Times of India
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଜେଲରେ ରହୁଥିବା ଅନ୍ତେବାସୀ ଓ ଜେଲ୍ କର୍ମଚାରୀମାନେ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ନଜରକୁ ଆସିଛି। ତେଣୁ ଜେଲ୍ରେ ଥିବା ସଂକ୍ରମିତ ଅନ୍ତେବାସୀଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀମାନଙ୍କୁ ପିପିଇ ସମେତ ଅନ୍ୟ ସୁରକ୍ଷା ଉପକରଣ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛି ରାଜ୍ୟ ମାନବାଧିକାର କମିସନ (ଓଏଚଆରସି)।
ଏନେଇ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସଂପର୍କିତ ରିପୋର୍ଟ ପ୍ରଦାନ କରିବା ଲାଗି ଗୃହ ବିଭାଗର ପ୍ରମୁଖ ସଚିବ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ କାରାଗାର ଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି। ଆସନ୍ତାମାସ ୨୮ତାରିଖରେ ଏହାର ପରବର୍ତୀ ଶୁଣାଣି ହେବ। ଜେଲ୍ ଅନ୍ତେବାସୀ ଓ କର୍ମଚାରୀ କରୋନା ସଂକ୍ରମିତ ହେବା ନଜରକୁ ଆସିବା ପରେ ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନ୍ଗୋ ଓ ଅନ୍ୟ ଆଇନଜୀବୀ ମିଳିତ ଭାବେ ଓଏଚଆରସିଙ୍କ ନିକଟରେ ଇ-ମେଲ ଜରିଆରେ ପିଟିସନ୍ ଦାଖଲ କରିବା ସହିତ କମିସନଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଗତ ଜୁନ୍ ମାସରେ ଜାତୀୟ ମାନବାଧିକାର କମିସନ ଓଏଚଆରସିଙ୍କୁ କୋଭିଡ୍ ସମ୍ବନ୍ଧୀୟ ମାମଲା ଗୁଡ଼ିକୁ ଆଗୁଆ ଶୁଣାଣି କରିବା ଲାଗି ସୂଚିତ କରିଥିଲେ। ଏ ଦୃଷ୍ଟିରୁ ଓଏଚଆରସି ଏହି ମାମଲାକୁ ଗୁରୁତ୍ବର ସହ ଗ୍ରହଣ କରିବା ସହିତ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି।
Follow Us