ପୁଲିସ ଡିଜି ପଦକ ପ୍ରଦାନ ଉତ୍ସବ: ପ୍ରାଣ ହରାଇଥିବା ୧୫ କୋଭିଡ୍ ଯୋଦ୍ଧାଙ୍କ ପରିବାର ସମ୍ମାନିତ

୨ ସହିଦ ଏସ୍ଓଜି ଯବାନଙ୍କ ପରିବାରକୁ ପଦକ, ୨ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ସମେତ ୬୬ ଜଣ ପାଇଲେ ପଦକ

ପୁଲିସ ଡିଜି ପଦକ ପ୍ରଦାନ ଉତ୍ସବ: ପ୍ରାଣ ହରାଇଥିବା ୧୫ କୋଭିଡ୍ ଯୋଦ୍ଧାଙ୍କ ପରିବାର ସମ୍ମାନିତ

ଭୁବନେଶ୍ବର: କରୋନା ଯୁଦ୍ଧରେ ପ୍ରାଣ ହରାଇଥିବା କୋଭିଡ୍ ଯୋଦ୍ଧାଙ୍କ ପରିବାର, ମାଓବାଦୀଙ୍କ ସହ ମୁକାବିଲା ସମୟରେ ସହିଦ ହୋଇଥିବା ଦୁଇ ଏସ୍ଓଜି ଯବାନଙ୍କ ପରିବାର ଏବଂ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯାଇ ପୁଲିସ ଡିଜି ପଦକ (ଡିଜିପି ଡିସ୍କ) ପ୍ରଦାନ କରାଯାଇଛି। ସପ୍ତମ ବାଟାଲିଅନ୍ ପରିସରରେ ଥିବା ପୁଲିସ ଭବନରେ ଆଜି ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ପୁଲିସ ଡିଜି ଅଭୟ ଏହି ପଦକ ପ୍ରଦାନ କରିଛନ୍ତି।

ସେପ୍ଟେମ୍ବର ୯ ତାରିଖରେ କଳାହାଣ୍ଡି-କନ୍ଧମାଳ ସୀମାର ସିର୍‌କି ଜଙ୍ଗଲରେ ମାଓବାଦୀଙ୍କ ସହ ଏନ୍‌କାଉଣ୍ଟର ବେଳେ ଦୁଇ ଏସ୍ଓଜି ଯବାନ ସହିଦ ହୋଇଥିଲେ। ସହିଦ ଯବାନ ଦ୍ବୟ ଥିଲେ ମୟୂରଭଞ୍ଜର ସୁଧୀର କୁମାର ଟୁଡୁ ଓ ଅନୁଗୁଳର ଦେବାଶିଷ ସେଠୀ। ଆଜି ଉଭୟଙ୍କ ପରିବାରକୁ ପଦକ ପ୍ରଦାନ କରାଯିବା ସହ ସମ୍ମାନିତ କରାଯାଇଥିଲା। ସେହିପରି କୋଭିଡ୍ ଯୁଦ୍ଧରେ ପ୍ରାଣ ହରାଇଥିବା ପୁଲିସ କର୍ମଚାରୀଙ୍କ ମଧ୍ୟରୁ ୧୫ ଜଣଙ୍କ ପରିବାର ଲୋକଙ୍କୁ ପଦକ ପ୍ରଦାନ କରାଯାଇଥିଲା। ଉଲ୍ଲେଖନୀୟ ସେବା ପାଇଁ ଭିଜିଲାନ୍ସ ଆଇଜି ଘନଶ୍ୟାମ ଉପାଧ୍ୟାୟ, ଆଇଜି(ପ୍ରୋଭିଜନିଂ) ଯତୀନ୍ଦ୍ର କୋୟଲ, ଗୁଇନ୍ଦା ଏସ୍‌ପି ଅଶୋକ କୁମାର ସାହୁ, ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକଙ୍କ ସମେତ ୧୨ ଡିଏସ୍‌ପି, ୧୫ ଇନ୍ସପେକ୍ଟର, ୪ ଏସ୍ଆଇ, ଜଣେ ଏଏସ୍ଆଇ, ୮ ହାବିଲଦାର, ୧୭ ଏସ୍ଓଜି କମାଣ୍ଡୋ, ୬ କନେଷ୍ଟବଳ ଓ ଜଣେ ସିପାହୀଙ୍କୁ ଡିଜିପି ପଦକ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe