ତାତିକୁ ବଳିଲା ବିଜୁଳି ନିର୍ଯାତନା, ସକାଳୁ ସନ୍ଧ୍ୟା ଯାଏ କଲବଲ

Advertisment

୮ ଜିଲ୍ଲାକୁ ଅଂଶୁଘାତ ୱାର୍ଣ୍ଣିଂ, ପଶ୍ଚିମ ଓଡ଼ିଶାର ୮ ସହରର ପାରା ୪୪ଂ ଉପରେ

୮ ଜିଲ୍ଲାକୁ ଅଂଶୁଘାତ ୱାର୍ଣ୍ଣିଂ, ପଶ୍ଚିମ ଓଡ଼ିଶାର ୮ ସହରର ପାରା ୪୪ଂ ଉପରେ

ଉପଭୋକ୍ତା ଆଶ୍ବସ୍ତ: ବଢ଼ିବନି ବିଜୁଳି ଦର, ବିଲ୍‌ ପଇଠରେ ବିଳମ୍ବ ହେଲେ ଜରିମାନା ନାହିଁ

New Indian Express

ଭୁବନେଶ୍ବର : ସକାଳ-ସଂଜ, ଦିନ-ରାତି; କେତେ‌ବେଳେ ବି ନିସ୍ତାର ନାହିଁ। ସୂର୍ଯ୍ୟ ଉଇଁବା ପୂର୍ବରୁ ପରିବେଶଟା ଯେମିତି ପୂରା ଗୁମ୍‌ ହୋଇଯାଉଛି। ଗଛ, ପତ୍ର ବି ଟିକେ ଦୋହଲିବା କଷ୍ଟକର। ଦିନ ବଢ଼ିବା ସହ ତାଳ ଦେଇ ଗରମର ନିର୍ଯାତନା ବଢ଼ି ଚାଲିଛି। ପଙ୍ଖା ଆଗରୁ ମୁହଁ କାଢ଼ିଲେ ଦେହ-ମୁଣ୍ଡ ସବୁ ଓଦା। ରୋଷେଇ ଘରେ ନିଆଁ ମୁହଁରେ ଟିକିଏ ଠିଆ ହୋଇଗଲେ, ଡ୍ରେସ୍‌, ଶାଢ଼ିରୁ ଝାଳ ସବୁ ବୁଦ୍‌ବୁଦ୍‌ ହୋଇ ତଳେ ପଡ଼ୁଛି। ଗତ କିଛି ଦିନ ହେଲା, ଏମିତି ପାଣିପାଗ ଭୁବନେଶ୍ବର ସମେତ ଅର୍ଦ୍ଧାଧିକ ରାଜ୍ୟବାସୀଙ୍କୁ କଲବଲ କରୁଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ରଜ ସୁଦ୍ଧା ଲୋକଙ୍କୁ ଏଥିରୁ ଆଦୌ ନିସ୍ତାର ମିଳିବ ନାହିଁ।

publive-image

ଶନିବାର ସକାଳ ସାଢ଼େ ୫ଟାରେ ଭୁବନେଶ୍ବରର ତାପମାତ୍ରା ୩୦.୨ ଡିଗ୍ରି ଓ ବାୟୁମଣ୍ଡଳର ଆର୍ଦ୍ରତା ୯୬% ଥିଲା। ତେଣୁ ସକାଳୁ ସକାଳୁ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ଧୀରେଧୀରେ ଦିନ ବଢ଼ିବା ସହ ତାପମାତ୍ରା ବଢ଼ିଥିଲା। ଦିନ ସାଢ଼େ ୧୧ଟାରେ ରାଜଧାନୀର ତାପମାତ୍ରା ୩୭.୨ ଡିଗ୍ରିକୁ ବଢ଼ିବା ସହ ଆର୍ଦ୍ରତା ରହିଥିଲା ୬୪%। ଫଳରେ ଦିନ ୧୧ଟାରୁ ହିଁ ରାଜଧାନୀବାସୀ ୪୫%ରୁ ଅଧିକ ତାପମାତ୍ରାର ଗରମ ଅନୁଭବ କରିବା ଆରମ୍ଭ କରିଥିଲେ। ଅପରାହ୍‌ଣ ସାଢ଼େ ୨ଟାରେ ତାପମାତ୍ରା ଆଉ ୦.୬ ଡିଗ୍ରି ବଢ଼ି ୩୭.୮ ଡିଗ୍ରିରେ ପହଞ୍ଚିଥିବା ବେଳେ ଆର୍ଦ୍ରତା ୫୬% ରହିଥିଲା। ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ଆଜି ମାତ୍ର ୩୮.୨ ଡିଗ୍ରି ରହିଥିଲେ ସୁଦ୍ଧା ଏହା ରାଜଧାନୀବାସୀଙ୍କୁ ଆଶ୍ବସ୍ତ କରିପାରିନଥିଲା। ପ୍ରବଳ ଗୁଳୁଗୁଳି ଯନ୍ତ୍ରଣା ଏହାଠାରୁ ବଳି ଯାଇଥିଲା।

publive-image

ଅନ୍ୟପଟେ ରାଜଧାନୀରେ ବିଭିନ୍ନ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ୍‌ ଘଟଣା ନିଆଁରେ ଘିଅ ଢାଳିବା ଭଳି ପରିସ୍ଥିତି ସୃଷ୍ଟି କରିଥିଲା। ଖାଲି ରାଜଧାନୀ ନୁହେଁ, ସମଗ୍ର ଉପକୂଳର ଏହି ସ୍ଥିତି ରହିଥିବା ପାଣିପାଗ ବିଭାଗର ରିପୋର୍ଟରୁ ଜଣାପଡ଼ୁଛି। ଅନ୍ୟପଟେ ପଶ୍ଚିମ ଓଡ଼ିଶା ତାତିରୁ ମୁକ୍ତି ପାଇନି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଶ୍ଚିମ ଓଡ଼ିଶାର ୮ ସହରର ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିଛି। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାଠାରେ ୪୪.୮ ଡିଗ୍ରି ରେକର୍ଡ ହୋଇଛି। ସମ୍ବଲପୁର ଓ ବୌଦ୍ଧରେ ୪୪.୬ ଡିଗ୍ରି, ସୋନପୁରରେ ୪୪.୫ ଡିଗ୍ରି, ବରଗଡ଼ରେ ୪୪.୪ ଡିଗ୍ରି, ବଲାଙ୍ଗୀରରେ ୪୪.୩ ଡିଗ୍ରି, ହୀରାକୁଦରେ ୪୪.୨ ଡିଗ୍ରି ଓ ସୁନ୍ଦରଗଡ଼ଠାରେ ୪୪.୧ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଏଥିସହ ରାଜ୍ୟର ମୋଟ ୨୦ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ତାତି ଜାରି ରହିବ। ଉପକୂଳରେ ଗୁଳୁଗୁଳି ମଧ୍ୟ ଅଧିକ ରହିବ।

publive-image

ଶନିବାର ଭଳି ରବିବାର ମଧ୍ୟ ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ବରଗଡ଼, ବୌଦ୍ଧ ଓ କେନ୍ଦୁଝର ଭଳି ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଅଂଶୁଘାତ ୱାର୍ଣ୍ଣିଂ ଜାରି କରାଯାଇଛି। ୧୩ ତାରିଖ ଯାଏ ରାଜ୍ୟରେ ଏହିଭଳି ଖରା, ଗରମ ଜାରି ରହିବା ସହ ଏହି ୮ ଜିଲ୍ଲା ପାଇଁ ଅଂଶୁଘାତ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ରାଜଧାନୀର ଆକାଶ ଆଜି ଭଳି ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ମଧ୍ୟରେ ରହିବ। ଗୁଳୁଗୁଳି ମଧ୍ୟ ଅସହ୍ୟ ହେବ।

ଇତିମଧ୍ୟରେ ମୌସୁମୀ ଧୀରେଧୀରେ ଦକ୍ଷିଣ ଭାରତକୁ ଅଗ୍ରସର ହେବାରେ ଲାଗିଛି। ଆଜି ସମ୍ପୂର୍ଣ୍ଣ କେରଳକୁ ମୌସୁମୀ ସ୍ପର୍ଶ କରିସାରିଥିବା ବେଳେ ଏହା ଆରବ ସାଗର ଓ ବଙ୍ଗୋପ ସାଗରକୁ ମୁହାଁଇବାରେ ଲାଗିଛି। ଏଥିସହ ଉତ୍ତରପୂର୍ବ ଭାରତର ଅଧିକାଂଶ ରାଜ୍ୟରେ ଶନିବାର ଦିନ ମୌସୁମୀ ପ୍ରବେଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe