ଦୁଃଖ ବଢ଼ାଉଛି ବ୍ୟାରିକେଡ୍‌, ସମସ୍ୟାର ସମାଧାନ ନକରି ବ୍ୟାରିକେଡ୍‌ କରିଚାଲିଛି ପୁଲିସ୍

ଦୁଃଖ ବଢ଼ାଉଛି ବ୍ୟାରିକେଡ୍‌, ସମସ୍ୟାର ସମାଧାନ ନକରି ବ୍ୟାରିକେଡ୍‌ କରିଚାଲିଛି ପୁଲିସ୍

ଭୁବନେଶ୍ବର: ସଚିବାଳୟ ମାର୍ଗ ଏବଂ ଏହା ସଂଲଗ୍ନ ରାସ୍ତାଗୁଡ଼ିକ ଏବେ ବ୍ୟାରିକେଡ୍‌ରେ ଭର୍ତ୍ତି ହୋଇଗଲାଣି। ଯେଉଁଆଡ଼କୁ ଚାହିଁବ, ସେଠାରେ କାଠ ନହେଲେ ଲୁହା ବ୍ୟାରିକେଡ୍‌। ଏମିତିକି ଜଣେ ଯେଉଁ ରାସ୍ତା ଦେଇ ଆସିଥିବ, ୫ ମିନିଟ ପରେ ସେହି ରାସ୍ତା ଦେଇ ଫେରିବା ବେଳକୁ ରାସ୍ତା ବନ୍ଦ ହୋଇଯାଉଛି। ଖାଲି ଏତିକି ନୁହେଁ, ଜନପଥ ଓ ସଚିବାଳୟ ମାର୍ଗର ବିଭିନ୍ନ ସ୍ଥାନରେ ରାସ୍ତା ଖୋଳି ବ୍ୟାରିକେଡ୍‌ ପୋତା ହୋଇଥିବାରୁ ଅଧା ରାସ୍ତା ବନ୍ଦ ହୋଇଯାଇଛି। ଏସବୁ ହୋଇଛି କେବଳ ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ। ପୁଲିସର ଗୁଇନ୍ଦା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉନି କି କିପରି ବିକ୍ଷୋଭକାରୀଙ୍କୁ ଅଟକାଯିବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉନି। ଜନତା ମଇଦାନକୁ ବିକ୍ଷୋଭସ୍ଥଳ ସ୍ଥାନାନ୍ତର ନକରି ରାଜ୍ୟ ସରକାର ରାଜଧାନୀବାସୀଙ୍କୁ ରାଜଧାନୀର କେନ୍ଦ୍ରସ୍ଥଳୀ ଉପରେ ଯମ ଯନ୍ତ୍ରଣା ଦେଉଛନ୍ତି। ଏପରିକି ବିଧାନସଭା ଅଧିବେଶନ ଚାଲିବା ସମୟରେ ହେଉ କି କୌଣସି ପ୍ରକାରର ବିକ୍ଷୋଭ ଓ ଶୋଭାଯାତ୍ରା ସମୟରେ ଜନପଥରେ ଚକାଜାମ୍ ପରିସ୍ଥିତି ଉପୁଜୁଛି। ଏହାର ପ୍ରଭାବ ପୂରା ରାଜଧାନୀ ଉପରେ ପଡ଼ୁଛି। କେତେବେଳେ ଲୋକ ମରୁଛନ୍ତି ତ କେତେବେଳେ କାହାର ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହୋଇପାରୁନି। କିନ୍ତୁ ରାଜ୍ୟ ସରକାର ପୂରା ନିରବଦ୍ରଷ୍ଟା ସାଜିଛନ୍ତି। କମିସନରେଟ୍ ପୁଲିସ ବି ଏହାର ସମାଧାନ ବାଟ ବାହାର କରିପାରୁନି।

ବିକ୍ଷୋଭକାରୀ ଯେପରି ସଚିବାଳୟ ମାର୍ଗକୁ ନ ଆସିବେ, ଯଦି ବି ଆସିଯିବେ ସଚିବାଳୟରେ ଯେମିତି ନ ପହଞ୍ଚି ପାରିବେ, ସେଥିପାଇଁ କମିସନ‌ରେଟ୍‌ ପୁଲିସ ସଚିବାଳୟ ମାର୍ଗକୁ ସଂଯୋଗ କରୁଥିବା ରବୀନ୍ଦ୍ର ମଣ୍ଡପ ସମ୍ମୁଖସ୍ଥ ସରକାରୀ ରାଜକୋଷ-ପିଏମ୍‌ଜି ରାସ୍ତାକୁ ପୂରା ବନ୍ଦ କରିଦେଇଛି। ଆଇଜି ପାର୍କ ଓ ଜୟଦେବ ଭବନ ମଝିରେ ସଚିବାଳୟ ମାର୍ଗକୁ ସଂଯୋଗ କରୁଥିବା ରାସ୍ତା ଏବେ ଦିନତମାମ୍‌ ବନ୍ଦ ରହୁଛି। ସେହିପରି କେଶରୀ ହଲ୍‌ ନିକଟରେ ବ୍ୟାରିକେଡ୍ ଲଗାଇ ଅଧା ରାସ୍ତାକୁ ବନ୍ଦ କରି ରଖାଯାଇଛି। ଏପରିକି ଅଧିକାଂଶ ସମୟରେ ଏହାକୁ ବି ବନ୍ଦ କରାଯାଉଛି। ମାଷ୍ଟରକ୍ୟାଣ୍ଟିନ୍ ଓ ଶିଶୁଭବନ ଛକରେ ବି ଏବେ ବ୍ୟାରିକେଡ୍ ଲୋକଙ୍କ ଯାତାୟାତରେ ବାଧକ ସାଜିଲାଣି। ଏହି ବ୍ୟାରିକେଡ୍‌ ଏବେ ରାଜଧାନୀର ସୌନ୍ଦର୍ଯ୍ୟକରଣ ଏବଂ ଲୋକଙ୍କୁ ମିଳୁଥିବା ମୌଳିକ ସୁବିଧା ସୁଯୋଗରେ ବାଧକ ସାଜିଲାଣି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ରାସ୍ତାରେ ସ୍ବତନ୍ତ୍ର ସାଇକେଲ୍‌ ଟ୍ରାକ୍ ନିର୍ମାଣ ହୋଇଥିଲେ ହେଁ ଏଥିରେ ବ୍ୟାରିକେଡ୍‌ ବାଧକ ସାଜୁଛି। କେତେକ ସ୍ଥାନରେ ଏହା ଫୁଟପାଥ୍‌କୁ ବନ୍ଦ କରି ନିର୍ମାଣ କରାଯାଇଥିବା ବେଳେ ସମସ୍ତ ସ୍ଥାନରେ ଏହାକୁ ରାସ୍ତାର ଉଭୟ ପାର୍ଶ୍ବରୁ ୩ରୁ ୫ଫୁଟ ପର୍ଯ୍ୟନ୍ତ ସ୍ଥାନକୁ ମଡ଼ାଇ ନିର୍ମାଣ ହୋଇଛି। ଏହା ଏବେ ଲୋକଙ୍କ ପାଇଁ ମରଣଯନ୍ତା ସାଜିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe