ରାସ୍ତା ମଝିରୁ ହଟିବ ବିଦ୍ୟୁତ୍‌ ଖୁଣ୍ଟ: ବିଧାୟକଙ୍କ ହସ୍ତକ୍ଷେପ ପରେ ତତ୍ପରତା

Advertisment

ବଡ଼ଗଡ଼-ଜଗନ୍ନାଥ ଆଶ୍ରମ ରାସ୍ତା ପ୍ରସଙ୍ଗ

ବଡ଼ଗଡ଼-ଜଗନ୍ନାଥ ଆଶ୍ରମ ରାସ୍ତା ପ୍ରସଙ୍ଗ

ରାସ୍ତା ମଝିରୁ ହଟିବ ବିଦ୍ୟୁତ୍‌ ଖୁଣ୍ଟ: ବିଧାୟକଙ୍କ ହସ୍ତକ୍ଷେପ ପରେ ତତ୍ପରତା

iStock

ଭୁବନେଶ୍ବର: ବଡ଼ଗଡ଼ ଛକଠାରୁ ଜଗନ୍ନାଥ ଆଶ୍ରମ ପର୍ଯ୍ୟନ୍ତ ରାସ୍ତା କାମ ‌ଶେଷ ହେଉନାହିଁ। ଠିକାଦାର-ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ମନ୍ଥର ଗତିରେ ଚାଲିଛି ନିମ୍ନମାନର ନିର୍ମାଣ କାର୍ଯ୍ୟ। ୨ ଦିନ କାମ ହେଲେ ୧୫ ଦିନ ବନ୍ଦ ରହୁଛି। କେବଳ ଏତିକି ନୁହେଁ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟକୁ ଉଠାଇବାକୁ ପୂର୍ତ୍ତ ବିଭାଗ ଓ ଟିପିସିଓଡିଏଲ୍‌ ମଧ୍ୟରେ ତାଳମେଳ ରହୁନାହିଁ। ରାସ୍ତା ତ ନିର୍ମାଣ ହେଉନାହିଁ, ଅନ୍ୟପଟେ ରାସ୍ତା ମଝିରେ ରହିଥିବା ଖୁଣ୍ଟ ଏବଂ ତ୍ରୁଟିପୂର୍ଣ୍ଣ ଓ ଯୋଜନାହୀନ ଡିଭାଇଡର ପାଇଁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି। ଯାହାକୁ ନେଇ ପୂର୍ତ୍ତବିଭାଗ ଉପରେ ବର୍ଷିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ। ଅନ୍ୟ ବିଭାଗ ସହ ସମନ୍ବୟ ରକ୍ଷା କରି ଟେଣ୍ଡର ମୁତାବକ ଖୁବ୍‌ଶୀଘ୍ର ରାସ୍ତା କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୨ ବର୍ଷ ତଳେ ଏହି ୬୦ ଫୁଟିଆ ରାସ୍ତା ପାଇଁ ତତ୍‌କାଳୀନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୁଭ ଦେଇଥିଲେ। ଏଥିପାଇଁ ପ୍ରାୟ ୪ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା। ନିୟମ ଅନୁସାରେ କାମ ଆରମ୍ଭ ହେବା ପୂର୍ବରୁ ପ୍ରଥମେ ଜବରଦଖଲ ଉଚ୍ଛେଦ ସହ ରାସ୍ତା ନିର୍ମାଣରେ ବାଧକ ସାଜୁଥିବା ବିଦ୍ୟୁତ୍‌ଖୁଣ୍ଟ ଓ ଲାଇଟ୍‌ ପୋଷ୍ଟ ଉଠାଯିବା କଥା। କିନ୍ତୁ ତାହା ହେଲାନାହିଁ। ପ୍ରଥମତଃ ପାତରଅନ୍ତର ନୀତିରେ ଜବରଦଖଲ ଉଚ୍ଛେଦ କରାଗଲା। ଫଳରେ ଅନେକ ସ୍ଥାନରେ ରାସ୍ତାର ଓସାର କମିଲା। ଯନ୍ତ୍ରୀ ଉପସ୍ଥିତ ନରହିବାରୁ ଠିକାସଂସ୍ଥା ମନମୁଖୀ ଭାବେ ଡ୍ରେନ୍‌ ନିର୍ମାଣ କରିଛି। କେଉଁଠି ୩ ଫୁଟ୍‌ ତ କେଉଁଠି ଫୁଟେ ଚଉଡ଼ାର ତ୍ରୁଟିପୂର୍ଣ୍ଣ ଡ୍ରେନ୍‌ ନିର୍ମାଣ ହୋଇଛି। ଯାହା ବର୍ଷାଦିନେ ସମସ୍ୟା ସୃଷ୍ଟି କରିବା ଥୟ। ଏଥିସହ ସବ୍‌ବେସ୍‌, ବେସ୍‌ ଓ ଉପର ଭାଗ ପିଚୁ ମଧ୍ୟ ଠିକ୍‌ ଭାବରେ କରାଯାଇନାହିଁ। ଏବେ ତ୍ରୁଟିପୂର୍ଣ୍ଣ ଡିଭାଇଡର୍‌ ନିର୍ମାଣ ଯୋଗୁଁ ଗତ ୧୫ ଦିନରେ ୪୦ରୁ ଅଧିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ସାରିଲାଣି। ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ ଓ ବିଏମ୍‌ସି ଲାଇଟ୍‌ ଖୁଣ୍ଟ ଥିବାରୁ ଏଥିରେ ମଧ୍ୟ ଦୁର୍ଘଟଣା ଘଟୁଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ଏ ପ୍ରସଙ୍ଗରେ ବିଜେପି ଯୁବ ନେତା ସଂଗ୍ରାମ ମାର୍ଥା ସ୍ବର ଉଠାଇଛନ୍ତି।

ଏନେଇ ବିଧାୟକ ବାବୁ ସିଂଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତନାଘନା ଆରମ୍ଭ ହୋଇଛି। ବିଧାୟକ ମଧ୍ୟ ତତ୍‌କ୍ଷଣାତ ସମ୍ପୂର୍ଣ୍ଣ ରାସ୍ତାକୁ ବୁଲି ଦେଖିବା ସହ ରାସ୍ତା କାମ ତୁରନ୍ତ ସାରିବାକୁ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ତାଗିଦ କରିଛନ୍ତି। ରାସ୍ତା ସମ୍ପ୍ରସାରଣରେ ବାଧକ ହୋଇଥିବା ବିଦ୍ୟୁତ୍ ଖୁଣ୍ଟ ଓ ବିଦ୍ୟୁତ୍ ତାରକୁ ଉଠାଇ ନେବା ପାଇଁ ଟିପିସିଓଡିଏଲ୍‌କୁ ନିଦ୍ଦେର୍ଶ ଦେଇଛନ୍ତି। ଏହାପରେ ବିଭାଗୀୟ ଅଧିକାରୀଙ୍କ ତତ୍ପରତା ପ୍ରକାଶ ପାଇଛି। ଶୁକ୍ରବାର ଅପରାହ୍ନରେ ଟିପିସିଓଡିଏଲ୍‌ ସହକାରୀ ଯନ୍ତ୍ରୀ ମନୋଜ ପାତ୍ର ଓ ପୂର୍ତ୍ତ ବିଭାଗ ଡିଭିଜନ-୧ର ସହକାରୀ ଯନ୍ତ୍ରୀ ବାବୁଲା ସାହୁ ବିଦ୍ୟୁତ୍‌ ଖୁଣ୍ଟ ନିରୀକ୍ଷଣ କରିବା ସହ, ଯେଉଁ ସବୁ ଖୁଣ୍ଟ ଉଠାଯିବ ସେଗୁଡ଼ିକୁ ନାଲି ରଙ୍ଗ ଲଗାଇଛନ୍ତି। ବିଦ୍ୟୁତ୍‌ ଖୁଣ୍ଟକୁ ଉଠାଇବା ପରେ ବାକି ଥିବା ରାସ୍ତା କାମ କରାଯିବ।
ଏ ସମ୍ପର୍କରେ ବିଧାୟକ ବାବୁ ସିଂ କହିଛନ୍ତି, ଉକ୍ତ ରାସ୍ତା ପାଇଁ ଦୀର୍ଘଦିନ ଧରି ସାଧାରଣ ଲେକେ ସମସ୍ୟାରେ ପଡ଼ିଥିଲେ। ଦୁଇ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ ଆଲୋଚନା ହୋଇଛି। ଏଥିରେ ବ୍ୟତିକ୍ରମ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe