ବାତ୍ୟା ପୂର୍ବରୁ ବିଦ୍ୟୁତ୍‌ ବିଭ୍ରାଟ

Advertisment
କେନ୍ଦ୍ର କରିବ ୧୪୦୦ କୋଟିର ‘ଏନର୍ଜି କରିଡର’

My Sambalpur

ଭୁବନେଶ୍ବର: ବାତ୍ୟା ପୂର୍ବରୁ ରାଜଧାନୀରେ ଘନଘନ ବିଦ୍ୟୁତ୍‌ କାଟ୍‌ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଦୁଇ ଦିନ‌ ହେଲା ସହରର ବିଭିନ୍ନ ସ୍ଥାନରେ ଘଣ୍ଟାଏ ଅଧଘଣ୍ଟା ଅନ୍ତରରେ ବିଦ୍ୟୁତ୍‌ ବିଭ୍ରାଟ ସୃଷ୍ଟି ହୋଇଛି। କେଉଁଠି ସୋମବାର ରାତିରୁ ଲାଇନ୍‌ କଟିଛି ଯେ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ଦେଖା ନାହିଁ ତ ଆଉ କେଉଁଠି ମଙ୍ଗଳବାର ଭୋର୍‌ ସମୟରୁ ଯାଇ ମଧ୍ୟାହ୍ନ ବେଳକୁ ଆସିଛି। ପୁରୁଣା ଭୁବନେଶ୍ବର ସମେତ ଚନ୍ଦ୍ରଶେଖରପୁର, ଖଣ୍ଡଗିରି, ଡୁମୁଡୁମା, ଜାଗମରା, ବରମୁଣ୍ଡା, ରେଣ୍ଟାଲ କଲୋନି, ବଡ଼ଗଡ଼, ଜିଜିପି କଲୋନି, ରସୁଲଗଡ଼, ରଙ୍ଗମାଟିଆ, ନୂଆପଲ୍ଲୀ ପ୍ରଭୃତି ଅଞ୍ଚଳରେ ଏଭଳି ବିଭ୍ରାଟ ସାମ୍ନାକୁ ଆସିବା ପ‌ରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପବନର ବେଗ ବିଶେଷ ନଥିବା ବେଳେ କାହିଁକି ବିଦ୍ୟୁତ୍‌ କାଟ କରାଯାଉଛି, ତାହାକୁ ନେଇ ଲୋକ ପ୍ରଶ୍ନ ଉଠାଇଛନ୍ତି।

ବିସିଡିଡି-୨ ଡିଭିଜନ୍‌ ଅଧୀନ ବିଭିନ୍ନ ଅଞ୍ଚଳରେ ଲଗାତାର ଭାବେ ବିଦ୍ୟୁତ୍‌ ବିଭ୍ରାଟ ବଡ଼ ସମସ୍ୟା ସୃଷ୍ଟି କରିଛି। ଗୋଟିଏପଟେ ଲୋକେ ଦୁଇ ଦୁଇଟି ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ଅନ୍ୟପଟେ ବିଦ୍ୟୁତ୍‌ କାଟ ରାତିରେ ଜନଜୀବନକୁ ଦୁର୍ବିଷହ କରିଛି। ମଙ୍ଗଳବାର ସନ୍ଧ୍ୟାରେ ସହରର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍‌ କାଟ ହୋଇଥିବା ଜଣାପଡ଼ିଛି। ଲୋକେ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କୁ ଫୋନ୍‌ କରିବା ପରେ କେତେକ ସ୍ଥାନରେ ସ୍ବାଭାବିକ ହୋଇଛି। ଆଉ କେତେକ ସ୍ଥାନରେ ରାତି ପର୍ଯ୍ୟନ୍ତ ବି ଲାଇନ୍‌ ଆସି ନାହିଁ।

ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ବାତ୍ୟା ଆସିବା ପୂର୍ବରୁ କେତେକ ସ୍ଥାନରେ ଗଛ କାଟିବାର ଆବଶ୍ୟକତା ରହିଥିଲା। ତେଣୁ ବାଧ୍ୟ ହୋଇ ଆମେ ବିଦ୍ୟୁତ୍‌ ସରବରାହକୁ କିଛି ସମୟ ବିଚ୍ଛିନ୍ନ କରିଥିଲୁ। ସେହିପରି ତୁହାକୁ ତୁହା ପବନ ହେବାରୁ କେତେକ ସ୍ଥାନର ଫ୍ୟୁଜ୍‌ କଟିଯିବାରୁ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଛି। ଲଗାଣ ବର୍ଷା ଯୋଗୁଁ ଜାଗମରା, ଖଣ୍ଡଗିରି ସେକ୍ସନ୍‌ର ୧୦ରୁ ଅଧିକ ସ୍ଥାନରେ ବିଦ୍ୟୁତ୍‌ ତାର ଉପରେ ଗଛ ଡାଳ ପଡ଼ିବା ଯୋଗୁଁ ବିଦ୍ୟୁତ୍‌ ସେବା ବ୍ୟାହତ ‌ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଧର୍ମବିହାରରେ ବିଦ୍ୟୁତ୍‌ ତାର ଉପରୁ ଗଛ କଟା ଚାଲିଛି। ଭରତପୁର ଅଞ୍ଚଳରେ ୩ଟି ସ୍ଥାନରେ ବାଉଁଶ ଗଛ ବିଦ୍ୟୁତ୍‌ ତାରରେ ଲାଗିଥିଲା, ଯାହାକୁ କଟା ଯାଇଛି। ପୁରୁଣା ଭୁବନେଶ୍ବରର ୩ଟି, ଚନ୍ଦ୍ରଶେଖରପୁର ଅଞ୍ଚଳର ୨ଟି ସ୍ଥାନରେ ଗଛ ଡାଳରେ ବିଦ୍ୟୁତ୍‌ ତାର ବାଡ଼େଇ ହେବା ଯୋଗୁଁ ଫ୍ୟୁଜ୍‌ କଟିଥିଲା। ଭୁବନେଶ୍ବର ପାଇଁ ଆମେ ସଜାଗ ରହିଛୁ। କର୍ମଚାରୀମାନେ ୨୪ ଘଣ୍ଟିଆ ଡ୍ୟୁଟି କରୁଛନ୍ତି। ପବନ ନହେବା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବ‌ା ନ କାଟିବାକୁ କୁହାଯାଇଛି। ବାତ୍ୟା ଯିବା କ୍ଷଣି ଯେପରି ସଙ୍ଗେ ସଙ୍ଗେ ବିଦ୍ୟୁତ୍‌ ସଂଯୋଗ କରାଯାଇପାରିବ, ସେ ଦିଗରେ କାମ ଜାରି ରହିଛି।

ଟିପିଓଡିସିଏଲ୍‌ ପକ୍ଷରୁ କୁହାଯାଇଛି ଯେ ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତ ରହିଛୁ। ୨୪ ଘଣ୍ଟିଆ ଟୋଲ୍‌-ଫ୍ରି କଲ୍‌ ସେଣ୍ଟର ଖୋଲା ଯାଇଛି। ବିଦ୍ୟୁତ୍‌ ସମ୍ପର୍କିତ କୌଣସି ପ୍ରକାର ଜରୁରୀ ସେବା ଲାଗି ଲୋକେ ୧୯୧୨ ଓ ୧୮୦୦୩୪୫୭୧୨୨ ନମ୍ବରରେ ଯୋଗାଯୋଗ କରିପାରିବେ।
ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକରେ ବିଦ୍ୟୁତ୍‌ ସରବରାହ ଯେପରି ବ୍ୟାହତ ନ ହୁଏ, ସେଥିପାଇଁ କ୍ବିକ୍‌ ରେସ୍‌ପନ୍‌ସ ଟିମ୍‌ ଗଠନ ହୋଇଛି। ବାତ୍ୟା ସମୟରେ ଲୋକେ କୌଣସି ତାର କିମ୍ବା ପ୍ଲମ୍ବିଂକୁ ‌ସ୍ପର୍ଶ ନ କରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ବର୍ଷା, ପବନ, ବଜ୍ରପାତ ସମୟରେ ଗଛ କିମ୍ବା ବିଦ୍ୟୁତ୍‌ ଖୁଣ୍ଟ ତଳେ ଛିଡ଼ା ନ ହେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe