ଦରଦାମ ବୃଦ୍ଧି ନେଇ ରାଜନୈତିକ ଦଳ ମୁହାଁମୁହିଁ : ସରକାରଙ୍କୁ ସମାଲୋଚନା କଲେ ବିରୋଧୀ, ବିଜେଡି କହିଲା ଅନ୍ୟ ରାଜ୍ୟ ସ୍ଥିତି ଏଠି ନାହିଁ

Advertisment

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍‌ ହଟିବା ପିଆଜ ଦର ବୃଦ୍ଧିର ଏକ କାରଣ: ବ୍ୟବସାୟୀ ସଂଘ

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍‌ ହଟିବା ପିଆଜ ଦର ବୃଦ୍ଧିର ଏକ କାରଣ: ବ୍ୟବସାୟୀ ସଂଘ

ସରକାରଙ୍କୁ ପିଆଜ ଚିନ୍ତା: ୪୦% ରପ୍ତାନି ଶୁଳ୍କ ଲାଗିଲା

India TV

ଭୁବନେଶ୍ୱର : ଲଗାମଛଡ଼ା ହେଲାଣି ପିଆଜ ଦର। ପାର୍ବଣ ସମୟରେ ପିଆଜ କିଣିବା ପାଇଁ ଲୋକଙ୍କୁ ବାଧିଲାଣି। ସେହିପରି ତେଲ ଓ ଡାଲି ଦର ବି ବଢ଼ି ଚାଲିଛି। ଦରଦାମ ବୃଦ୍ଧି ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ଦରଦାମ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ରାଇସ୍‌ ଷ୍ଟାବିଲାଇଜେସନ୍‌ ପାଣ୍ଠିକୁ ରାଜ୍ୟ ସରକାର ଉପଯୋଗ କରିନାହାନ୍ତି ବୋଲି ବିଜେପି ସମାଲୋଚନା କରିଛି। କଂଗ୍ରେସ କହିଛି ଏ କେବଳ ଫମ୍ପା ପ୍ରତିଶ୍ରୁତି ଦେଇ ରାଜ୍ୟବାସୀଙ୍କୁ ସରକାର ଭଣ୍ଡାଇ ଚାଲିଛନ୍ତି। ବିରୋଧୀଙ୍କୁ ଜବାବ ଦେଇ ବିଜେଡି କହିଛି, ଦୁର୍ବିପାକ ଯୋଗୁ ପିଆଜ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଏହା କେବଳ ଓଡ଼ିଶାର ସମସ୍ୟା ନୁହେଁ ସବୁ ରାଜ୍ୟରେ ପିଆଜ ଦରକୁ ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି। ଅନ୍ୟପଟେ ରାଜ୍ୟ ବ୍ୟବସାୟୀ ସଂଘ କହିଛି, ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଯେଉଁ ମହତ୍‌ ଉଦ୍ଦେଶ୍ୟ ରଖି ଉଚ୍ଛେଦ କରାଗଲା ତାର ସୁଫଳ ମିଳିବା ପରିବର୍ତ୍ତେ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଦରଦାମ ବଢ଼ି ଚାଲିଛି।

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଅଭିଯୋଗ କରି କହିଛନ୍ତି, ଆଳୁ ଓ ପିଆଜ ପାଇଁ ସରକାରଙ୍କୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଦୀର୍ଘ ୨୦ ବର୍ଷ ବିଜେଡି ଶାସନ ସମୟରେ ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର କରାଯାଇପାରିନି। ଆଳୁ ମିସନ କଲେ, ତାହା ବି ଫେଲ୍‌ ମାରିଲା। ପଡ଼ୋଶୀ ପଶ୍ଚିମବଙ୍ଗର ଗୋଟିଏ ଜିଲ୍ଲାରେ ଯେତିକି ଭଣ୍ଡାର ଗୃହ ଓ ଶୀତଳ ଭଣ୍ଡାର ଅଛି ସେତିକି ସୁବିଧା ଓଡ଼ିଶାର ସମଗ୍ର ରାଜ୍ୟରେ ନାହିଁ। ଆଳୁ ଓ ପିଆଜ ଅମଳ ସମୟରେ ସେସବୁକୁ ପଡ଼ୋଶୀ ରାଜ୍ୟମାନେ ସାଇତି ରଖିପାରୁଛନ୍ତି। ଏ କଥା କ'ଣ ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ ଉପଲବ୍ଧି କରିନାହାନ୍ତି। ଦରଦାମ ବୃଦ୍ଧି ସମୟରେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ପ୍ରାଇସ୍‌ ଷ୍ଟାବିଲାଇଜେସନ୍‌ ପାଣ୍ଠି ବିନିଯୋଗ କରିବାକୁ ରାଜ୍ୟ ସରକାରଙ୍କ ବାରମ୍ବାର କୁହାଗଲେ ବି ତାର ବ୍ୟବହାର ହେଉନାହିଁ।

ସେହିପରି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଅଭିଯୋଗ କରି କହିଛନ୍ତି, ଏ ସରକାର କେବଳ ଫମ୍ପା ପ୍ରତିଶ୍ରୁତି ଦେବା ଜାଣନ୍ତି। ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଶୀତଳଭଣ୍ଡାରଗୁଡ଼ିକ ପରିଚାଳନା ଗତ ତ୍ରୁଟି ଯୋଗୁଁ ଏବେ ଋଗ୍‌ଣ ଓ ବନ୍ଦ ହୋଇ ପଡ଼ିଛି। ଆଳୁ ମିସନ ଯୋଜନା କରି ବହୁ ଘରୋଇ ଉଦ୍ୟମରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେଲା। କିନ୍ତୁ ସବ୍‌ସିଡି ଓ ବିଦ୍ୟୁତ ରିହାତି ଦେବାକୁ ପ୍ରତିଶ୍ରୁତି ଦେଇ ସରକାର ଭୁଲିଗଲେ। ଶୀତଳଭଣ୍ଡାର ପ୍ରତିଷ୍ଠା କରିଥିବା ଉଦ୍ୟୋଗୀମାନଙ୍କୁ ବି ଅମଳ ସମୟରେ ପର୍ଯ୍ୟାପ୍ତ ପରିମାଣର ଆଳୁ ସାଇତି ରଖିବାକୁ ମିଳୁନି। ବାହାର ରାଜ୍ୟରୁ କିଣି ଭଣ୍ଡାର କରିବାରେ ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଏସବୁ ସମସ୍ୟା ପ୍ରତି ଟିକିଏ ବି ଧ୍ୟାନ ଦେଉନାହାନ୍ତି। ଶୁକ୍ରବାର ଏକ ଭୋଜିର ଆୟୋଜନ ପାଇଁ ପିଆଜ କିଲୋ ପ୍ରତି ୮୦ ଟଙ୍କାରେ କିଣିଥିବା ଶ୍ରୀ ରାଉତରାୟ କହିଛନ୍ତି।

ବିରୋଧୀଙ୍କୁ ଜବାବ ଦେଇ ବିଜେଡି ବିଧାୟକ ଅରବିନ୍ଦ ଢାଲି କହିଛନ୍ତି, ଦରଦାମ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଅନ୍ୟରାଜ୍ୟରେ ଯେପରି ଚଢା ଦାମରେ ସବୁ ଜିନିଷ ବିକ୍ରି ହେଉଛି ସେହିପରି ଓଡ଼ିଶାରେ ଘଟିନାହିଁ। ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଆଳୁ, ପିଆଜ, ଡାଲି ଓ ତେଲ ସବୁ ରାଜ୍ୟରେ ପର୍ଯ୍ୟାପ୍ତ ଓ ଅବାଧରେ ଉପଲବ୍ଧ ହେବା ନେଇ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଉଚ୍ଛେଦ କଲେ। କିନ୍ତୁ ବାସ୍ତବ କଥା ହେଉଛି ଯେଉଁଦିନଠାରୁ ଏହି ଆଇନ ଉଚ୍ଛେଦ ହେଲା ଦରଦାମ କମିବା ପରିବର୍ତ୍ତେ ବଢ଼ିଚାଲିଛି। ଏବେ ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଟାଟକରେ ନୂଆ ପିଆଜ ଅମଳ ସମୟ। କିନ୍ତୁ ଅମଳ ସମୟରେ ସେଠାରେ ଲଗାଣ ବର୍ଷା ଯୋଗୁଁ ଉତ୍ପାଦନ ହୋଇଥିବା ପିଆଜଗୁଡ଼ିକ ବର୍ଷାରେ ଓଦା ହୋଇ ପଚିଯାଇଛି। ଓଡ଼ିଶାର ଦୈନିକ ପିଆଜ ଚାହିଦା ମେଣ୍ଟାଇବା ପାଇଁ ରାଜ୍ୟର ବ୍ୟବସାୟୀଙ୍କୁ କେବଳ ମହାରାଷ୍ଟ୍ରର ନାସିକ ଉପରେ ନିର୍ଭର କରିବାକୁ ପଡ଼ୁଛି। ସେଠାରେ କିଛି ମୁଷ୍ଟିମେୟ ବଡ଼ ବଡ଼ ପିଆଜ ବ୍ୟବସାୟୀ ପାଇକାରୀ ଦରକୁ ଅହେତୁକ ବୃଦ୍ଧି କରୁଛନ୍ତି। ଫଳରେ ପରିବହନ ଖର୍ଚ୍ଚ ଓ କମିସନ ପ୍ରଦାନ ପରେ ଓଡ଼ିଶାର ବ୍ୟବସାୟୀଙ୍କୁ ଚଢ଼ା ଦାମରେ ପିଆଜ କିଣିବାକୁ ପଡ଼ୁଛି ଓ ବଜାରରେ ଦରରେ ସ୍ଥିରତା ଆସୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe