୮୧ ବର୍ଷରେ ପ୍ରଫୁଲ୍ଲ କର, ଗୀତରେ ଗୀତରେ ଜନ୍ମଦିନର ଶୁଭେଚ୍ଛା

Advertisment
୮୧ ବର୍ଷରେ ପ୍ରଫୁଲ୍ଲ କର, ଗୀତରେ ଗୀତରେ ଜନ୍ମଦିନର ଶୁଭେଚ୍ଛା

ଭୁବନେଶ୍ବର: ମଞ୍ଚରେ ଉପସ୍ଥିତ ଥିଲେ ବିଗତ ଦିନର ଓ ବର୍ତ୍ତମାନର ପ୍ରତିଷ୍ଠିତ କଣ୍ଠଶିଳ୍ପୀ। ସମସ୍ତଙ୍କ କଣ୍ଠରୁ ଭାସି ଆସୁଥିଲା ଓଡ଼ିଆ ସଙ୍ଗୀତର କାଳଜୟୀ ଗୀତ। ସେହି ଗୀତଗୁଡ଼ିକର ସ୍ରଷ୍ଟା ଥିଲେ ପ୍ରଫୁଲ୍ଲ କର। ଶ୍ରୋତାମାନେ ଫେରି ଯାଇଥିଲେ ଓଡ଼ିଆ ସଙ୍ଗୀତର ସେହି ସୁବର୍ଣ୍ଣ ଯୁଗକୁ। ଅବସର ଥିଲା, ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ୮୧ତମ ଜନ୍ମ ଦିବସ। କଣ୍ଠଶିଳ୍ପୀମାନେ ଗୀତରେ ଗୀତରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

ପ୍ରଫୁଲ୍ଲ କରଙ୍କ ୮୧ତମ ଜନ୍ମ ଦିବସ ଅବସରରେ ପ୍ରଫୁଲ୍ଲ କର ଫାଉଣ୍ଡେସନ୍‌ ପକ୍ଷରୁ ଗତକାଲିଠାରୁ ଆରମ୍ଭ ହୋଇଥିବା ସଙ୍ଗୀତ କାର୍ଯ୍ୟକ୍ରମ ‘କମଳ ଦେଶ ରାଜକୁମାର’ର ଆଜି ଥିଲା ଦ୍ବିତୀୟ ତଥା ଶେଷ ସନ୍ଧ୍ୟା। କଣ୍ଠଶିଳ୍ପୀମାନେ ଥିଲେ ପ୍ରଣବ କିଶୋର ପଟ୍ଟନାୟକ, ଦୁଃଖୀଶ୍ୟାମ ତ୍ରିପାଠୀ, ସୌରଭ ନାୟକ, ମହାପ୍ରସାଦ କର, ଭଗବାନ ଜେନା, ନାଜିଆ ଆଲମ, ଅର୍ପିତା ଚୌଧୁରୀ, ଛନ୍ଦା ମିଶ୍ର ଓ ସାରିକା ସିଂହ। ପ୍ରଣବ ପଟ୍ଟନାୟକ ଓ ଦୁଃଖୀଶ୍ୟାମ ତ୍ରିପାଠୀଙ୍କ ଗାୟନ ସମୟରେ ସେମାନଙ୍କ ସହ ପ୍ରଫୁଲ୍ଲ କରଙ୍କ ଉପସ୍ଥିତି ଶ୍ରୋତାଙ୍କୁ ଏକ ନିଆରା ଅନୁଭବ ଦେଇଥିଲା। ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ବିଭିନ୍ନ ସମୟରେ ସୃଷ୍ଟି ହୋଇଥିବା ଲୋକପ୍ରିୟ ଗୀତଗୁଡ଼ିକୁ କଣ୍ଠଶିଳ୍ପୀମାନେ ବେଶ୍ ଚମତ୍କାର ଭାବେ ପରିବେଷଣ କରିଥିଲେ। ରବୀନ୍ଦ୍ର ମଣ୍ଡପର ଭରପୂର ଶ୍ରୋତା ଦୀର୍ଘ ସମୟ ଧରି ବାନ୍ଧି ହୋଇଥିଲେ ଏହି ଗୀତର ଯାଦୁରେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମକୁ ସ˚ଯୋଜନା କରିଥିଲେ।

ଆଜିର ସନ୍ଧ୍ୟାରେ ଅତିଥି ଭା‌ବେ ଯୋଗ ଦେଇଥିଲେ ବିଶିଷ୍ଟ ସାହିତ୍ୟିକ ସୀତାକାନ୍ତ ମହାପାତ୍ର, ସ୍ଥପତି ତଥା ସାଂସଦ ରଘୁନାଥ ମହାପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ପ୍ରଫୁଲ୍ଲ କରଙ୍କ କାଳଜୟୀ ଗୀତ ତାଙ୍କୁ ପ୍ରତିଟି ଓଡ଼ିଆଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ଦେଇ ଆସିଛି ବୋଲି ଅତିଥିମାନେ ମତ ଦେଇଥିଲେ। ଏହି ଅବସରରେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ସାଲୁ ଜିନ୍ଦଲଙ୍କୁ ସଂସ୍କାର ପକ୍ଷରୁ ‘ଉର୍ବଶୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀ କରଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ପ୍ରଫୁଲ୍ଲ କର ଫାଉଣ୍ତେସନ୍‌ର ଅଧ୍ୟକ୍ଷ ଦାଶ ବେନହୁରଙ୍କ ସଭାପତିତ୍ବରେ ଅନୁୁଷ୍ଠିତ ଏହି ସଭାରେ ସ˚ଯୋଜକ ଡ. ଜେନାମଣି ସଞ୍ଜୀବ କୁମାର, ସମ୍ପାଦକ ଚୌଧୁରୀ ଅମିତାଭ ଦାସ, ଆବାହକ ଗିରିଜା ଦାଶ ଓ ‘ସ˚ସ୍କାର’ର ସାଧାରଣ ସମ୍ପାଦକ ମହାଦୀପ କର ପ୍ରମୁଖ ଉପସ୍ଥିତ ଥିଲେ। ଫାଉଣ୍ଡେସନ୍‌ର କର୍ମକର୍ତ୍ତା ବିଶ୍ବରଞ୍ଜନ ଦାଶ, ବିମଳ ଦାସ, ସାଲୁଟ୍ ସାହୁ ଓ ପରେଶ ମାହୁନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe