ଆଳୁର କଳା ବଜାର, ଗ୍ରାହକ ହନ୍ତସନ୍ତ; କେଜି ପିଛା ୨୫ ଟଙ୍କାରେ ବିକିଲେ ଦୋକାନୀ

ବାଳକାଟିରେ ପହଞ୍ଚିଲାନି ଆଳୁ ବୋଝେଇ ଟ୍ରକ୍‌, ପ୍ୟାକେ୍‌ଟ୍‌ ଜବତ କରି ଖୋଲାରେ ବିକ୍ରି କରାଇଲେ ଅତିରିକ୍ତ ତହସିଲଦାର

ଆଳୁର କଳା ବଜାର, ଗ୍ରାହକ ହନ୍ତସନ୍ତ; କେଜି ପିଛା ୨୫ ଟଙ୍କାରେ ବିକିଲେ ଦୋକାନୀ

ବାଲିଅନ୍ତା/ବାଲିପାଟଣା: ଆସନ୍ତକାଲିଠାରୁ ଲାଗୁ ହେବାକୁ ଥିବା ଲକ୍‌ଡାଉନ୍‌ ମଉକାରେ ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଅଞ୍ଚଳର କିଛି ଅସାଧୁ ବ୍ୟବସାୟୀ କଳାବଜାର ଆରମ୍ଭ କରିଦେଲେଣି। ଆଜି ବାଳକାଟି ସାପ୍ତାହିକ ହାଟ ଓ ବନମାଳୀପୁର ହାଟରେ ଆଳୁ ନ ମିଳିବା ହେଉଛି ଏହାର ଜ୍ବଳନ୍ତ ପ୍ରମାଣ।

ଆଜି ବାଳକାଟି ହାଟରେ ଅନ୍ୟ ସବୁ ପ୍ରକାର ପନିପରିବା ଉପଲବ୍‌ଧ ଥିଲେ ହେଁ ଆଳୁ ଏକପ୍ରକାର ଉଭାନ୍‌ ହୋଇଯାଇଥିଲା। ଏହି ସୁଯୋଗରେ କେତେଜଣ ହାତଗଣତି ଆଳୁ ବ୍ୟବସାୟୀ ବେଶ୍‌ ମୁନାଫା ଉଠାଇଥିଲେ। ପୂର୍ବ ପାଳିରେ କିଲୋ ୧୫ ଟଙ୍କାରେ ବିକ୍ରି ହେଉଥିବା ଆଳୁ ଆଜି ହଠାତ୍ ୨୫ ଟଙ୍କାକୁ ଛୁଇଁଥିଲା। ଜଣେ ବ୍ୟବସାୟୀଙ୍କ ସୂଚନା ଅନୁସାରେ ପ୍ରତି ପାଳିରେ ଏଠାକୁ ୨୫ ଟନ୍‌ ଆଳୁ ଆସିଥାଏ। ହେଲେ ଏଥର କୌଣସି କାରଣ ପାଇଁ ଆଳୁ ଗାଡ଼ି ପହଞ୍ଚି ପାରି ନାହିଁ। ଅନ୍ୟ ଜଣେ ବ୍ୟବସାୟୀଙ୍କ ସୂଚନାନୁସାରେ, ଆଇଗିଣିଆ କୁବେରପୁରୀ ଆଳୁ ଗୋଦାମରେ କ୍ବିଣ୍ଟାଲ ୧୬ ଶହ ଟଙ୍କା ଟଙ୍କା ପଡ଼ୁଛି। ତେଣୁ ବାଳକାଟି ବଜାରକୁ ମାଲ୍ ଆଣିବା ବେଳକୁ ଗାଡ଼ିଭଡ଼ା ଆଦି ଖର୍ଚ୍ଚ ମିଶାଇଲେ, ୨୫ ଟଙ୍କା ଦରରେ ବିକିବାକୁ ପଡ଼ୁଛି। ତେବେ ଅସଲ କାରଣ ସେୟା ନଥିଲା ବୋଲି ଜଣାପଡ଼ିଛି। ବାଳକାଟିକୁ ଯେତିକି ମାଲ୍ ଆସିବା କଥା ସେତିକି ଆସିଥିଲା। କିଛି ଅସାଧୁ ବେପାରୀ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଖାଉଟିଙ୍କୁ ଶୋଷଣ କରିଥିଲେ।

ବାଲିପାଟଣାରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଥିଲା। ବନମାଳୀପୁର ହାଟ ସମତେ ସ୍ଥାନୀୟ ବଜାରରୁ ଆଳୁ ଉଭାନ ହୋଇଯାଇଥିଲା। ଯେଉଁ କେତେକ ବ୍ୟବସାୟୀ ଆଳୁ ବିକୁଥିଲେ, ସେମାନେ କିଲୋ ପିଛା ୨୦ରୁ ୨୫ ଟଙ୍କା ହାଙ୍କିଥିଲେ। ତେବେ ଆଳୁର କଳାବଜାର ହେଉଥିବା ସୂଚନା ପାଇ ବାଲିପାଟଣା ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ ଏବଂ ପୁଲିସ୍‌ ହାଟରେ ପହଞ୍ଚିଥିଲା। ଆଳୁ ପ୍ୟାକେଟ୍‌ ନେଇ ଯାଉଥିବା ଖୁଚୁରା ବ୍ୟବସାୟୀଙ୍କଠାରୁ ଆଳୁ ଜବତ କରି ଖୋଲାରେ ବିକ୍ରି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ୧୨୦ କୁଇଣ୍ଟାଲ ଆଳୁ ପହଞ୍ଚିବ ଏବଂ ଆସନ୍ତାକାଲି ସବୁ ଅଞ୍ଚଳରେ ଆଳୁ ପହଞ୍ଚିଯିବ ବୋଲି ଆଶ୍ବାସନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe