ରିଲିଜ୍‌ ହେଲା ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପ୍ରତୀକ୍ଷା’

Advertisment

ବାପା-ପୁଅଙ୍କ ଆବେଗପୂର୍ଣ୍ଣ ସମ୍ପର୍କର କାହାଣୀ

ବାପା-ପୁଅଙ୍କ ଆବେଗପୂର୍ଣ୍ଣ ସମ୍ପର୍କର କାହାଣୀ

ଆଜିଠାରୁ ରାଜ୍ୟ ବାହାରେ ପ୍ରଦର୍ଶିତ ହେଉଛି ବହୁଚର୍ଚ୍ଚିତ ଓଡ଼ିଆ ସିନେମା ‘ପ୍ରତୀକ୍ଷା

ଭୁବନେଶ୍ବର:ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ ବ୍ୟାନର୍‌ରେ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଆଜି ରାଜଧାନୀର ସ୍ବାତୀ ସିନେମା ହଲ୍‌ରେ ପ୍ରିମିୟର ରିଲିଜ୍ ହୋଇଛି। ଓଡ଼ିଶାର ୧୪ଟି ସହରର ୨୧ଟି ହଲ୍‌ରେ ଏହି ଚଳଚ୍ଚିତ୍ରର ୨୬ଟି ସୋ’ ପ୍ରଦର୍ଶିତ ହୋଇଛି। ପ୍ରିମିୟର ରିଲିଜ୍‌ ସୋ’ରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନାଟ୍ୟ ନିର୍ଦ୍ଦେଶକ ମ‌ନୋଜ ପଟ୍ଟନାୟକ, ପୂର୍ବତନ ଆଇଜି ବଟକୃଷ୍ଣ ତ୍ରିପାଠୀ, ଚଳଚ୍ଚିତ୍ର ନିର୍ଦ୍ଦେଶକ ନାରାୟଣ ପତି, ଅଭିନେତା ମ‌ନୋଜ ମିଶ୍ର, ରବି ମିଶ୍ର, ପିଣ୍ଟୁ ନନ୍ଦ, ଅଭିନେତ୍ରୀ ଉଷସୀ ମିଶ୍ରଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। କଥାକାର ଗୌରହରି ହାସଙ୍କ କ୍ଷୁଦ୍ରଗଳ୍ପକୁ ଆଧାର କରି ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି।

publive-image

ଚଳଚ୍ଚିତ୍ରଟି ଏକ ମଧ୍ୟବିତ୍ତ ପରିବାର ଉପରେ କେନ୍ଦ୍ରୀଭୂତ ହୋଇଛି। ନାୟକ ସଞ୍ଜୟ ନିଜ ପିତାଙ୍କ ଅବସର ପୂର୍ବରୁ ସରକାରୀ ଚାକିରିଟିଏ ଖୋଜୁଛନ୍ତି। ବାପା ବିପିନ ଶୀଘ୍ର ଚାକିରିଟିଏ ଖୋଜିବା ପାଇଁ ତାଙ୍କୁ ବାରମ୍ବାର ବାଧ୍ୟ କରୁଛନ୍ତି। କାରଣ ସେ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଏବଂ ପରିବାର ଉପରେ ଋଣଭାର ବଢ଼ିବାରେ ଲାଗିଛି। ମାତ୍ର ସଞ୍ଜୟ ଚାକିରିଟିଏ ଯୋଗାଡ଼ କରିପାରୁନାହିଁ। ଏହା ଭିତରେ ବିପିନ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ପୁଣି ଋଣ କରିବାକୁ ପଡ଼ୁଛି। ସଞ୍ଜୟ ଜାଣିବାକୁ ପାଉଛି ଯେ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ମିଳିବାର ବ୍ୟବସ୍ଥା ରହିଛି। ତେଣୁ ହତାଶ ସଞ୍ଜୟ ପିତାଙ୍କ ମୃତ୍ୟୁକୁ ଅପେକ୍ଷା କରି ରହୁଛି। କିନ୍ତୁ ‌ଶେଷରେ ନିଜ ଭୁଲ ବୁଝିପାରୁଛି ସଞ୍ଜୟ। ବାପାଙ୍କ ବିୟୋଗ ପରେ ନିଜକୁ ଶକ୍ତ କରି ଚାକିରି ପାଇଁ ଚେଷ୍ଟା କରିଛି।

publive-image

ବାପା-ପୁଅଙ୍କ ଆବେଗପୂର୍ଣ୍ଣ ସମ୍ପର୍କକୁ ନେଇ ଚଳଚ୍ଚିତ୍ରଟି ବେଶ୍‌ ମନଛୁଆଁ ହୋଇଛି ବୋଲି ଦର୍ଶକମାନେ କହିଛନ୍ତି। ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରୋଶନ ବିଷୋୟୀ। ବର୍ଷା ପଟ୍ଟନାୟକ କାର୍ଯ୍ୟନିର୍ବାହୀ ପ୍ରଯୋଜିକା ରହିଛନ୍ତି। ଦୀପନ୍ବିତ ଦାସମହାପାତ୍ର, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ସୁଶୀଲ ମିଶ୍ର ଓ ଅବକାଶ ମିଶ୍ର ପ୍ରମୁଖଙ୍କ ଅଭିନୟ ବେଶ୍‌ ହୃଦୟସ୍ପର୍ଶୀ ହୋଇଛି। ଗୀତିକାର ଦୁର୍ଗାମାଧବ ପଣ୍ଡା ଓ ପ୍ରିୟରଞ୍ଜନ ସାହୁଙ୍କ ଗୀତଗୁଡ଼ିକୁ ସଙ୍ଗୀତ ନିର୍ଦ୍ଦେଶକ ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଜେଇଛନ୍ତି। ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ରକୁ ହିନ୍ଦୀ ରିମେକ୍ କରିବା ପାଇଁ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅନୁପମ ଖେର୍‌ କିଛି ଦିନ ତଳେ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe