ପଲିଥିନ୍‌କୁ ନା’: ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ

Advertisment

ଏଥର ମିସନ୍‌ ସଫଳ ହେବ ତ?, ବିକଳ୍ପ ପାଇଁ ଏସ୍‌ଏଚ୍‌ଜିଙ୍କୁ ମିଳିବ ଋଣ, ପ୍ରୋତ୍ସାହନ

ଏଥର ମିସନ୍‌ ସଫଳ ହେବ ତ?, ବିକଳ୍ପ ପାଇଁ ଏସ୍‌ଏଚ୍‌ଜିଙ୍କୁ ମିଳିବ ଋଣ, ପ୍ରୋତ୍ସାହନ

ପଲିଥିନ୍‌କୁ ନା’: ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆଜିଠାରୁ ଏକକ ବ୍ୟବହାରଯୋଗ୍ୟ ପଲିଥିନ୍‌ ନିଷିଦ୍ଧ ହୋଇଛି। ଏନେଇ କଠୋର ହୋଇଛି ବିଏମ୍‌ସି। କାର୍ଯ୍ୟାନୁଷ୍ଠାନ ସହ ସଚେତନତା ପାଇଁ ଗଠନ ହୋଇଥିବା ଟିମ୍‌ ଆଜିଠୁ ଅଚାନକ ଚଢ଼ଉ ଆରମ୍ଭ କରିଛି। ଗଠିତ ହୋଇଥିବା କେନ୍ଦ୍ରୀୟ ଓ ଜୋନ୍‌ସ୍ତରୀୟ ଟିମ୍‌ ଦ୍ବାରା ଭୁବନେଶ୍ବରକୁ ପଲିଥିନ୍‌ମୁକ୍ତ ସହର କରିବା ପାଇଁ ବିଏମ୍‌ସି ଅଣ୍ଟା ଭିଡ଼ିବା ସହ କାମ ବି ଆରମ୍ଭ କରିଛି। ହେଲେ ପଲିଥିନ୍‌ ବ୍ୟାଗ୍‌ର ବିକଳ୍ପ ଯଥେଷ୍ଟ ପରିମାଣରେ ଏଯାଏଁ ବଜାରରେ ଉପଲବ୍ଧ ହୋଇନାହିଁ। ଯେଉଁଥିପାଇଁ ଏଥର ମଧ୍ୟ ଏହି ପଲିଥିନ ନିଷେଧ ମିସନ୍‌ ଫୁସୁକି ଯିବା ଆଶଙ୍କା ସୃଷ୍ଟି ହୋଇଛି।

୨୦୧୮ ମସିହାରେ ବିଏମ୍‌ସି ଏଭଳି ଏକ ମିସନ୍‌ ଆରମ୍ଭ କରିଥିଲା। ପରିଷଦ ବୈଠକ‌ରେ ହୋହଲ୍ଲା ହେବା ସହ ବରିଷ୍ଠ ଅଧିକାରୀ ଓ ଜନପ୍ରତିନିଧିମାନେ ମାନସ ମନ୍ଥନ କରିଥିଲେ। ନିୟମିତ ଚଢ଼ଉ ହେବା ସହ ଲକ୍ଷ ଲକ୍ଷ ଟଙ୍କା ଜରିମାନା ବି ଆଦାୟ ହେଲା। ହେଲେ କିଛି ଲାଭ ହୋଇନଥିଲା। କାରଣ ବିଏମ୍‌ସିର ପୁରୁଣା ଅଭ୍ୟାସ ଆଧାରରେ କିଛି ଦିନ ଚଢ଼ଉ ପରେ କାର୍ଯ୍ୟାନୁଷ୍ଠାନ ବନ୍ଦ ହୋଇଯାଇଥିଲା। ଏଣେ ପଲିଥିନ୍‌ ବ୍ୟାଗ୍‌ର ବିକଳ୍ପ ମଧ୍ୟ ଆବଶ୍ୟକ ପରିମାଣରେ ଉପଲବ୍ଧ ହୋଇପାରିନଥିଲା। ୪ ବର୍ଷ ବିତି ଯାଇଥିଲେ ମଧ୍ୟ ବିଏମ୍‌ସି ଏହି ବିକଳ୍ପ ବ୍ୟବସ୍ଥା କରିପାରିଲା ନାହିଁ। ଏଣୁ ଏଥର ମିସନ ସଫଳ ହେବ କେମିତି ବୋଲି ପ୍ରଶ୍ନ ଉଠିଛି। ତେବେ ଏହାକୁ ଆଖି ଆଗରେ ରଖି ବିଏମ୍‌ସି ବିକଳ୍ପ ପ୍ରସ୍ତୁତ କରିବାକୁ ଯୋଜନା କରିଛି। ଏସ୍‌ଏଚ୍‌ଜି ଗୋଷ୍ଠୀଙ୍କୁ ଏହି ବିକଳ୍ପ ବ୍ୟାଗ୍ ପ୍ରସ୍ତୁତ କରିବାକୁ ଋଣ ସହ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ବିଏମ୍‌ସି ଘୋଷଣା କରିଛି। ପ୍ରଦୂଷଣ ବୋର୍ଡ ପରାମର୍ଶରେ ଏହି ବିକଳ୍ପ ବ୍ୟାଗ୍‌ ଉତ୍ପାଦନ ଓ ବିକ୍ରି ପାଇଁ ବ୍ୟବସ୍ଥା ହେବ ବୋଲି ଜଣାପଡ଼ିଛି। ତେବେ ଏହି ଯୋଜନା ‘ବାହାଘର ବେଳେ ବାଇଗଣ ରୁଆ’ ଭଳି ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି।

ବଡ଼ କଥା ହେଉଛି, ପଲିଥିନ୍‌ ନିଷିଦ୍ଧ କରିବାକୁ ୨୦୧୮ ମସିହାରୁ ବିଏମ୍‌ସିର ଏକ ଟିମ୍‌ କାମ କରୁଛି। ଏଥିପାଇଁ ସ୍ବତନ୍ତ୍ର ଗାଡ଼ି ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଲକ୍ଷ ଲକ୍ଷ ଟଙ୍କା ବିଏମ୍‌ସି ପାଣ୍ଠିରୁ ଯାଉଛି। ଏତେ ଦିନ ଯାଏ ସେ ଟିମ୍‌ କ’ଣ କରୁଥିଲା? ଏସବୁକୁ ବିଚାରକୁ ନେଲେ ଏବେ ଏହି ଚଢ଼ଉ ଏକ ପ୍ରହସନ ଭଳି ଅନୁମେୟ ହେଉଛି। ତେବେ ଏଥର ବିଏମ୍‌ସି କଠୋର ହୋଇଛି। ପଲିଥିନ୍‌ ବହୁଳ ବ୍ୟବହାର ଯୋଗୁଁ ପରିମଳ ବ୍ୟବସ୍ଥା ଏକ ଆହ୍ବାନ ହୋଇ ଛିଡ଼ା ହୋଇଛି। ଏହାକୁ ବନ୍ଦ ନ କଲେ, ଆଉ ବାଟ ନାହିଁ ବୋଲି କମିସନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ଏଣୁ ଏଭଳି ନିଷିଦ୍ଧ ପଲିଥିନ୍‌ (୧୦୦ ମାଇକ୍ରନ୍‌ରୁ କମ୍‌) ଉତ୍ପାଦନ, ଆମଦାନି, ମହଜୁଦ, ବିକ୍ରି, ବଣ୍ଟନ ଓ ବ୍ୟବହାର କରୁଥିବା ଲୋକକୁ ଆଉ କ୍ଷମା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଲୋକମାନଙ୍କ ସହ ବ୍ୟବସାୟୀମାନେ ବି ଅଭ୍ୟାସରେ ପଡ଼ି ଯାଇଥିବାରୁ କେବଳ ଏନ୍‌ଫୋର୍ସମେଣ୍ଟ କଲେ ହେବ ନାହିଁ, ବରଂ ସଚେତନତାର ବି ଆବଶ୍ୟକତା ରହିଛି। ଏହାକୁ ଏକ ମିସନ୍‌ ମୋଡ୍‌ରେ ନେଇ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସହ ସମାନ୍ତରାଳ ଭାବରେ ସଚେତନତା ମଧ୍ୟ କରିବାକୁ ଯୋଜନା କରିଛି। ଏହି ମିସନ୍‌ କିଭଳି ବାସ୍ତବ ରୂପ ନେବ, ସେନେଇ ଆଜି ଏକ ଏସ୍‌ଓପି ଜାରି କରାଯାଇଛି। ସାଧା‌ରଣ ଲୋକଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଅନୁପାଳନ କରିବାକୁ କୁହାଯାଇଛି।

ଏସ୍‌ଓପି ମୁତାବକ, ୨୧ ପ୍ରକାରର ପଲିଥିନ୍‌ ଭୁବନେଶ୍ବରରେ ବ୍ୟବହାର ହେବ ନାହିଁ। ସାଧାରଣ ପଲିଥିନ୍‌ ବ୍ୟାଗ୍‌ ସହ ପ୍ଲାଷ୍ଟିକ୍‌ ଚାମଚ, ପ୍ଲେଟ୍‌, ବେଲୁନ୍‌ର ପ୍ଲାଷ୍ଟିକ୍‌ କାଠି, ଆଇସ୍‌କ୍ରିମ୍‌ ଷ୍ଟିକ୍‌, ପ୍ଲାଷ୍ଟିକ୍‌ ଛୁରି, ମିଠା ପ୍ୟାକ୍‌ କରିବାକୁ ବ୍ୟବହାର ହେଉଥିବା ପଲିଥିନ୍‌, ଥର୍ମକୁଲ୍‌, ସିଗାରେଟ୍‌ ପ୍ୟାକେଟ୍‌, ପିଭିସି ଫ୍ଲେକ୍ସ, ଷ୍ଟ୍ର, ଟ୍ରେ, ପ୍ଲାଷ୍ଟିକ୍‌ କୋଟେଡ୍‌ ନିମନ୍ତ୍ରଣପତ୍ର, ଫୋଲ୍ଡର୍‌ ଓ ଇୟରବଡ୍‌ ପ୍ରଭୃତି ନିଷିଦ୍ଧ କରାଯାଇଛି। ଏହି ସବୁ ପ୍ଲାଷ୍ଟିକ୍‌ ଜିନିଷ ବ୍ୟବସାୟୀମାନେ ବିକ୍ରି କଲେ ବା ଦୋକାନ‌ରେ ରଖିଲେ, ସେଗୁଡ଼ିକୁ ଜବତ କରାଯିବ। ପ୍ରଥମଥର ଜବତ ହେଲେ ସାଧାରଣ ଲୋକଙ୍କ ପାଇଁ ୨ଶହ, ଦ୍ବିତୀୟ ଥର ୫ଶହ ଓ ତୃତୀୟ ଥର ଜବତ ହେଲେ ୧ହଜାର ଟଙ୍କା ଜରିମାନା ରହିଛି। ବ୍ୟବସାୟୀଙ୍କଠାରୁ ଜବତ ହେଲେ ଯଥାକ୍ରମେ ୫ଶହ, ୧ହଜାର ଓ ୨ହଜାର ଜରିମାନା ସହ ଫୌଜଦାରି ମାମଲା ରୁଜୁ ହେବ। ରେସ୍ତୋରାଁ ମାଲିକଙ୍କ ପାଇଁ ଏହି ଜରିମାନା ଯଥାକ୍ରମେ ୧ହଜାର, ୨ ହଜାର ଓ ୫ ହଜାର ଟଙ୍କା ରହିଛି। ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ଜରିମାନା ସର୍ବାଧିକ ରହିଛି। ପ୍ରଥମଥର ଜବତ ହେଲେ ୧୦ ହଜାର ଟଙ୍କା ଜରିମାନା ରହିଥିବା ବେଳେ ଦ୍ବିତୀୟ ଓ ତୃତୀୟ ଥର ପାଇଁ ଯଥାକ୍ରମେ ୨୦ ଓ ୫୦ ହଜାର ଟଙ୍କା ରହିଛି। ଜରିମାନା ଛଡ଼ା ବ୍ୟବସାୟୀ, ହୋଟେଲ, ରେସ୍ତୋରାଁ ଓ ଶିଳ୍ପ ପ୍ରତିଷ୍ଠାନର ଟ୍ରେଡ୍‌ ଲାଇସେନ୍ସ ବାତିଲ ହେବ ବୋଲି ମଧ୍ୟ ସତର୍କ କରାଇ ଦିଆଯାଇଛି।

ଅଢ଼େଇ କ୍ବିଣ୍ଟାଲ୍‌ ପଲିଥିନ୍‌ ଜବତ, ଲ‌େକ୍ଷ ଜରିମାନା

ଏକକ ବ୍ୟବହାରଯୋଗ୍ୟ ପଲିଥିନ୍‌ ଆଜିଠାରୁ ନିଷିଦ୍ଧ ହେଉହେଉ ବିଏମ୍‌ସି ତତ୍ପରତା ଦେଖାଇଛି। ନାଲ୍‌କୋ ଛକଠାରୁ ଡମଣା ବଜାର ପର୍ଯ୍ୟନ୍ତ ବିଭିନ୍ନ ଦୋକାନ ଓ ହୋଟେଲ୍‌ରେ ଚଢ଼ଉ କରାଯାଇଛି। ପ୍ରାୟ ୨୧ଜଣ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ଚଢ଼ଉରେ ପ୍ରାୟ ଅଢ଼େଇ କ୍ୱିଣ୍ଟାଲ ପଲିଥିନ୍‌ ଜବତ ହେବା ସହ ୧ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଅଢ଼େଇ କ୍ବିଣ୍ଟାଲ ପଲିଥିନ୍‌ରେ ପ୍ରାୟ ୧ କ୍ବିଣ୍ଟାଲ ପଲିଥିନ୍‌ ବ୍ୟାଗ୍‌ ରହିଥିଲା। ଚଢ଼ଉରେ ସେଣ୍ଟ୍ରାଲ ସ୍କ୍ବାଡ୍‌ରେ ପୁଲିସ ଓ ଉତ୍ତର ଜୋନ୍ କାର୍ଯ୍ୟନିର୍ବାହୀ କର୍ମଚାରୀମାନେ ସାମିଲ ହୋଇଥିଲେ। ଆଗକୁ ଏହି ଅଭିଯାନ ତୀବ୍ର ହେବ। ଜୋନ୍‌ୱାରି ନିୟମିତ ଚଢ଼ଉ ସହ ସଚେତନତା ସୃଷ୍ଟି କରାଯିବ ବୋଲି ଡେପୁଟି କମିସନର (ପରିମଳ) ଶୁଭେନ୍ଦୁ କୁମାର ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe