ଡ୍ରେନ୍‌ରୁ ମିଳିଲା ଖଣ୍ଡିଆ ଗୋଡ଼, ପୁଲିସର ଖୋଳତାଡ଼ ଆରମ୍ଭ

ଡିଏନଏ ପରୀକ୍ଷା ପାଇଁ ନମୂନା ଯିବ, ଥାନାରେ ଅପମୃତ୍ୟୁ ମାମଲା ରୁଜୁ

ଡ୍ରେନ୍‌ରୁ ମିଳିଲା ଖଣ୍ଡିଆ ଗୋଡ଼, ପୁଲିସର ଖୋଳତାଡ଼ ଆରମ୍ଭ

manoramaonline.com

ଖଣ୍ଡଗିରି: ଆଜି ଅପରାହ୍‌ଣରେ ଖଣ୍ଡଗିରି ଥାନା ପୁଲିସ ବରମୁଣ୍ଡା ଡ୍ରେନ୍‌ ଭିତରୁ ଏକ ଖଣ୍ଡିଆ ଗୋଡ଼ ଜବତ କରିଛି। ଗୋଡ଼ଟି କେଉଁ ପରିସ୍ଥିତିରେ ଡ୍ରେନ୍‌ ଭିତରକୁ ଆସିଲା, ଶରୀରର ଅନ୍ୟ ଅଂଶ କୁଆଡ଼େ ଗଲା? କାହାର ସେ ଗୋଡ଼, କେହି ସମ୍ପୃକ୍ତ ବ୍ୟକ୍ତିକୁ ହତ୍ୟା କରିବା ପରେ ଗୋଡ଼କୁ ଏଠାରେ ଫିଙ୍ଗି ଦେଇ ନାହିଁ ତ; ଏଭଳି ଅନେକ ଦିଗକୁ ନେଇ ପୁଲିସ ତନାଘନା ଆରମ୍ଭ କରିଛି। ପୁଲିସ ଗୋଡ଼କୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଜବତ ଏହି ଡାହାଣ ଗୋଡ଼ଟିର ଆଣ୍ଠୁ ପାଖରୁ ତଳକୁ ମାଂସ ଲାଗି ରହିଥିବା ବେଳେ ଜଙ୍ଘ ହାଡ଼ଟି ପୂରା ମୁକୁଳା ରହିଛି। ଡ୍ରେନ୍‌ର ଆଖପାଖରେ ବହୁ ଖୋଜାଖୋଜି ପରେ ବି ମୃତଦେହର ଅନ୍ୟ କୌଣସି ଅଂଶ ମିଳିନାହିଁ। ଏଥିପାଇଁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପରିଚୟ ପାଇବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ସେହି ଖଣ୍ଡିଆ ଗୋଡ଼କୁ ସଂରକ୍ଷିତ ରଖିବ। ଏହାଛଡ଼ା ଗୋଡ଼ରୁ ନଖ ଓ ହାଡ଼ ନମୁନା ଡିଏନଏ ପରୀକ୍ଷା ପାଇଁ ଫରେନସିକ ଲା‌ବରେଟୋରିକୁ ପଠାଇବାକୁ ଯୋଜନା କରିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଆଜି ଦିନ ପ୍ରାୟ ୩ଟା ବେଳେ ଏହି ବିଖଣ୍ଡିତ ଗୋଡ଼ଟି ଡ୍ରେନ୍‌ କଡ଼ ଘାସ ବୁଦାରେ ଲାଗିଥିବା ଦେଖି ଲୋକେ ଖଣ୍ଡଗିରି ଥାନାକୁ ଜଣାଇଥିଲେ। ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରୁ ତାହାକୁ ଜବତ କରିବା ସହ ଅନ୍ୟ ଅଂଶ ପାଇବା ଆଶଙ୍କାରେ ଆଖପାଖରେ ତନ୍ନତନ୍ନ କରି ଖୋଜିଥିଲା। ସନ୍ଧ୍ୟା ହୋଇଯିବାରୁ ଟର୍ଚ୍ଚ ଲାଇଟ୍ ପକାଇ ପୁଲିସ ଖୋଜିବାରେ ଲାଗିଥିଲା। ମାତ୍ର କିଛି ମିଳି ନଥିଲା। ଲୋକେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି କହୁଥିବା ବେଳେ ପୁଲିସ ପୂରା ମୃତଶରୀର ନ ପାଇବା ପର୍ଯ୍ୟନ୍ତ ଲୋକଙ୍କ କଥାକୁ ଗ୍ରହଣ କରିନାହିଁ। ତେଣୁ ଖଣ୍ଡଗିରି ଥାନା ପକ୍ଷରୁ କମିସନରେଟ୍‌ ପୁଲିସର ସମସ୍ତ ଥାନାକୁ ଏ ବାବଦରେ ଜଣାଇ ଦିଆଯାଇଛି ଓ ସବୁ ଥାନାରୁ ନିଖୋଜ ବ୍ୟକ୍ତି ମାମଲା ସଂଗ୍ରହ କରାଯାଉଛି। ସେଥିରୁ କିଛି ସୁରାକ୍ ମିଳିପାରେ ବୋଲି ପୁଲିସ ଆଶା ରଖିଛି। ସେହିଭଳି ଡ୍ରେନ୍‌ର ଉପର ମୁଣ୍ଡରେ ଥିବା ବିଭିନ୍ନ ବସ୍ତିରେ ଦୁଇ ଚାରି ଦିନ ଭିତରେ କେହି ମୃତ୍ୟୁବରଣ କରିଥିବା ଓ ଶବକୁ ପୋତା ଯାଇଥିବା ଅନୁମାନ କରି ପୁଲିସ ସେଠାରେ ପଚରାଉଚରା ଆରମ୍ଭ କରିଛି। ପୋତା ଯାଇଥିବା କୌଣସି ଶବରୁ କୁକୁର ବିଲୁଆ ଏହାକୁ ଛିଡ଼ାଇ ଆଣିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe