ବିଜେବି କଲେଜରେ ଭୋଟ ଗଣନା ପ୍ରସ୍ତୁତି: ୭୬ଟି ଟେବୁଲ୍‌ରେ ଗଣନା

Advertisment

୬୨ଟି ଟେବୁଲ୍‌ରେ ବିଧାନସଭା ଗଣତି, ୫୦୦ ମିଟର ପର୍ଯ୍ୟନ୍ତ ବାଜାବାଣ ମନା

୬୨ଟି ଟେବୁଲ୍‌ରେ ବିଧାନସଭା ଗଣତି, ୫୦୦ ମିଟର ପର୍ଯ୍ୟନ୍ତ ବାଜାବାଣ ମନା

ବିଜେବି କଲେଜରେ ଭୋଟ ଗଣନା ପ୍ରସ୍ତୁତି: ୭୬ଟି ଟେବୁଲ୍‌ରେ ଗଣନା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ଏକାମ୍ର ଓ ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଙ୍ଗଳବାର ଭୋଟ ଗଣତି ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସକାଳ ୮ଟାରୁ ଗଣନା କାର୍ଯ୍ୟ ଆରମ୍ଭ କରାଯିବ। ପ୍ରାରମ୍ଭିକ ଭାବେ ପୋଷ୍ଟାଲ ବାଲଟ୍‌ ଗଣନା ହେବ। ଏଥିସହ ଇଭିଏମ ମାଧ୍ୟମରେ ନିଆଯାଇଥିବା ଭୋଟ ମଧ୍ୟ ଗଣନା କରାଯିବ। ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ଏକାମ୍ର ବିଧାନସଭା କ୍ଷେତ୍ର ନିମନ୍ତେ ୧୨ଟି ଲେଖାଏ ଗଣତି ଟେବୁଲ ଓ ଜଟଣୀ ବିଧାନସଭା କ୍ଷେତ୍ର ନିମନ୍ତେ ୧୪ଟି ଗଣତି ଟେବୁଲ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବର ଲୋକସଭା କ୍ଷେତ୍ରର ଇଭିଏମ ଭୋଟ ଗଣନା ନିମନ୍ତେ ୧୪ଟି ଟେବୁଲ ବ୍ୟବସ୍ଥା ହୋଇଛି।

ପ୍ରତି ଟେବୁଲ ନିମନ୍ତେ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ, କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଓ ଇଭିଏମ୍‌ ନେବା ଆଣିବାରେ ସହଯୋଗ କରିବାକୁ ଜଣେ ସହାୟକ ରହିଛନ୍ତି। ସ୍ୱଚ୍ଛ, ଅବାଧ, ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା ଓ ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାର ପାଳନପୂର୍ବକ ମତଦାନ ଗଣନା କେନ୍ଦ୍ର ପରିସରରେ କୌଣସି ପ୍ରକାର ମୋବାଇଲ, ଟାବ୍‌ଲେଟ, ସ୍ମାର୍ଟ ଘଣ୍ଟା, ଯୋଗାଯୋଗ ରକ୍ଷା କିମ୍ବା ରେକର୍ଡିଂ କରିବା ଭଳି ଇଲୋକ୍ଟ୍ରୋନିକ୍ସ ଯନ୍ତ୍ରପାତି ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। କେବଳ ଅନୁମତିପ୍ରାପ୍ତ ବ୍ୟକ୍ତିବିଶେଷ ଏହାକୁ ନେଇପାରିବେ କିମ୍ବା ବ୍ୟବହାର କରିପାରିବେ। ଏହି ନିଷେଧାଦେଶ ସୋମବାର ଭୋର ୪ଟାରୁ ଗଣନା କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ। ଖିଲାପ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଧାରା-୧୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣା ନିର୍ଦ୍ଦେଶ ଦେଇଛନ୍ତି।

ମତଗଣନା କେନ୍ଦ୍ରର ୫୦୦ ମିଟର ପର୍ଯ୍ୟନ୍ତ ଜନସମାବେଶ ଉପରେ କଟକଣା ଲଗାଯାଇଛି। ବେଆଇନ ସମାବେଶ, ବାଣ ଫୁଟାଇବା ଓ ଡାକବାଜି ଯନ୍ତ୍ର ବ୍ୟବହ‌ାର ନିଷେଧ ହୋଇଛି। ଗାଡ଼ି ପାର୍କିଂ, ସାଙ୍ଗରେ ଲାଠି ଆଣିବା, ଗ୍ଲାସ ବୋତଲ, ଦହନୀୟ ସାମଗ୍ରୀ ଆଣିବା ଉପରେ ମଧ୍ୟ କଟକଣା ଲାଗିଛି। ମତଗଣନା କେନ୍ଦ୍ର ନିକଟରେ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ସ୍ଥାନରେ ହିଁ କେବଳ ଜନସାଧାରଣ ଏକତ୍ରିତ ହୋଇପାରିବେ। ଯଦି କୌଣସି ବ୍ୟକ୍ତିବିଶେଷ ଏହାକୁ ଉଲ୍ଲଂଘନ କରନ୍ତି ତାହାହେଲେ ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ରାଣା ଜାରି କରିଥିବା ଆଉ ଏକ ବିଜ୍ଞପ୍ତିରେ କହିଛନ୍ତି।

ଗାଡ଼ି ପାର୍କିଂ ସ୍ଥାନ ଚିହ୍ନଟ
ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ହେବାକୁ ଥିବା ଭୋଟ ଗଣନା ପାଇଁ ଟ୍ରାଫିକ୍‌ କଟକଣା ଲଗାଯାଇଛି। ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଓଡ଼ିଶା ଅର୍ବାନ୍‌ ପୁଲିସ ଆକ୍ଟ ୨୦୦୩ର ଧାରା ୨୮ ଓ ପୁଲିସ କମିସନରେଟ୍‌ ଭୁବନେଶ୍ବର କଟକ ଟ୍ରାଫିକ୍‌ ଓ ପବ୍ଲିକ ଅର୍ଡର ୨୦୦୮ ଧାରା ୩୭ ଅନୁଯାୟୀ ବିଭିନ୍ନ ବର୍ଗର ଲୋକଙ୍କ ଯାନବାହନ ରଖିବାକୁ ସ୍ଥାନ ଚିହ୍ନଟ କରାଯାଇଛି। ଜନସାଧାରଣ ଭଞ୍ଜକଳାମଣ୍ଡପ ଭିତର ପାର୍ଶ୍ବ, ଟୁରିଜମ୍‌ ଅଫିସ୍‌ ପଡ଼ିଆ, ମହାବିଦ୍ୟାଳୟର ଜୁନିଅର ଆର୍ଟସ ବ୍ଲକରେ ଗାଡ଼ି ରଖିବେ। ଭୋଟ୍‌ ଗଣନାରେ ନିୟୋଜିତ କର୍ମଚାରୀ ଓ ପ୍ରତିନିଧିମାନେ ମହାବିଦ୍ୟାଳୟର ମୁଖ୍ୟ ପଡ଼ିଆ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ମହାବିଦ୍ୟାଳୟର ଦୁଇ ନମ୍ବର ଗେଟ୍‌ଠାରୁ ଶିବ ମନ୍ଦିର ଛକ, ବିଜେବି ନଗରକୁ ସଂଯୋଗ କରୁଥିବା ଗଳିରାସ୍ତାରେ ଗାଡ଼ି ରଖିପାରିବେ। ପୁଲିସ କମିସନର ସଞ୍ଜୀବ ପଣ୍ଡା ଏନେଇ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe