ବିଗୁଡ଼ୁଛି ପୁଲିସ-ଜନତା ସମ୍ପର୍କ

ବିଗୁଡ଼ୁଛି ପୁଲିସ-ଜନତା ସମ୍ପର୍କ

ଭୁବନେଶ୍ବର: ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବାକୁ ପୁଲିସ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। କମିସନରେଟ୍‌ ପୁଲିସ ପକ୍ଷରୁ ବି ଏକାଧିକ ଯୋଜନା କାର୍ଯ୍ୟକାରୀ ହେଉଛି। ପୁଲିସ-ପବ୍ଲିକ୍‌ ଇଣ୍ଟରଫେସ୍‌ଠାରୁ ଆରମ୍ଭ କରି ପୁଲିସ ମିତ୍ର ନିଯୁକ୍ତି ଏବଂ ବସ୍ତିକୁ ଚାଲ ଭଳି ଅଭିଯାନ ଚାଲିଛି। ମାତ୍ର ସବୁ ସତ୍ତ୍ବେ ପୁଲିସ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇପାରୁନାହିଁ। କେତେକ ପୁଲିସ ଅଧିକାରୀମାନଙ୍କ ପାଇଁ ରାଜ୍ୟ ଗୃହ ବିଭାଗ ନିନ୍ଦିତ ହେଉଛି। ଦିନକୁ ଦିନ ପୁଲିସ-ଜନତା ସମ୍ପର୍କ ବିଗିଡ଼ିବାରେ ଲାଗିଛି। ରାଜ୍ୟ ମାନବାଧିକାର କମିସନ୍‌ (ଓଏଚ୍‌ଆର୍‌ସି)ରେ ପଡ଼ି ରହିଥିବା ମାମଲାରୁ ଏହା ସ୍ପଷ୍ଟ ହୋଇଛି। ଓଏଚ୍‌ଆର୍‌ସିରେ ସାରା ରାଜ୍ୟରୁ ପୁଲିସ ବିରୋଧରେ ୮ହଜାର ମାମଲା ରୁଜୁ ହୋଇଛି। ଏମିତିକି ୧୩ ହାଜତ ମୃତ୍ୟୁ ଓ ଏନ୍‌କାଉଣ୍ଟର ମାମଲାରେ ପୁଲିସ ୨୬ଲକ୍ଷରୁ ଊର୍ଧ୍ବ ଟଙ୍କା କ୍ଷତିପୂରଣ ବାବଦରେ ଗଣିସାରିଛି। ସେହିଭଳି ଅଭିଯୁକ୍ତଙ୍କୁ ଅମାନୁଷିକ ଭାବେ ଦଣ୍ଡଦେବା, ଅଭିଯୋଗକାରୀ ପରିବାରଲୋକଙ୍କୁ ମାନସିକ ଅତ୍ୟାଚାର ଦେବା ଭଳି ଘଟଣାରେ ୧୭ଶହ ମାମଲା ବିଚାରଧୀନ ଅଛି। ସେହିଭଳି ଗତ ୮ବର୍ଷରେ କମିସନରେଟ୍‌ ପୁଲିସର ବିଭିନ୍ନ ଅଧିକାରୀଙ୍କ ବିରୋଧରେ ୯୦ରୁ ଅଧିକ ଅଭିଯୋଗ ରହିଛି।

୮ ବର୍ଷରେ ୯୦ଅଫିସରଙ୍କ ବିରୋଧରେ ଅଭିଯୋଗ
ବିବାଦରେ ଛନ୍ଦି ହୋଇଛନ୍ତି ୭୩ ଇନ୍ସପେକ୍ଟର
ତଦନ୍ତ ଅପେକ୍ଷାରେ ୩୯ ମାମଲା

ଗତ କିଛି ଦିନ ତଳେ ବାଲିପାଟଣାରେ ଘଟିଥିବା ଏଭଳି ଏକ ମାମଲା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଆଇଆଇସି କୃପାସିନ୍ଧୁ ବରାଡ଼ ଓ ଏସ୍‌ଆଇ ରାକେଶ ସାମଲ୍ ଜଣେ ଦଳିତ ଅଭିଯୋଗକାରୀଙ୍କୁ ପିଟିପିଟି ଗୁରୁତର କରିବା ଘଟଣା ମାନବାଧିକାର କମିସନଙ୍କ ନିକଟକୁ ଆସିଛି। ବଡ଼ କଥା ହେଉଛି ଏହି ଘଟଣାରେ ଖୋଦ୍‌ ଡିସିପିଙ୍କ ହସ୍ତକ୍ଷେପ ପରେ ନିଜେ ଆଇଆଇସି ନିଜ ନାଁରେ ଥାନାରେ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ମାମଲାର ତଦନ୍ତଭାର ଜଣେ ଏସିପିଙ୍କୁ ନ୍ୟସ୍ତ କରାଯାଇଛି।

ସୂଚନାଯୋଗ୍ୟ, ୫-ଟି ଯୋଜନାରେ ସବୁ ଥାନାକୁ ସାମିଲ୍‌ କରାଯାଇଛି। ଅଭିଯୋଗକାରୀଙ୍କୁ କିଭଳି ବ୍ୟବହାର କରାଯିବ, ଏନେଇ ବରିଷ୍ଠ ଅଧିକାରୀମାନେ ଭଲ ଭାବେ ତଳିଆ ଅଫିସରଙ୍କୁ ବୁଝାଇଛନ୍ତି। ଅଭିଯୋଗକାରୀଙ୍କ ତଥ୍ୟକୁ ଭିତ୍ତି କରି ପୁଲିସ ସେମାନଙ୍କୁ ସମସ୍ତ ସହାୟତା ଯୋଗାଇଦେବ ବୋଲି ନିର୍ଦ୍ଦେଶ ରହିଛି। ପୁଲିସ ବରିଷ୍ଠ ନାଗରିକଙ୍କ ପ୍ରତି ଅଧିକ ଯତ୍ନବାନ ହେବ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବଡ଼ କଥା ହେଉଛି, ମୋ’ ସରକାରର ଏଭଳି ଅଭିନବ ଅଭିଯାନକୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଥାନା ସ୍ତରରୁ ଆରମ୍ଭ କରିଥିଲେ। ପୁଲିସ ଅଧିକ ସଚେତନ ତଥା ସତର୍କ ରହିବା ପାଇଁ ସବୁ ଥାନାରେ ବି ଏହାର ଫଳକ ଲାଗିଲା। କିନ୍ତୁ ବହୁ ପୁଲିସ ଅଧିକାରୀଙ୍କ ମନୋଭାବ‌ ବଦଳିନାହିଁ। ପୂର୍ବାପେକ୍ଷା ସାଧାରଣ ଲୋକେ ପୁଲିସ ଅଧିକାରୀଙ୍କ ବ୍ୟବହାରରେ ଅଧିକ ଅସନ୍ତୁଷ୍ଟ ହେଉଥିବା ଭଳି ନମୁନା ଦେଖିବାକୁ ମିଳୁଛି।

ବିଶେଷକରି, ରାଜଧାନୀରେ ଟିକିଏ ଟିକିଏ କଥାରେ ଟ୍ରାଫିକ୍‌-ପୁଲିସ ଜନତା ମଧ୍ୟରେ ହାତାହାତି ସ୍ଥିତି ଦେଖିବାକୁ ମିଳିଛି। ସେହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ପୁଲିସକୁ ଆକ୍ରମଣ କରିବା ଏବଂ ଥାନା ପୋଡ଼ିବା ଭଳି ଉଦାହରଣ ମଧ୍ୟ ଦେଖିବାକୁ ମିଳୁଛି। ଏହା ପଛରେ ରହିଛି ସାଧାରଣ ଲୋକଙ୍କ ପୁଲିସ ବିରୋଧରେ ଥିବା ଅସନ୍ତୋଷ। ଗତ ୮ ବର୍ଷ ମଧ୍ୟରେ କମିସନରେଟ୍‌ ପୁଲିସର କିଛି ଅଧିକାରୀଙ୍କ ବିରୋଧରେ ୯୦ରୁ ଅଧିକ ଅଭିଯୋଗ‌ ଆସିଛି। କିନ୍ତୁ ସେମାନଙ୍କ ବିରୋଧରେ କି’ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ଏଯାଏ କେହି ଜାଣିପାରୁନାହାନ୍ତି। ୭୩ଜଣ ଥାନା ଅଧିକାରୀଙ୍କ ବିରୋଧରେ ମାମଲା ଥିବା ବେଳେ ତଦନ୍ତ ନହୋଇ ୩୯ଟି ମାମଲା ପଡ଼ି ରହିଛି। ତେଣୁ ସାଧାରଣ ଲୋକେ ପୁଲିସଠାରୁ ନ୍ୟାୟ ପାଇବା ଆଶା ଛାଡ଼ି ଦେଇ ବେଳେବେଳେ ଆଇନକୁ ନିଜ ହାତକୁ ନେବାକୁ ବାଧ୍ୟ ହେଉଛନ୍ତି। ତେଣୁ ଏସବୁରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ବୁଦ୍ଧିଜୀବୀମହଲରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe