କମିସନରେଟ୍‌ ପୁଲିସର ନୂଆ ନିୟମ : ସ୍କୁଲ ପିଲାଙ୍କ ବାଇକ୍‌ ଚାଳନା ଉପରେ ଲାଗିବ କଟକଣା

Advertisment

ଜବତ ହେବ ବାଇକ୍‌, ଅଭିଭାବକ ଗଣିବେ ଜରିମାନା

ଜବତ ହେବ ବାଇକ୍‌, ଅଭିଭାବକ ଗଣିବେ ଜରିମାନା

କମିସନରେଟ୍‌ ପୁଲିସର ନୂଆ ନିୟମ : ସ୍କୁଲ ପିଲାଙ୍କ ବାଇକ୍‌ ଚାଳନା ଉପରେ ଲାଗିବ କଟକଣା

ଯାଞ୍ଚ ପାଇଁ ସ୍କୁଲ ଆଗରେ ପଇଁତରା ମାରିବ ସ୍ୱତନ୍ତ୍ର ସ୍କ୍ଵାଡ୍‌

ଭୁବନେଶ୍ୱର :  ଏଣିକି ସ୍କୁଲ ଛାତ୍ରଛାତ୍ରୀ ବାଇକ୍‌ ଚଳାଉଥିବାବେଳେ  ପୁଲିସ ହାବୁଡରେ ପଡ଼ି଼ିଲେ  ଜରିମାନା ଆଦାୟ କରାଯିବ ନାହିଁ ବରଂ ବାଇକ୍‌ ଜବତ ହେବ। ଜବତ ବାଇକ୍‌ ଥାନାରୁ ନେବାକୁ ହେଲେ ସେମାନଙ୍କ ଅଭିଭାବକମାନଙ୍କୁ ଥାନାକୁ ଆସିବାକୁ ପଡ଼ିବ। ଥାନାରେ ଏକ ରାଜିନାମା କପିରେ କେତେକ ସର୍ତରେ ରାଜି ହୋଇ ଦସ୍ତଖତ କରିବେ। ଏହା ବ୍ୟତୀତ ୫ଶହ ଟଙ୍କା ଜରିମାନା ଗଣିଲା ପରେ ବାଇକ୍‌ ନେଇ ପାରିବେ। ତାହା ପୁଣି ସପ୍ତାହକ ମଧ୍ୟରେ। ନ ହେଲେ ବାଇକ୍‌ ମାଲିକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ଜବତ ବାଇକ୍‌କୁ କୋର୍ଟ ଚାଲାଣ କରିବ। ସ୍କୁଲ ପିଲାମାନଙ୍କ ବାଇକ ଚାଳନା ଉପରେ ଏମିତି କଟକଣା ଲଗାଇଛି  କମିସନରେଟ୍‌ ପୁଲିସ।

ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କ ସୂଚନା ମୁତାବକ, ନିୟମ ଅନୁଯାୟୀ ୧୮ ବର୍ଷ ହେବା ପରେ ଜଣେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବେ। କିନ୍ତୁ ଏବେ ଦେଖା ଯାଉଛି ଅଧିକାଂଶ ୧୩ରୁ ୧୫ ବର୍ଷର୍ର ପିଲାମାନେ ସ୍ପିଡ୍‌ ବାଇକ୍‌ ଧରି ଦ୍ରୁତ ବେଗରେ ଗାଡ଼ି ଚଳାଉଛନ୍ତି। ଏ ନେଇ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିବା ସହିତ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି।  ଏପରିକି ସେମାନେ ବାଇକ୍‌ ଚାଳନା ଠିକ୍‌ ଭାବେ ଜାଣି ନ ଥିବା ସହିତ ଟ୍ରାଫିକ ସିଗନାଲ ମଧ୍ୟ ମାନୁ ନାହାନ୍ତି। ଏ ନେଇ କମିସନରେଟ୍‌ ପୁଲିସ ନିକଟକୁ ଏକାଧିକ ଅଭିଯୋଗମାନ ଆସିବାରେ ଲାଗିଛି। ଅନ୍ୟପକ୍ଷରେ ସ୍କୁଲ ପିଲାମାନେ ବାଇକ୍‌ ଚଳାଉଥିବାବେଳେ ଧରା ପଡ଼ିଲେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଥିଲେ ମଧ୍ୟ ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ତେଣୁ ସ୍କୁଲ ପିଲାଙ୍କ ବାଇକ ଚାଳନା ଉପରେ ରୋକ୍‌ ଲଗାଇବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏଥିପାଇଁ ଏକ  ଟ୍ରାଫିକ୍‌ ପୁଲିସ ପକ୍ଷରୁ ମୋବାଇଲ୍‌ ସ୍କ୍ଵାଡ୍‌ ଗଠନ କରାଯାଇଛି। ଏହି ସ୍କ୍ଵାଡ୍‌ ବିଭିନ୍ନ ସ୍କୁଲ ନିକଟକୁ ଯାଇ ପଇଁତରା ମାରିବ। ବିଶେଷକରି ଇଂରାଜି ମାଧ୍ୟମ ସ୍କୁଲ ପିଲାମାନେ ବାଇକ ଚଳାଉଥିବାରୁ ରାଜଧାନୀର କେତେକ ପ୍ରମୁଖ ଇଂରାଜି ମାଧ୍ୟମ ବିଦ୍ୟାଳୟ ଏବେ କମିସନରେଟ୍‌ ପୁଲିସର ଟାର୍ଗେଟରେ। କେବଳ ଯେ ସ୍କୁଲ ପିଲାମାନଙ୍କ ଉପରେ କଟକଣା ଲାଗିବ ତାହା ନୁହେଁ। ଏ ନେଇ ସ୍କୁଲ କର୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇ କମିସନରେଟ୍‌ ପୁଲିସ ପକ୍ଷରୁ ବିଭିନ୍ନ ସ୍କୁଲରେ ସଚେତନତା କାର୍ଯର୍୍ୟକ୍ରମ କରାଯିବ। ଯେଉଁଥିରେ ଅଭିଭାବକ ଓ ପିଲାମାନଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ଅବଗତ କରାଯିବ ବୋଲି କମିସନର ଖୁରାନିଆ କହିଛନ୍ତି।

ଅନ୍ୟ ଜଣେ ବରିଷ୍ଠ ଟ୍ରାଫିକ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ସ୍କୁଲ ପିଲାଙ୍କ ବାଇକ ଚାଳନା ପାଇଁ ଅଭିଭାବକମାନେ ହିଁ ପ୍ରଥମେ ଦାୟୀ। କାରଣ ପିଲାମାନେ ଘରୁ ବାଇକ୍‌ ନେଇ ସ୍କୁଲ ଆସିବାବେଳେ ଅଭିଭାବକମାନେ ବାରଣ କରୁନାହାନ୍ତି କାହିଁକି ?

ଏଠାରେ ପ୍ରକାଶଥାଉକି, ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ରାଜଧାନୀରେ ୧୭୩୨ ଜଣ ବାଇକ୍‌ ଚାଲକ ଡ୍ରାଇଭିଂ ଲାଇସେନ୍ସ ନ ଥାଇ ଯାଂଚବେଳେ ଧରା ପଡ଼ିଛନ୍ତି। ସେଥି ମଧ୍ୟରୁ  ୫୪୧ ଜଣ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଅଛନ୍ତି। ସେମାନଙ୍କ ନିକଟରୁ  ଅଳ୍ପ ଜରିମାନା ଆଦାୟ କରି ଛଡ଼ା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe