ଭୁବନେଶ୍ବର: ପୂର୍ବତନ କର୍ପୋରେଟର୍ ତଥା ବମିଖାଲ ଅଞ୍ଚଳର କଂଗ୍ରେସର ପୁରୁଣା ନେତା ପ୍ରକାଶ ଜେନା ଶଙ୍ଖ ଫୁଙ୍କିଛନ୍ତି। ଆଜି ବିଧିବଦ୍ଧ ଭାବରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନରେ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଥିଲେ।
ପ୍ରଣବ ତାଙ୍କୁ ବିଜେଡି ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କରିଥିଲେ। ତେବେ ଏହି ମିଶ୍ରଣ ପର୍ବରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କିମ୍ବା ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ ଉପସ୍ଥିତ ନ ଥିଲେ। ସନ୍ଧ୍ୟାରେ ଶ୍ରୀ ଜେନା ଏକ ଶୋଭାଯାତ୍ରାରେ ବିଧାୟକ ଅନନ୍ତ ଜେନାଙ୍କ ବାସଭବନକୁ ଯାଇ ୩୧ ନମ୍ବର ୱାର୍ଡର କର୍ପୋରେଟର ଟିକେଟ୍ ପାଇଁ ନିଜର ଆବେଦନପତ୍ର ଦେଇଥିଲେ। ଏହାକୁ ନେଇ ବିଜେଡି ଆଭ୍ୟନ୍ତରୀଣ ରାଜନୀତି ବେଶ୍ ସରଗରମ ହୋଇଛି।
୨୦୦୩ ମସିହାରେ ବମିଖାଲ ଅଞ୍ଚଳରୁ ପ୍ରକାଶ କର୍ପୋରେଟର ଭାବେ ଜିତିଥିଲେ। ଏହା ପରେ ସେ ଯଦିଓ କର୍ପୋରେଟର ହୋଇ ନାହାନ୍ତି ତଥାପି କଂଗ୍ରେସରେ ସକ୍ରିୟ ରହିଥିଲେ। ବମିଖାଲ ସମେତ ଆଖପାଖ ଅଞ୍ଚଳରେ ତାଙ୍କର ପ୍ରଭାବ ରହିଥିଲା। ହେଲେ ଗତ ୪ ବର୍ଷ ହେଲା ସେ କଂଗ୍ରେସର ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ଠାରୁ ଏକ ପ୍ରକାର ଦୂରରେ ରହିଛନ୍ତି। ଏବେ ହଠାତ୍ ବିଜେଡିରେ ସାମିଲ ହେବାକୁ ନେଇ ନାନା କଳ୍ପନା ଜଳ୍ପନା ହେଉଛି। ୩୧ ନମ୍ବର ୱାର୍ଡ ଗତ ଥର ବିଜେଡି କବ୍ଜାରେ ଥିଲା।
ଏଠାରେ କୁମାରେନ୍ଦ୍ର ମହାପାତ୍ର କର୍ପୋରେଟର ହେବାର ସୌଭାଗ୍ୟ ଲାଭ କରିଥିଲେ। ଚଳିତ ନିର୍ବାଚନରେ ସେ ବିଜେଡିରୁ ଏକମାତ୍ର ଦାବିଦାର ଥିଲେ। କିନ୍ତୁ ପ୍ରକାଶଙ୍କ ଯୋଗଦାନ ପରେ ଏହି ୱାର୍ଡ ଉପରେ ରାଜନୈତିକ ମହଲର ନଜର ରହିଛି। ଅନ୍ୟପଟେ ପ୍ରକାଶ କହିଛନ୍ତି, ‘କଂଗ୍ରେସ ମୁରବିଶୂନ୍ୟ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଦର୍ଶ ମଧ୍ୟ ମୋତେ ଅନୁପ୍ରାଣିତ କରିଛି। ମୁଁ ଟିକେଟ୍ ଆଶାରେ ଦଳରେ ମିଶିନାହିଁ। କିନ୍ତୁ ଦଳ ଯଦି ମୋତେ ସୁଯୋଗ ଦିଏ ମୁଁ ଦଳର ବିଶ୍ବାସକୁ ମାଟିରେ ମିଶିବାକୁ ଦେବି ନାହିଁ।’
Follow Us