ଖଣ୍ତଗିରି : ସୋମବାର ଖଣ୍ତଗିରି ଥାନା ପୁଲିସ କୁବେରପୁରୀସ୍ଥିତ ଏକ ବିଶ୍ରାମଗୃହରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ ବାଲିଅନ୍ତା ଥାନା ବିଶୁନିଆପଡ଼ା ଖଇରା ଗାଁର କରୁଣାକର ପ୍ରଧାନ(୩୫)। ଫ୍ୟାନ୍ରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଜବତ ହୋଇଥିବାରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକେ ନେଇଥିବାବେଳେ ପୁଲିସ ଅଧିକ ଛାନ୍ଭିନ୍ ଚାଲୁ ରଖିଛି। ସୂଚନାନୁସାରେ ଗତ କିଛି ବର୍ଷ ହେଲା ସେ ପିନୁବାବୁଙ୍କ ଆଳୁଗୋଦାମରେ ମ୍ୟାନେଜର୍ଭାବେ କାମ କରୁଥିଲେ। ଗତ ପ୍ରାୟ ୩ ଦିନ ହେଲା ତାଙ୍କ ମାନସିକ ଅବସ୍ଥା ଭଲ ନଥିବା ଗୋଦାମର କର୍ମଚାରୀମାନେ ପୁଲିସକୁ ସୂଚନା ଦେଇଛନ୍ତି। ସବୁଦିନ ଭଳି ଗତକାଲି ରାତିରେ ସେ ଗୋଦାମର ସମସ୍ତ ହିସାବପତ୍ର ସାରିବା ସହ ଖିଆପିଆ କରି ନିଜ ବିଶ୍ରାମଘରେ ଶୋଇଥିଲେ। କିନ୍ତୁ ଆଜି ସକାଳୁ ତାଙ୍କ ମୃତଦେହ ଫ୍ୟାନ୍ରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ବେକକୁ ରଶିରେ ବାନ୍ଧି ସେ ଫ୍ୟାନ୍ରେ ଝୁଲିପଡ଼ିଥିଲେ। ପୁଲିସ ପହଞ୍ଚିବା ପରେ କବାଟ ଭଙ୍ଗାଯାଇ ମୃତଦେହକୁ ଜବତ କରାଯାଇଥିଲା। ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।
ଆଳୁଗୋଦାମ ମ୍ୟାନେଜରଙ୍କ ଆତ୍ମହତ୍ୟା
Advertisment
Follow Us