କଣ୍ଟ୍ରୋଲ୍‌ରୁମ୍‌ରୁ ବୁଥ୍‌ ଉପରେ ପୁଲିସ ନଜର: ନିୟନ୍ତ୍ରଣରେ ଥିଲା ୫୧ ମୋବାଇଲ୍‌ ପାର୍ଟି

Advertisment
କଣ୍ଟ୍ରୋଲ୍‌ରୁମ୍‌ରୁ ବୁଥ୍‌ ଉପରେ ପୁଲିସ ନଜର: ନିୟନ୍ତ୍ରଣରେ ଥିଲା ୫୧ ମୋବାଇଲ୍‌ ପାର୍ଟି

ଭୁବନେଶ୍ବର: କମିସନ‌ରେଟ୍‌ ପୁଲିସ ଅଧୀନ ୫ ନିର୍ବାଚନମଣ୍ଡଳୀରେ ହୋଇଥିବା ମତଦାନ ପ୍ରକ୍ରିୟାକୁ ଅବାଧ ଓ ନିରପେକ୍ଷ କରିବାକୁ ନୂତନ ଜ୍ଞାନକୌଶଳ ପ୍ରୟୋଗ କରାଯାଇଥିଲା। କମିସନରେଟ୍‌ ପୁଲିସ ପକ୍ଷରୁ ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ୍‌ ରୁମ୍‌ ବ୍ୟବସ୍ଥା କରାଯାଇଥିଲା। ଗୋଟିଏ ଛାତ ତଳୁ ସମଗ୍ର ୫ ନିର୍ବାଚନମଣ୍ଡଳୀର ୧୧୩୨ ବୁଥ୍‌ ଉପରେ ପୁଲିସ ନଜର ରଖିପାରିଥିଲା। ସେହିଭଳି ନିର୍ବାଚନ ପାଇଁ ନିୟୋଜିତ ସ୍ବତନ୍ତ୍ର ୫୧ ମୋବାଇଲ୍‌ ପାର୍ଟି ଉପରେ ମଧ୍ୟ ନିୟମିତ ବ୍ୟବଧାନରେ ଯୋଗାଯୋଗ କରାଯାଉଥିଲା। ତେଣୁ କୌଣସି ସ୍ଥାନରେ ବ୍ୟତିକ୍ରମ ଦେଖାଗଲା ମାତ୍ରେ କଣ୍ଟ୍ରୋଲ୍‌ ରୁମ୍‌ ନିର୍ଦ୍ଦେଶ ପାଇ ପୁଲିସ ଟିମ୍‌ ସେଠାରେ ପହଞ୍ଚି ପାରୁଥିଲା। ମୋବାଇଲ୍‌ ଆପ୍ଲିକେସନ୍‌ ବ୍ୟବହାର ବଳରେ ଶାନ୍ତିପୂର୍ଣ୍ଣ ମତଦାନ ପ୍ରକ୍ରିୟା ଏହି କଣ୍ଟ୍ରୋଲ୍‌ରୁମ୍‌ରୁ ନିୟନ୍ତ୍ରିତ ହୋଇପାରିଥିଲା।

ସୂଚନାଯୋଗ୍ୟ ଯେ ଏହି ସିଷ୍ଟମ୍‌ ଜୟଦେବ, ଜଟଣୀ, ଏକାମ୍ର, ମଧ୍ୟ ଭୁବନେଶ୍ବର ଓ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ପାଇଁ କାମ କରୁଥିଲା। ଏହି ୫ ନିର୍ବାଚନମଣ୍ଡଳୀର ୧୧୩୨ ବୁଥ୍‌ରେ ନିୟୋଜିତ କମିସନରେଟ୍‌ ପୁଲିସ କର୍ମଚାରୀମାନଙ୍କ ମୋବାଇଲ୍‌ ଫୋନ୍‌ରେ ଏକ ସ୍ବତନ୍ତ୍ର ଆପ୍‌ ଅପ୍‌ଲୋଡ୍‌ କରାଯାଇଥିଲା। ଏହି ଆପ୍‌ ହେଲା ପୁଲିସ ପାଟ୍ରୋଲିଂ ଆଣ୍ଡ୍‌ ବୁଥ୍‌ ମନିଟରିଂ ସିଷ୍ଟମ୍‌। ବୁଥ୍‌ରେ କୌଣସି ବ୍ୟତିକ୍ରମ ଦେଖାଗଲା ବେଳେ ସେଠ‌ାରେ ନି‌ୟୋଜିତ ପୁଲିସ କର୍ମଚାରୀ ତୁରନ୍ତ ମୋବାଇଲ୍‌ ଯୋଗେ କଣ୍ଟ୍ରୋଲ୍‌ରୁମ୍‌କୁ ଯୋଗା‌ଯୋଗ କରୁଥିଲେ। ସେହିଭଳି ଏହି ଆପ୍‌ ମୋବାଇଲ୍‌ ପାର୍ଟି କର୍ମଚାରୀଙ୍କ ମୋବାଇଲ୍‌ ଫୋନ୍‌ରେ ଅପ୍‌ଲୋଡ୍‌ କରାଯାଇଥିଲା। କଣ୍ଟ୍ରୋଲ୍‌ରୁମ୍‌ର କର୍ମଚାରୀମାନେ ସମସ୍ୟା ଜାଣିବା ମାତ୍ରେ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ପାରୁଥିଲେ। ଆଜି ଲକ୍ଷ୍ମୀସାଗର ଓ ମଞ୍ଚେଶ୍ବର ଅଞ୍ଚଳରେ କିଛି ବୁଥ୍‌ରେ ଇଭିଏମ୍‌ କାମ ନ କରିବାରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା। ତେଣୁ ଲମ୍ବା ଧାଡ଼ିରେ ଥିବା ମତଦାତାଙ୍କ ଭିତରେ ଅସନ୍ତୋଷ ଦେଖାଯାଇଥିଲା। କିନ୍ତୁ ଏହି ଖବର ତୁରନ୍ତ କଣ୍ଟ୍ରୋଲ୍‌ରୁମ୍‌ରେ ପହଞ୍ଚିଥିଲା ଏବଂ ପୁଲିସର ମୋବାଇଲ୍‌ ଟିମ୍ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ସେହିଭଳି ଧଉଳିରେ ଏକ ବୁଥ୍‌ରେ ପାଚେରି ନଥିବାରୁ ଗଣ୍ଡଗୋଳିଆ ସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ କଣ୍ଟ୍ରୋଲ୍‌ରୁମ୍‌କୁ ଏହି ଖବର ଆସିବା ପରେ ପୁଲିସ ସେଠାରେ ଅସ୍ଥାୟୀ ପାଚେରି କରାଇଥିଲା। ଏମିତି ବହୁ ଛୋଟମୋଟ ଗଣ୍ଡଗୋଳିଆ ସ୍ଥିତି ନେଇ ଖବର ମିଳୁଥିଲା ଏବଂ କଣ୍ଟ୍ରୋଲ୍‌ରୁମ୍‌ରୁ ନିର୍ଦ୍ଦେଶ ପାଇ ମୋବାଇଲ୍‌ ଟିମ୍‌ ସେହି ସମସ୍ୟାର ସମାଧାନ କରିପାରୁଥିଲା। ସେହିଭଳି ଉତ୍ତେଜନାପ୍ରବଣ ୫୨୫ ବୁଥ୍‌ ଉପରେ ୱେବ୍‌ କାଷ୍ଟିଂ କରାଯାଇଥିଲା, ଅର୍ଥାତ୍ ବୁଥ୍‌ର ଟିକିନିଖି ଖବର ଭିଡିଓ ଜରିଆରେ କଣ୍ଟ୍ରୋଲ୍‌ରୁମ୍‌କୁ ଆସିପାରୁଥିଲା। ଏଥିସହିତ ମୋବାଇଲ୍‌ ପାର୍ଟିକୁ ମଧ୍ୟ ସବୁ ଖବର ଯାଇପାରୁଥିଲା। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe