ମଦ କାରବାରକୁ ପ୍ରଶ୍ରୟ ପାଇଁ ଲାଞ୍ଚ ଭିଜିଲାନ୍‌ସ ପଞ୍ଝାରେ ପୁଲିସ ଏଏସ୍‌ଆଇ

Advertisment
ମଦ କାରବାରକୁ ପ୍ରଶ୍ରୟ ପାଇଁ ଲାଞ୍ଚ ଭିଜିଲାନ୍‌ସ ପଞ୍ଝାରେ ପୁଲିସ ଏଏସ୍‌ଆଇ

ଭୁବନେଶ୍ବର : ଚୋରା ମଦ କାରବାରକୁ ପ୍ରଶ୍ରୟ ଦେବା ପାଇଁ ଲାଞ୍ଚ ନେବା ଜଣେ ପୁଲିସ ଏଏସ୍‌ଆଇଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍‌ସ ଟିମ୍‌ ଅଭିଯୁକ୍ତ ଏଏସ୍‌ଆଇଙ୍କୁ ରେଡ୍‌ ହ୍ୟାଣ୍ଡେଡ୍‌ ଗିରଫ କରିଛି। ଘଟଣାଟି ଆଜି ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୁକ୍ତ ହେଲେ ମଞ୍ଚେଶ୍ବର ଥାନାର ଏଏସ୍‌ଆଇ ରବିନାରାୟଣ ସାହୁ। ଭିଜିଲାନ୍‌ସ ଟିମ୍‌ ଅଭିଯୁକ୍ତ ସାହୁଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି।

ସୂଚନାନୁସାରେ ଦୁଇ ଦିନ ତଳେ ମଞ୍ଚେଶ୍ବର ଥାନା ପୁଲିସ ପାଣ୍ଡରାସ୍ଥିତ ଏକ ଢାବାରେ ଚଢ଼ଉ କରିଥିଲା। ଢାବା ନିକଟ ପାନଦୋକାନରୁ ଚୋରା ମଦ ଜବତ କରିଥିଲା ଓ ସମ୍ପୃକ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା। ଏହି ଘଟଣା ପରେ ଏଏସ୍‌ଆଇ ରବିନାରାୟଣ ଢାବା ମାଲିକଙ୍କୁ ଫୋନ୍‌ କରି ଧମକାଇଥିଲେ। ଢାବା ନିକଟରେ ଚାଲିଥିବା ଚୋରା ମଦ କାରବାର ତାଙ୍କ ଇଙ୍ଗିତରେ ଚାଲୁଛି ବୋଲି କହିଥିଲେ। ତେଣୁ ତାଙ୍କୁ ଗିରଫ କରିବେ ବୋଲି ଫୋନ୍‌ରେ ଧମକ ଦେଇଥିଲେ। ପୁଲିସ ଏଏସ୍‌ଆଇଙ୍କ ଏଭଳି ଧମକଚମକ ପାଇବା ପରେ ଢାବା ମାଲିକ ଭୟଭୀତ ହୋଇପଡ଼ିଥିଲେ ଓ ଥାନାକୁ ଯାଇ ରବିନାରାୟଣଙ୍କୁ ଭେଟିଥିଲେ। ଟଙ୍କା ଦେଲେ ସବୁ ସମାଧାନ ହୋଇଯିବ ବୋଲି ରବିନାରାୟଣ କହିଥିଲେ। ଏଥିପାଇଁ ୫ ହଜାର ଟଙ୍କା ଦାବି କରିଥିଲେ। ଢାବା ମାଲିକ ଘଟଣା ବିଷୟରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଯୋଜନା ମୁତାବକ ଶୁକ୍ରବାର ଦିନ ଢାବା ମାଲିକ ୫ହଜାର ଟଙ୍କା ନେଇ ଯାଇଥିଲେ ଓ ଏଏସ୍‌ଆଇ ରବିନାରାୟଣଙ୍କୁ ଥାନା ବାହାରକୁ ଡାକିଥିଲେ। ଏଏସ୍‌ଆଇ ରବିନାରାୟଣ ଟଙ୍କା ପାଇଁ ଥାନା‌ ବାହାରକୁ ଆସିବା ସହ ଢାବା ମାଲିକଙ୍କଠାରୁ ଟଙ୍କା ନେଇଥିଲେ। ଠିକ୍‌ ଏତିକିବେଳେ ସେଠାରେ ପୂର୍ବରୁ ଛକି ବିସିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲା ଓ ନାଲି ରଙ୍ଗ ବୋଳା ଲାଞ୍ଚ ଟଙ୍କା ଜବତ କରିଥିଲା। ଏହା ପରେ ଭିଜିଲାନ୍ସ ଟିମ୍‌ ଆଚାର୍ଯ୍ୟବିହାରସ୍ଥିତ ରବିନାରାୟଣଙ୍କ ଘରେ ଚଢ଼ଉ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe