ଖଣ୍ଡଗିରି ମେଳା: ଆସ୍ଥାନ ଜମାଇଲେଣି ସାଧୁସନ୍ଥ

ଖଣ୍ଡଗିରି ମେଳା: ଆସ୍ଥାନ ଜମାଇଲେଣି ସାଧୁସନ୍ଥ

ଖଣ୍ଡଗିରି: ତପୋଭୂମି ଖଣ୍ଡଗିରିରେ ଜମିଲାଣି ସାଧୁସନ୍ଥଙ୍କ ଭିଡ଼। ତପ ସାଧନ ପାଇଁ ମଙ୍ଗଳବାର ସନ୍ଧ୍ୟାରୁ ଖଣ୍ଡଗିରି ପାହାଡ଼ ଉପରେ ବିଭିନ୍ନ ସ୍ଥାନରେ ଆସ୍ଥାନ ଜମାଇଲେଣି ସାଧୁସନ୍ଥମାନେ। ସେମାନେ ନିଜ ନିଜ ଅସ୍ଥାୟୀ ମଠରେ ହୋମଯଜ୍ଞ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଲେଣି। ଆରମ୍ଭ କଲେଣି ମନ୍ତ୍ରପାଠ। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ଶହେରୁ ଅଧିକ ସାଧୁସନ୍ଥ ଆସି ମେଳା ପରିସରରେ ପହଞ୍ଚିଛନ୍ତି। ଆଉ ୪ ଦିନ ପରେ ହେବ ମାଘ ମେଳା। ପବିତ୍ର ମାଘ ସପ୍ତମୀରେ ଅର୍କକ୍ଷେତ୍ର କୋଣାର୍କ-ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ସାଧୁସନ୍ଥଙ୍କ ଆଗମନ ଆହୁରି ବୃଦ୍ଧି ପାଇବ। ସାଧୁମୟ ହୋଇଯିବ ତପୋଭୂମୀ ପବିତ୍ର ଖଣ୍ଡଗିରି। ଖଣ୍ଡଗିରି ପଞ୍ଚତୀର୍ଥ ପୁଷ୍କରିଣୀରେ ଅନେକ ସାଧୁ ବୁଡ଼ ପକାଇବେ। ନାଗା ସନ୍ନ୍ୟାସୀଙ୍କଠୁ ନେଇ ଦଶନାମୀ, ବୈଷ୍ଣବ ଚାରି ସମ୍ପ୍ରଦାୟ, ଓଡ଼ିଶାର ପଞ୍ଚସଖା ସଂପ୍ରଦାୟ, ଗୌଡ଼ୀୟ, ବେଦପତି ଓ ସନ୍ନ୍ୟାସିନୀଙ୍କ ସମାଗମ ହୋଇଥିବା ବେଳେ ଅଖଣ୍ଡ ଧୁନି ଜଳିବ। ଅପରପକ୍ଷରେ ମାଘ ସପ୍ତମୀରେ ମା’ ବାରଭୂଜା ପୀଠରେ ପ୍ରସିଦ୍ଧ ରାମଚରିତ ପାରାୟଣ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି।

ଅନ୍ୟପଟେ ପ୍ରଶାସନ ପକ୍ଷରୁ ମଧ୍ୟ ଜୋରଦାର ପ୍ରସ୍ତୁତି କରାଯାଉଛି। ୪ ବର୍ଷ ହେବ ବନ୍ଦ ପଡ଼ିଥିବା ଶୌଚାଳୟକୁ କାର୍ଯ୍ୟକ୍ଷମ କରାଯିବା ସହିତ ସାଧୁସନ୍ଥଙ୍କ ହୋମ ସ୍ଥାନରେ ବିଜୁଳି ବ୍ୟବସ୍ଥା କରାଯାଇଛି। ସେହିପରି ଖଣ୍ଡଗିରି ଛକରୁ ପାହାଡ଼ ପାଦଦେଶ ପର୍ଯ୍ୟନ୍ତ ଆବଶ୍ୟକ ସ୍ଥାନରେ ନୂତନ ଖୁଣ୍ଟି ପୋତାଯାଇ ବିଜୁଳି ବ୍ୟବସ୍ଥା କରାଯାଉଛି।

ରାଣୀ ହଂସପୁରରେ ବିଜେ କରିବେ ଅନନ୍ତ କେଶରୀ

୨ ବର୍ଷର କରୋନା କଟକଣା ପରେ ଏଥର ଅନନ୍ତ କେଶରୀ ଏକ ବିରାଟ ପଟୁଆରରେ ରାଣୀହଂସପୁରକୁ ବିଜେ କରିବେ। ପ୍ରଥମେ ଜାଗମରା ଗାଁ ନାଗାମଠରୁ ଅନନ୍ତ କେଶରୀଙ୍କୁ ସୁସଜ୍ଜିତ ବିମାନରେ ବିରାଜମାନ କରି ସଂକୀର୍ତ୍ତନ, ଘୋଡ଼ାନାଚ, ଷଣ୍ଢନାଚ, ସମ୍ବଲପୁରୀ ବାଜାର ରୋଶଣିରେ ଗାଁ ପରିକ୍ରମା କରାଯିବ। ପରେ ପ୍ରଭୁଙ୍କୁ ଉଦୟଗିରି ପାହାଡ଼ରେ ଥିବା ରାଣୀହଂସପୁରକୁ ଅଣାଯିବ। ‌ସେଠା‌‌ରେ ଭୋଗରାଗ, ପୂଜାର୍ଚ୍ଚନା କରାଯିବା ପରେ ପୁଣି ରାତିରେ ହିଁ ନାଗା ମଠକୁ ଫେରିବେ।

ଗ୍ରାମ ଲୋକଙ୍କ କହିବା କଥା ୧୯୧୨ ମସିହାରେ ଅନନ୍ତ କେଶରୀ ଜାଗମରା ଗ୍ରାମକୁ ଯାଇଥିଲେ। ଏହି ମେଳା ତାଙ୍କର। ତେଣୁ ସେ ଖଣ୍ଡଗିରି ଆସିବା ପରେ ହିଁ ମାଘ ମେଳା ଆରମ୍ଭ ହୁଏ। ଶନିବାର ଠାରୁ ବିଶ୍ବଶାନ୍ତି ଯଜ୍ଞ ଆରମ୍ଭ ହୋଇ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe