ଜମୁଛି ପ୍ରାକ୍‌ ପ୍ରଚାର ଭୋଜି ଆସର: ମଠ, ମନ୍ଦିରରେ ପ୍ରସାଦ ଓ ଦେବୀ ପୀଠରେ ଆମିଷ

Advertisment
ଜମୁଛି ପ୍ରାକ୍‌ ପ୍ରଚାର ଭୋଜି ଆସର: ମଠ, ମନ୍ଦିରରେ ପ୍ରସାଦ ଓ ଦେବୀ ପୀଠରେ ଆମିଷ

ବାଲିଅନ୍ତା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା ଓ ଆଜି ଥିଲା ଯାଞ୍ଚ ପ୍ରକ୍ରିୟା। ତେବେ ଗତକାଲିଠାରୁ ପ୍ରାକ୍ ପ୍ରଚାର ଭୋଜି ଆସର ଜମିବା ଆରମ୍ଭ ହୋଇଯାଇଛି। କିଛି ପ୍ରାର୍ଥୀ ମଠ ଓ ମନ୍ଦିରରେ ପ୍ରସାଦ ସେବନ ବ୍ୟବସ୍ଥା କରି ଭୋଟରଙ୍କୁ ଆକୃଷ୍ଟ କରୁଥିବା ବେଳେ ଆଉ କିଛି ଦେବୀ ପୀଠରେ ଆମିଷ ପ୍ରସାଦର ବ୍ୟବସ୍ଥା କରୁଥିବା ଦେଖିବାକୁ ମିଳୁଛି। କ୍ଲବ୍‌ ଓ ଖଟି ଘରେ ଜମିଲାଣି ମଦ ମାଂସର ଆସର। କଟକଣାକୁ ଫୁ’ କରି ଏସବୁ ଆୟୋଜନ ହେଉଥିଲେ ବି ପୁଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜୁଛି ବୋଲି ଅଭିଯୋଗ ହେଲାଣି।

ନାମାଙ୍କନ ପତ୍ର ଦାଖଲ ସରିବା ପରେ ପ୍ରାର୍ଥୀମାନଙ୍କ ପ୍ରଚାର ଜୋର୍‌ ଧରିଛି। ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପଦରେ ଲଢ଼ୁଥିବା ପ୍ରାର୍ଥୀମାନେ ଗାଁକୁ ଗାଁ ଓ ଘରକୁ ଘର ବୁଲିବା ଆରମ୍ଭ କରିଦେଲେଣି। ଏଥିସହିତ କର୍ମୀମାନଙ୍କୁ ସକ୍ରିୟ ରଖିବାକୁ ସେମାନେ ଭୋଜି ଭାତ ବ୍ୟବସ୍ଥା କରୁଛନ୍ତି। ତେଣୁ ଏବେ ସ୍ଥାନୀୟ ଅଞ୍ଚଳର ପ୍ରାୟ ସବୁ ଦେବ‌ଦେବୀଙ୍କ ପୀଠ ଓ ମଠରୁ ପ୍ରସାଦ ମହକ ଭାସିଆସୁଛି। କର୍ମୀମାନେ ପ୍ରଚାର ସାରି ସେଠାରେ ଏକାଠି ହେଉଛନ୍ତି। ତେବେ ଆଜି ବିଭିନ୍ନ ଦେବୀ ପୀଠରେ ମାଛ, ମାଂସ ଓ ଚିକେନ୍‌ ଭୋଜି ହୋଇଥିବା ଦେଖିବାକୁ ମିଳିଥିଲା। ଆଜି ବଇଁଚୁଆ ପଞ୍ଚାୟତରେ କାଶୀ ବିଶ୍ବନାଥ ମନ୍ଦିରରେ ଏକ ବଡ଼ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏସଂପର୍କରେ ସ୍ଥାନୀୟ ଲୋକେ ବାଲିଅନ୍ତା ଥାନାକୁ ଫୋନ୍‌ କରି ଜଣାଇଥିଲେ ମଧ୍ୟ ପୁଲିସ ନିରବ ରହିଥିଲା ବୋଲି ଅଭିଯୋଗ ହେଉଛି। ସେହିଭଳି ଗତକାଲି ଉକ୍ତ ପଞ୍ଚାୟତର ସିଦ୍ଧେଶ୍ବର ପୀଠରେ ଭୋଜିଭାତ ଚାଲିଥିବା ବେଳେ ପୁଲିସ ଚଢ଼ଉ କରିଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଚାପରେ ପୁଲିସ ନିରବ ରହିଲା ବୋଲି ଅଭିଯୋଗ ହେଉଛି। ଯଦି ଏମିତି ଚାଲୁ ରହେ, ଆଗକୁ ନିର୍ବାଚନୀ ହିଂସା ଘଟିବା ଆଶଙ୍କା ରହିଛି ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe