ଓଭରଲୋଡ୍‌ ନାହିଁ ତଥାପି ରାଜଧାନୀରେ ଘନଘନ ବିଦ୍ୟୁତ୍ କାଟ୍‌

Advertisment

ନିର୍ଦ୍ଦେଶ ଅଛି ଗୋଟେ ସେକେଣ୍ଡ ବି କଟିବନି, ଦିନକୁ ଆବଶ୍ୟକ ହେଉଛି ୩୦ମେଗାୱାଟ୍, ଯୋଗାଣ ୫୦ ମେଗାୱାଟ୍

ନିର୍ଦ୍ଦେଶ ଅଛି ଗୋଟେ ସେକେଣ୍ଡ ବି କଟିବନି, ଦିନକୁ ଆବଶ୍ୟକ ହେଉଛି ୩୦ମେଗାୱାଟ୍, ଯୋଗାଣ ୫୦ ମେଗାୱାଟ୍

ଓଭରଲୋଡ୍‌ ନାହିଁ ତଥାପି ରାଜଧାନୀରେ ଘନଘନ ବିଦ୍ୟୁତ୍ କାଟ୍‌

Patrika

ଭୁବନେଶ୍ବର : ରାଜଧାନୀରେ ଏବେ ଚାରିଆଡ଼େ ଘନଘନ ବିଦ୍ୟୁତ କାଟ ହେଉଛି। ଦିନକୁ କେଉଁଠି ୮ରୁ ୧୦ଥର କଟୁଛି ତ କେଉଁଠି ଥରେ କଟିଲେ ଦୁଇ ଘଣ୍ଟା ଯାଏ ଲାଇନ୍ ଆସୁନି। ଲକ୍‌ଡାଉନ୍‌ ଯୋଗୁଁ ଲୋକ ଘରେ ଏକରକମ ବନ୍ଦୀ ଭଳି ଥିବା ବେଳେ ଶକ୍ତି ବିଭାଗର ଏହି ନିର୍ଯାତନା ପୂରା ଅସହ୍ୟ ହୋଇଗଲାଣି। ପ୍ରତିବର୍ଷ ଖରା ଦିନ ଆସିଲେ ଘନ ଘନ ବିଦ୍ୟୁତ୍‌ କଟେ। ଶକ୍ତି ବିଭାଗର ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀମାନେ ବାହାପିଆ ଦେଖାଇ ଗଣମାଧ୍ୟମ ଆଗରେ କହନ୍ତି, ଏବର୍ଷ ବିଦ୍ୟୁତ କାଟ୍‌ ହେବନି। ଗ୍ରାମାଞ୍ଚଳରେ କିଛି ଅଞ୍ଚଳରେ ପାୱାରକଟ୍ ହୋଇପାରେ। କିନ୍ତୁ ରାଜଧାନୀ ସମେତ ବିଭିନ୍ନ ସହରାଞ୍ଚଳରେ ପାୱାରକଟ୍ ହୁଏ। ସେତେବେଳେ ଶକ୍ତି ବିଭାଗ କର୍ତ୍ତୃପକ୍ଷ ସଫେଇ ଦିଅନ୍ତି ଯେ ଓଭରଲୋଡ୍‌ ଯୋଗୁଁ ଟ୍ରିପ୍ କରିଯାଉଛି। ତେଣୁ ବାରମ୍ବାର ଲାଇନ୍‌ କଟୁଛି। ରାତି ସମୟରେ ଲୋକମାନେ ଅଧିକ ଏସି ବ୍ୟବହାର କରୁଥିବାରୁ ଓଭରଲୋଡ୍‌ ସମ୍ଭାଳିନପାରି ଲାଇନ୍ କଟୁଛି। ଏପରିକି କିଛି ବାହାନା ନପାଇଲେ ଶକ୍ତି ବିଭାଗ ଅଧିକାରୀ କହନ୍ତି, ଆମର ବିଦ୍ୟୁତ ସରବରାହରେ କ୍ଷତି ହେଉଛି। ତାର ବହୁତ ପୁରୁଣା ହୋଇଯାଇଥିବାରୁ ବିଭିନ୍ନ ସ୍ଥାନରେ ସ୍ପାର୍କିଂ କରି ବିଦ୍ୟୁତ୍‌ ନଷ୍ଟ ହେଉଛି। ତେଣୁ ଆବଶ୍ୟକ ବିଦ୍ୟୁତ୍‌ ଉପରେ ଚାପ ପଡ଼ୁଛି। ହେଲେ ନିକଟରେ ବାତ୍ୟା ଫନି ଯୋଗୁ ରାଜଧାନୀରେ ଅଧିକାଂଶ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବାବେଳେ ତାର ଛିଣ୍ଡି ଯାଇଥିଲା। ଉଚ୍ଚ କ୍ଷମତାସଂପନ୍ନ ଲାଇନରେ ନୂଆ ତାର ଲାଗିଥିଲା। ତେଣୁ ଏବେ ଶକ୍ତି ବିଭାଗ ନିକଟରେ ଅଧିକ ବିଦ୍ୟୁତ ନଷ୍ଟ ହେବାର ବାହାନା ବି ନାହିଁ। କିନ୍ତୁ ବାରମ୍ବାର ଲାଇନ୍‌ କଟୁଛି। କେବଳ ଏତିକି ନୁହେଁ ବସ୍ତି ଅଞ୍ଚଳରେ କେବୁଲ୍‌ ତାର ଟଣା ହୋଇଥିବାରୁ ଏଠାରେ ବି ବିଦ୍ୟୁତ୍‌ ଚୋରି ଭୟ ନାହିଁ। କିନ୍ତୁ ଏବେ କ’ଣ ହୋଇଛି ଯେ ବିଭିନ୍ନ ଅଞ୍ଚଳରେ ବାରମ୍ବାର ଲାଇନ୍ କଟୁଛି, ‌ତା’ର ଉତ୍ତର କାହା ପାଖରେ ନାହିଁ।

ଏବେ ସବୁ ଶିଳ୍ପ, କାରଖାନା ବନ୍ଦ ଥିବା ବେଳେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବି ବନ୍ଦ ଅଛି। ଯେତିକି ବିଦ୍ୟୁତ ଆବଶ୍ୟକ ତା’ର ପ୍ରାୟ ଅଧ‌ା ବ୍ୟବହାର ହେଉଛି। କିନ୍ତୁ ଘନଘନ ବିଦ୍ୟୁତ କାଟ୍ କମୁନି। ଏନେଇ ଶକ୍ତି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଜଣାପଡ଼ିଲା ଯେ ଏବେ ବିଭାଗ ପକ୍ଷରୁ ବିସିଡିଡି-୧, ବିସିଡିଡି-୨ ଏବଂ ବିଇଡି-୧କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ କୌଣସି ପରିସ୍ଥିତିରେ ବି ବିଦ୍ୟୁତ୍‌ କାଟ ହେବନି। ଗୋଟେ ସେକେଣ୍ଡ ବି ବିଦ୍ୟୁତ୍‌ କଟିବା କଥା ନୁହେଁ। କାରଣ ଆମର ଯେତିକି ବିଦ୍ୟୁତ୍‌ ଆବଶ୍ୟକ, ତା’ଠାରୁ ଅଧିକ ବିଦ୍ୟୁତ୍‌ ଯୋଗାଣ ହେଉଛି। ସବଷ୍ଟେସନ୍‌ସ୍ତରରେ କୌଣସି ଅସୁବିଧା ହେଉଥିବ ଯଦି ଲାଇନ୍ କଟୁଥିବ। ହେଲେ ଏହି ସମସ୍ୟା ତୁରନ୍ତ ସମାଧାନ ପାଇଁ ୨୪ ଘଣ୍ଟିଆ କର୍ମଚାରୀ ମୁତୟନ କରାଯାଇଛି। ତେଣୁ କେଉଁଠି ଘଣ୍ଟାଏ, ଦୁଇଘଣ୍ଟା ଲାଇନ୍‌ ଯିବାର ସମ୍ଭାବନା ନାହିଁ। ଯଦି କଟୁଛି, ଏହାର ତଦନ୍ତ ହେବ।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀରେ ପ୍ରାୟ ସାଢ଼େ ତିନି ଲକ୍ଷ ଗ୍ରାହକ ଥିବା ବେଳେ ଏଥିପାଇଁ ଦୈନିକ ୫୦ ମେଗାୱାଟ୍‌ ବିଦ୍ୟୁତ୍ ଆବଶ୍ୟକ ପଡ଼ିଥାଏ। ଏଥିରୁ ପ୍ରାୟ ୧୫ ମେଗାୱାଟ୍‌ ବିଭିନ୍ନ ଶିଳ୍ପ ଓ କାରଖାନା ପାଇଁ ବ୍ୟବହାର ହୁଏ। ହେଲେ ଭୁବନେଶ୍ବରରେ ଲକ୍‌ଡାଉନ୍ ପାଇଁ ସବୁ ବନ୍ଦ ଥିବାରୁ ପ୍ରାୟ ୩୦ ମେଗାୱାଟ୍‌ ବିଦ୍ୟୁତ୍ ବ୍ୟବହାର ହେଉଥିବ। ଏଥିରେ କେମିତି ବିଭିନ୍ନ ଅଞ୍ଚଳରେ ଲାଇନ୍‌ କଟୁଛି, ତାହାର ତଦନ୍ତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe