ମାଟି ଅନୁକୂଳରୁ ଭସାଣି ରାଜନୀତି: ୧୪ କମିଟିକୁ ଏକାଠି କଲା ଭସାଣି ସମିତି, ପ୍ରତି ପୂଜା ମଣ୍ଡପକୁ ଦିଆଯିବ ଏକ ଲକ୍ଷ ଟଙ୍କାର ଅନୁଦାନ

ଦଶହରା ଉତ୍ସବ ପାଇଁ ଆହୁରି ଦେଢ଼ ମାସ ସମୟ ରହିଛି। ତା’ପୂର୍ବରୁ ଭସାଣି ଉତ୍ସବକୁ ନେଇ ସରଗରମ ହୋଇଛି ଭୁବନେଶ୍ବର ଉତ୍ତର ରାଜନୀତି। କିଏ କେତେ ମେଢ଼କୁ ଭସାଣି ଉତ୍ସବରେ ସାମିଲ କରିପାରିବ ସେନେଇ ଏବେଠାରୁ ପ୍ରତିଯୋଗିତା ଆରମ୍ଭ ହୋଇଛି।

sffssfxcxcxc

ଚନ୍ଦ୍ରଶେଖରପୁର: ଦଶହରା ଉତ୍ସବ ପାଇଁ ଆହୁରି ଦେଢ଼ ମାସ ସମୟ ରହିଛି। ତା’ପୂର୍ବରୁ ଭସାଣି ଉତ୍ସବକୁ ନେଇ ସରଗରମ ହୋଇଛି ଭୁବନେଶ୍ବର ଉତ୍ତର ରାଜନୀତି। କିଏ କେତେ ମେଢ଼କୁ ଭସାଣି ଉତ୍ସବରେ ସାମିଲ କରିପାରିବ ସେନେଇ ଏବେଠାରୁ ପ୍ରତିଯୋଗିତା ଆରମ୍ଭ ହୋଇଛି। ମା’ଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ମାଟି ଅନୁକୂଳ ହେଉ ହେଉ ଭସାଣି ଉତ୍ସବ ପାଇଁ ଭୁବନେଶ୍ୱର ଉତ୍ତର ପୂଜା ଭସାଣି ସମିତି ଅଣ୍ଟା ଭିଡ଼ିଛି। ୨୦୨୪ ତୁଳନାରେ ଏଥର ଉତ୍ସବରେ ଯେପରି ଅଧିକ ମେଢ଼ ସାମିଲ ହେବେ ସେନେଇ ରୂପରେଖ ପ୍ରସ୍ତୁତ ହୋଇଛି। ରବିବାର ଉତ୍ତର ଭୁବନେଶ୍ବରରେ ଥିବା ପୂଜାମଣ୍ଡପଗୁଡ଼ିକୁ ଗୋଟିଏ ସ୍ଥାନରେ ଏକାଠି କରି ବ୍ୟାପକ ଆଲୋଚନା କରାଯାଇଛି। ଯେଉଁଥିରେ ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ବିଜେପିର ନେତାମାନେ ସାମିଲ ହୋଇଥିଲେ। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ବୈଠକରେ ଯୋଗଦେବାକୁ ଥିଲେ ମଧ୍ୟ ଶେଷ ମୂହୁର୍ତ୍ତରେ ଆସିପାରି ନ ଥିଲେ। ହେଲେ ଉତ୍ତର ଭୁବନେଶ୍ବରର ପ୍ରତି ପୂଜାମଣ୍ଡପକୁ ଏକ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରିବାକୁ ସାଂସଦ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ମିଶ୍ର ଘୋଷଣା କରିଛନ୍ତି। ଅପରପକ୍ଷେ, ବିଜେଡି ନେତାମାନେ ମଧ୍ୟ ଦୁର୍ଗାପୂଜା ଭାସାଣି ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି କରିସାରିଥିବା ସୂଚନା ମିଳିଛି। ତେଣୁ ଗତବର୍ଷ ପରି ଏଥର ମଧ୍ୟ ଉତ୍ତର ଭୁବନେଶ୍ବରରେ ଦୁଇଟି ଭସାଣି ଉତ୍ସବ ହେବା ନେଇ ଅନୁମାନ କରାଯାଉଛି।

୧୪ କମିଟିକୁ ଏକାଠି କଲା ଭସାଣି ସମିତି
ପ୍ରତି ପୂଜା ମଣ୍ଡପକୁ ଦିଆଯିବ ଏକ ଲକ୍ଷ ଟଙ୍କାର ଅନୁଦାନ
କ୍ଲବ୍‌ ଟାଉନ୍‌ ପଡ଼ିଆକୁ ଭସାଣି ପାଇଁ ସଂରକ୍ଷିତ ରଖିବାକୁ ଦାବି

ଭୁବନେଶ୍ୱର ଉତ୍ତର ପୂଜା ଭସାଣି ସମିତି ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଡିଷ୍ଟ୍ରିକ୍ଟ ସେଣ୍ଟରରେ ଏକ ଘରୋଇ ହୋଟେଲରେ ଭସାଣି ଉତ୍ସବ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା। ସମିତି ସଭାନେତ୍ରୀ ରଶ୍ମିରେଖା ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପ୍ରାୟ ୧୪ଟି ଦୁର୍ଗାପୂଜା କମିଟିର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତାମାନେ ଯୋଗଦେଇଥିଲେ। କ୍ଲବ୍‌ ଟାଉନ୍‌ ପଡ଼ିଆକୁ ଭସାଣିପଡ଼ିଆ ଭାବେ ନାମିତ କରାଯାଇ ତାହାକୁ କେବଳ ଭସାଣି ନିମନ୍ତେ ସଂରକ୍ଷିତ ରଖିବାକୁ ବୈଠକରେ ଦାବି ଉପସ୍ଥାପନ କରାଯାଇଛି। ଏନେଇ ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ସମିତିର ମୁଖ୍ୟ ଉପଦେଷ୍ଟା ଶ୍ରୀ ମିଶ୍ର କହିଲେ ଚଳିତବର୍ଷ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ମାଧ୍ୟମରେ ଉତ୍ତର ଭୁବନେଶ୍ୱରର ଭାଇଚାରା ବଢ଼ାଇବାକୁ ପ୍ରୟାସ ହେଉଛି। ଏଥିସହ ଶାନ୍ତି ଶୃଙ୍ଖଳା ଭାବେ କିଭଳି ଉତ୍ସବ ପାଳିତ ହେବ ସେଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ପୁଲିସ, ଅଗ୍ନିଶମ ବିଭାଗ, ଟ୍ରାଫିକ୍‌, ୱାଟ୍‌କୋ, ବିଏମ୍‌ସି, ପୂର୍ତ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଭସାଣି ଉତ୍ସବ ସମ୍ପର୍କରେ ବିଭିନ୍ନ ମତ ଦେଇଥିଲେ। ସମିତି ପକ୍ଷରୁ ସମସ୍ତ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା। ସମିତିର ଉପଦେଷ୍ଟା ମଧୁମାଧବ ଜେନା, ଗଜେନ୍ଦ୍ର ଜେନା, ନିଶାକର ସାହୁ, ସମରେନ୍ଦ୍ର ସାହୁ, ଅଶୋକ ପାତ୍ର, ସୁରେଶ ମହାପାତ୍ର, ପ୍ରବୀଣ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଭସାଣି ସମିତିର ସାଧାରଣ ସମ୍ପାଦକ ସରୋଜକାନ୍ତ ମଲ୍ଲିକ ବୈଠକରେ ସଂଯୋଜନା କରିଥିବା ବେଳେ ଚନ୍ଦ୍ରଶେଖର ମଣ୍ଡଳ ସଭାପତି ନଗେନ୍‌ କୁମାର ବିଶୋଇ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe