୨୨ ପ୍ଲାଟୁନ୍ ଫୋର୍ସ, ଶହେ ଅଫିସର, କୋଭିଡ୍ ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

Advertisment
୨୨ ପ୍ଲାଟୁନ୍ ଫୋର୍ସ, ଶହେ ଅଫିସର, କୋଭିଡ୍ ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଦୁର୍ଗାପୂଜା ପାଇଁ ସରକାରଙ୍କ ଗାଇଡ୍‌ଲାଇନ୍ ପରେ କଡ଼ା ଆଭିମୁଖ୍ୟ ନେଇଛି କମିସନରେଟ୍‌ ପୁଲିସ୍‌। ପୂଜା ମଣ୍ଡପରେ ଷଷ୍ଠୀ ପୂଜା ଆରମ୍ଭ ହୋଇଥିବା ବେଳେ ପୁଲିସ ପକ୍ଷରୁ ଯଥେଷ୍ଟ ପଦକ୍ଷେପ ନିଆଯାଇଛି। ରାଜଧାନୀରେ ୨୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ ଶହେ ଅଫିସର୍‌ ନିୟୋଜିତ ରହିଛନ୍ତି। ସ୍ବତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଛି। ସେହି ଟିମ୍‌ଗୁଡ଼ିକ ବିଭିନ୍ନ ପୂଜା ମଣ୍ଡପ ବୁଲି କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ, ତାହା ଅନୁଧ୍ୟାନ କରିବେ। କୋଭିଡ୍‌ ନିୟମ ଅନୁସାରେ ମଣ୍ଡପର ତିନିପଟ ନିବୁଜ ରହିବ। ସାମ୍ନା ପଟକୁ ଫ୍ଲେକ୍ସ ଦ୍ବାରା ବନ୍ଦ କରାଯିବ। ମଣ୍ଡପକୁ ଯିବା ଲାଗି ଏକ ଛୋଟ ରାସ୍ତା ରହିବ, ଯେଉଁ ବାଟ ଦେଇ ପୂଜକ ଓ ସ୍ବୀକୃତିପ୍ରାପ୍ତ କର୍ମକର୍ତ୍ତା ଯାଇପାରିବେ। ପୂଜକଙ୍କ ସମେତ ୭ଜଣଙ୍କୁ ପୂଜା ମଣ୍ଡପରେ ରହିବା ଲାଗି ଅନୁମତି ପ୍ରଦାନ କରାଯାଇଛି। ଦର୍ଶନକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି।

ଯେଉଁମାନେ ଏହି ନିୟମର ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ ମହାମାରୀ ଆଇନ ଓ ଆଇପିସିର ବିଭିନ୍ନ ଦଫାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ସେହିପରି ଭସାଣିରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଛୋଟଛୋଟ ଗାଡ଼ିରେ ମୂର୍ତ୍ତିକୁ ନିଆଯିବ। ଏଥିପାଇଁ ପୁଲିସ କର୍ଡନରେ ମୂର୍ତ୍ତିଗୁଡ଼ିକୁ ନିଆଯିବ। ଉଦ୍ଦିଷ୍ଟ ସ୍ଥାନରେ ମୂର୍ତ୍ତିକୁ ବିସର୍ଜନ କରାଯିବ ବୋଲି ସୂଚନା ମିଳିଛି। ରାଜଧାନୀର କୁଆଖାଇ, ଦୟାନଦୀ ସମେତ ୮ଟି ସ୍ଥାନରେ ମୂର୍ତ୍ତି ବିସର୍ଜନ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି। ସେହିପରି ଗାଡ଼ିମୋଟର ପରିଚାଳନା ପାଇଁ ୩ ପ୍ଲାଟୁନ୍ ଟ୍ରାଫିକ ପୁଲିସ ନିୟୋଜିତ ହୋଇଛନ୍ତି। ଟ୍ରାଫିକ୍‌ ଏସିପିଙ୍କ ତତ୍ତ୍ବାବଧାନରେ ଦୁଇ ସେକ୍ସନ୍ କୁଇକ୍ ରିଆକ୍ସନ୍‌ ଟିମ୍‌ ରହିବେ। ଯେଉଁଠି ଟ୍ରାଫିକ ସମସ୍ୟା ଉପୁଜିବ, ସେଠାରେ କୁଇକ୍ ରିଆକ୍ସନ ଟିମ୍ ତତ୍‌କ୍ଷଣାତ୍ ପହଞ୍ଚି ପରିସ୍ଥିତିକୁ ମୁକାବିଲା କରିବେ ବୋଲି ଟ୍ରାଫିକ୍‌ ଏସିପି ସ୍ବସ୍ତିକ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe