଥିଲେ ଯେ ସେହି ଆକାଉଣ୍ଟଗୁଡ଼ିକରେ ପର୍ଯ୍ୟାପ୍ତ ବାଲାନ୍ସ ନଥିଲା। ଏନେଇ ସଚିତ୍ର ସହିଦନଗର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ସଚିତ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ସେ ସମାନ ଉପାୟରେ ଅନ୍ୟମାନଙ୍କଠାରୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ପୁଲିସ ସନ୍ଦେହ କରିଛି। ଏନେଇ ପୁଲିସ ଅଧିକ ତଦନ୍ତ କରୁଛି। କାରଣ ପୂର୍ବରୁ ତା ନାଁରେ ଏଭଳି ଅଭିଯୋଗ ଯୋଗୁଁତାଙ୍କୁ ଗତ ୨୦୨୪ ମସିହାରେ ନିଲମ୍ବନ କରାଯାଇଥିଲା। ନିଲମ୍ବନ ପ୍ରତ୍ୟାହାର ପରେ ତାଙ୍କୁ କୋରାପୁଟକୁ ବଦଳି କରାଯାଇଥିଲା। ହେଲେ ଗତ ୨ ବର୍ଷଧରି ସେ ଅନାଧିକୃତ ଭାବେ ଚାକିରିରୁ ଅନୁପସ୍ଥିତ ରହିଥିବାରୁ ପୁଲିସ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି।
Follow Us