ଆଦିବାସୀ ମେଳା: ପଲିଥିନ୍‌ ଉପରେ ଲଗାମ ନାହିଁ

ଆଦିବାସୀ ମେଳା: ପଲିଥିନ୍‌ ଉପରେ ଲଗାମ ନାହିଁ

ଭୁବନେଶ୍ବର: ଜୁଲାଇରେ ଘୋଷଣା ହେଲା। ଅକ୍ଟୋବରରେ ବ୍ୟାନ୍‌ ହେଲା। ତଥାପି ପଲିଥିନ୍‌ ମୋହ ତୁଟୁନାହିଁ। ‌ଛୋଟ ଦୋକାନ ତ ଦୂରେ ଥାଉ ଖୋଦ୍‌ ଆଦିବାସୀ ମେଳାର ହାଟରେ ଖୁଲାମ ଖୁଲା ପଲିଥିନ୍‌ରେ ବିଭିନ୍ନ ଦ୍ରବ୍ୟର ବିକ୍ରିବଟା ହେଉଛି। ଅଥଚ ଏଥିରେ ଲଗାମ ଲଗାଯାଉନାହିଁ। କିଛି ଷ୍ଟଲ୍‌ରେ କପଡ଼ା ବ୍ୟାଗ୍‌ ବ୍ୟବହୃତ ହେଉଥିଲେ ହେଁ ଅଧିକାଂଶ ଷ୍ଟଲ୍‌ରେ ଏବେ ବି ୨୦ରୁ ୩୦ ମାଇକ୍ରନ୍‌ ପଲିଥିନ୍‌ ବ୍ୟବହୃତ ହେଉଛି। ମେଳା ଆରମ୍ଭ ଦିନରୁ ଏମିତି ବିକ୍ରିବଟା ଚାଲିଛି। ପ୍ରତିଦିନ ଏହା ସେଠାରେ ଚଳପ୍ରଚଳ କରୁଥିବା ବିଭାଗୀୟ ବାବୁମାନଙ୍କ ନଜରରେ ପଡ଼ୁଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବିଏମ୍‌ସି ପକ୍ଷରୁ ଗଠିତ ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ୍‌ ସ୍କ୍ବାର୍ଡ ଚଢ଼ଉ କରି ଫାଇନ୍‌ ଆଦାୟ କରିବାକୁ ଅଧିକାର ପାଇଥିଲେ ହେଁ ଆଦିବାସୀ ମେଳା ଉପରେ ଏପର୍ଯ୍ୟନ୍ତ ଆଖି ପଡ଼ିନାହିଁ। ଆଦିବାସୀ ମେଳା ରାଜ୍ୟର ସର୍ବବୃହତ୍‌ ମେଳା ମଧ୍ୟରୁ ଅନ୍ୟତମ। ଏଠାରେ ପ୍ରତିବର୍ଷ ୮ରୁ ୧୦ ଲକ୍ଷ ଲୋକଙ୍କ ସମାଗମ ହୁଏ। ଲୋକେ ଆଦିବାସୀ ଗାଁ ବୁଲି ମଜା ନେବା ସହ ଆଦିବାସୀ ହାଟରୁ ଖାଣ୍ଟି ଜଙ୍ଗଲୀ ଓ କୃଷିଜାତ ଜିନିଷର କିଣାକିଣି କରିବାକୁ ଭୁଲନ୍ତି ନାହିଁ। ଯିଏ ବି ମେଳା ପରିସରରୁ ବାହାରୁଥାଏ ସେ କିଛି ନା କିଛି କିଣି ବାହାରେ। ତେଣୁ ଏହି ମେଳା ବିକ୍ରିବଟା ଦୃଷ୍ଟିରୁ ସର୍ବାଗ୍ରେ ରହିଛି।

publive-image

ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସମେତ ଜନଜାତି ବ୍ୟବସାୟୀମାନେ ଏଠାରୁ ଭଲ ଆୟ ମଧ୍ୟ କରୁଛନ୍ତି। ଜନଜାତିର ବ୍ୟବସାୟୀମାନଙ୍କୁ ସ୍ବାବଲମ୍ବୀ କରିବା ଦୃଷ୍ଟିରୁ ସରକାର ଏଭଳି ବୃହତ୍‌ ବଜାର ସୃଷ୍ଟି କରୁଛନ୍ତି। ମାତ୍ର ନିଜେ କରିଥିବା ଆଇନ୍‌କୁ ଏତେ ବଡ଼ ମେଳାରେ ଲାଗୁ କରିବା ପାଇଁ ଉଚିତ୍‌ ମଣିନାହାନ୍ତି। ତେଣୁ କେତେକ ବ୍ୟବସାୟୀ କପଡ଼ା ବ୍ୟାଗ୍‌ ବ୍ୟବହାର କରୁଥିବା ବେଳେ ଅନେକ ପଲିଥିନ୍‌ରେ ମନଇଚ୍ଛା ଜିନିଷ ବିକ୍ରି କରୁଛନ୍ତି। କିଛି ବ୍ୟବସାୟୀ ଉଭୟ ଜରି ପଲିଥିନ୍‌ ଓ କପଡ଼ା ବ୍ୟାଗ୍‌ ରଖିଛନ୍ତି। କିନ୍ତୁ ଜରି ପଲିଥିନ୍‌ରେ ହିଁ ବିକ୍ରିବଟା କରୁଛନ୍ତି। ପଚାରିଲେ କହୁଛନ୍ତି, ପଲିଥିନ୍‌ ଆଗରୁ କିଣିବାକୁ କେଜି ପ୍ରତି ୧୫୦ ଟଙ୍କା ପଡ଼ୁଥିଲା, ଏବେ କିନ୍ତୁ ସେଇ ପଲିଥିନ୍‌ ୧୮୦ ଟଙ୍କାରେ ମିଳୁଛି। ଏଇଥିରୁ ସ୍ପଷ୍ଟ ଯେ, ବର୍ତମାନ ମଧ୍ୟ ୨୦ରୁ ୩୦ ମାଇକ୍ରନ୍‌ ପଲିଥିନ୍‌ ଭୁବନେଶ୍ବର ବଜାରରେ ବହୁଳ ପରିମାଣରେ ଗଚ୍ଛିତ ଅଛି। ଏଣେ ୫୦ ମାଇକ୍ରନ୍‌ ବାଲା ପଲିଥିନ୍‌ କିଣିଲେ, ଗୋଟେ ପଲିଥିନ୍‌ ପାଖାପାଖି ୩ରୁ ୪ ଟଙ୍କା କିଣା ପଡ଼ିଯାଉଛି। କପଡ଼ା ବ୍ୟାଗ୍‌ର ମୂଲ୍ୟ ମଧ୍ୟ ବହୁତ ଉଚ୍ଚା ରହୁଛି। ତେଣୁ ବାଧ୍ୟ ହୋଇ ପଲିଥିନ୍‌ରେ ଦେଉଛୁ ବୋଲି ଜଣେ ବ୍ୟବସାୟୀ କହିଛନ୍ତି। ପୁଣି କିଛି ବ୍ୟବସାୟୀ କହିଛନ୍ତି ଯେ, ଆମ ଅଞ୍ଚଳରେ ଏଇ ପଲିଥିନ୍‌ରେ ବିକ୍ରିବଟା ହେଉଛି। ତେଣୁ ଏଠି ବିକୁଛୁ। ଅର୍ଥାତ ପଲିଥିନ୍‌ ଯେ, ଭୁବନେଶ୍ବର ସମେତ ଅନ୍ୟ ୫ ଟି ସହରରେ ବ୍ୟାନ୍‌ ହୋଇଛି ସେ ବାବଦରେ ମଧ୍ୟ ଅନେକ ବ୍ୟବସାୟୀ ଅବଗତ ନୁହନ୍ତି।

ପଲିଥିନ୍‌ ବ୍ୟବହାର କରୁଥିବା, ଗଚ୍ଛିତ ରଖିଥିବା ଧରା ପଡ଼ିଲେ କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ୨ ହଜାରରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଆକାରରେ ସଂଗ୍ରହ କରାଯିବାର ବ୍ୟବସ୍ଥା ରହିଛି। ଏହାଛଡ଼ା ୫୦ ମାଇକ୍ରନ୍‌ ପଲିଥିନ୍‌ ବ୍ୟବହାର କରିବା ପାଇଁ ଅନୁମତି ଦିଆଯାଇଛି। ମାତ୍ର ମେଳା ଆୟୋଜନ ପୂର୍ବରୁ ମେଳାକୁ ଆସିଥିବା ବ୍ୟବସାୟୀଙ୍କୁ ସଚେତନ କରାଯାଇନାହିଁ। ତେଣୁ ଚଳିତ ବର୍ଷ ଏହି କଟକଣା ଲାଗିଥିବାରୁ ଏ ବିଷୟରେ ଅନେକ ଅବଗତ ନଥିବା କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe