ହାଇକୋର୍ଟରେ ପ୍ରକୃତି ମିଶ୍ରଙ୍କ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ, ଦୁଇ ମାସ ଭିତରେ ନିଷ୍ପତ୍ତି ନେବାକୁ ଡିସିପିଙ୍କୁ ନିର୍ଦ୍ଦେଶ

Advertisment
ହାଇକୋର୍ଟରେ ପ୍ରକୃତି ମିଶ୍ରଙ୍କ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ, ଦୁଇ ମାସ ଭିତରେ ନିଷ୍ପତ୍ତି ନେବାକୁ ଡିସିପିଙ୍କୁ ନିର୍ଦ୍ଦେଶ

FilmiBeat

କଟକ: ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ଆଇନ ଅନୁସାରେ ପଦକ୍ଷେପ ନେବେ ଭୁବନେଶ୍ବର ଡିସିପି। ଅଭିଯୋଗର ତଦନ୍ତ କରି ଡିସିପି ୨ ମାସ ଭିତରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବା ସହିତ ପ୍ରକୃତି ମିଶ୍ରଙ୍କ ପକ୍ଷରୁ ଦାୟର ମାମଲା ଶୁଣାଣିର ଅନ୍ତ ଘଟାଇଛନ୍ତି। ଆଜି ହାଇକୋର୍ଟରେ ପୁଲିସ ନିଷ୍କ୍ରିୟତା ବିରୋଧରେ ଦାୟର ମାମଲାର ଶୁଣାଣି ସମୟରେ ପ୍ରକୃତି ମିଶ୍ରଙ୍କ ତରଫରୁ ଯୁକ୍ତି କରାଯାଇଥିଲା ଯେ ତାଙ୍କ ଏତଲା ଆଧାରରେ ଖାରବେଳନଗର ଥାନାରେ ରୁଜୁ ମାମଲାରେ ଚାର୍ଜସିଟ ଦାଖଲ ହୋଇସାରିଛି। କିନ୍ତୁ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇନାହିଁ।

ଏ ନେଇ ଭୁବନେଶ୍ବର ଡିସିପିଙ୍କ ନିକଟରେ ତାଙ୍କ ଅଭିଯୋଗ ବିଚାରାଧୀନ ଥିବା ବେଳେ ଏହା ଉପରେ କିଛି ପଦକ୍ଷେପ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ଫଳରେ ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ପ୍ରକୃତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ପୁଲିସ ତଦନ୍ତରେ ନିଷ୍କ୍ରିୟତା ଅଭିଯୋଗ କରି ପ୍ରକୃତି ୨୦୨୨ ଅଗଷ୍ଟ ୨୩ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପ୍ରକୃତିଙ୍କ ତରଫରୁ ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ ୨୦୨୨ ବର୍ଷ ଜୁଲାଇ ୨୩ରେ ତାଙ୍କୁ ରାସ୍ତାରେ ଟଣାଓଟରା କରାଯିବା ସହିତ ଆକ୍ରମଣ କରାଯାଇଥିଲା। ଗାଳିଗୁଲଜ କରାଯାଇଥିଲା। ଏ ନେଇ ଖାରବେଳନଗର ଥାନାରେ ସେ ଏତଲା ଦେଇଥିଲେ ମଧ୍ୟ ପୁଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଏହି ମାମଲାରେ ଯେ‌ଉଁ ଦଫାରେ ମାମଲା ରୁଜୁ ହେବା କଥା ତାହା କରାଯାଇ ନାହିଁ। ଏ ନେଇ ଡିସିପିଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ବୋଲି ଆବେଦନରେ ଦର୍ଶାଯାଇଥିଲା।

୨୦୨୨ ଜୁଲାଇ ୨୩ରେ ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସଂପର୍କକୁ ନେଇ ଝଡ଼ ଉଠିଥିଲା। ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ବିଚ୍ ରାସ୍ତାରେ ବାବୁସାନ ଓ ପ୍ରକୃତିଙ୍କୁ ଟଣାଓଟରା କରିବା ଦୃଶ୍ୟର ଭିଡିଓ ଭାଇରାଲ ହୋଇଥିଲା। କଥା ଯାଇ ପୁଲିସ ନିକଟରେ ପହଞ୍ଚିଥିଲା। ଏ ନେଇ ଖାରବେଳନଗର ଥାନାରେ ଦୁଇଟି ଏତଲା ରୁଜୁ ହୋଇଥିଲା। ପ୍ରକୃତି ମଶ୍ରଙ୍କ ତରଫରୁ ତୃପ୍ତି ଓ ତାଙ୍କ ବାପାଙ୍କ ବିରୋଧରେ ଗୋଟିଏ ଏତଲା ଦିଆଯାଇଥିଲା। ଅନ୍ୟପକ୍ଷରେ ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ତରଫରୁ ମଧ୍ୟ ଖାରବେଳନଗର ଥାନାରେ ଅାଉ ଏକ ଏତଲା ଦିଆଯାଇଥିଲା। ପ୍ରକୃତିଙ୍କ ତରଫରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe